ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ
ତମାମ ଦେଶରେ ସାଧାରଣ ନିର୍ବାଚନର ପୁରା ପ୍ରକ୍ରିୟା ଯେ ଚାଲିଛି କେବଳ ତାହା ନୁହେଁ ପୁରା ଦେଶ ଓ ଦେଶବାସୀ ନିର୍ବାଚନକୁ ନେଇ ବ୍ୟସ୍ତ । ଏ ସବୁ ଭିତରେ ସବୁଠାରୁ ବଡ଼କଥା ହେଉଛି ଭାରତର ସବୁଠାରୁ ସ୍ପର୍ଶକାତର ଓ ଏକଦା ଉତ୍ତେଜନାପୂର୍ଣ୍ଣ ଥିବା ଜାମ୍ମୁ ଓ କାଶ୍ମୀରରେ ସ୍ୱାଭାବିକ ଭାବେ ନିର୍ବାଚନ କମିସନ ନିର୍ବାଚନ ପରିଚାଳନା କରୁଛନ୍ତି । ଦେଶର ଅନ୍ୟ ସ୍ଥାନ ମାନଙ୍କ ପରି ସାଧାରଣ ବାତାବରଣରେ କାଶ୍ମୀର ନିଜକୁ ନିର୍ବାଚନରେ ସାମିଲ କରିଛି । ପୂର୍ବପରି ଆଉ ପଥର ଫିଙ୍ଗା ନାହିଁ କି ତୁହାକୁ ତୁହା ଦିନ ଦିନ ବ୍ୟାପୀ କର୍ଫୁ୍ୟ ମଧ୍ୟ ଜାରି ହେଉନାହିଁ । ତେବେ ଆମେ ଅସଲ ଆଲୋଚନାଟି କରୁଛୁ ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପ୍ରସଙ୍ଗରେ । ଏବେ ନିର୍ବାଚନ ଋତୁଟି ଯେଉଁପରି ଗୁରୁ ଗର୍ଜନ ଭିତରେ ଚାଲୁଛି, କଥାରେ ସିନା ବର୍ଷରେ ଛଅ ଋତୁ କିନ୍ତୁ ପ୍ରତି ପାଞ୍ଚ ବର୍ଷରେ ନିର୍ବାଚନ ଋତୁଟି ଆସିଥାଏ । ଇଏ ଏକ ପୁରା ଭିନ୍ନ ଋତୁ । ଆମ ସାମ୍ବିଧାନିକ ବିଧି ବ୍ୟବସ୍ଥା ଆଉ ଗଣତନ୍ତ୍ରର ମୂଳ ପ୍ରତିନିଧିମୂଳକ ବ୍ୟବସ୍ଥା ପାଇଁ ଲୋକମତ ନିମିତ୍ତ ନିର୍ବାଚନ ହୋଇଥାଏ । ଲୋକମାନଙ୍କ ପ୍ରତିନିଧି ଭାବେ ବହୁମତ ପାଉଥିବା ଦଳଟି ଶାସକ ଦଳ ଭାବେ ସରକାର ଗଠନ କରିବା ବେଳେ ପ୍ରତିପକ୍ଷ ବିରୋଧୀ ଦାୟିତ୍ୱ ନିର୍ବାହ କରନ୍ତି ।
ନିର୍ବାଚନ ପରିଚାଳନା ଆଜିର ସମୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଗତ ୨୦୧୯ ନିର୍ବାଚନରେ ସର୍ବମୋଟ ଖର୍ଚ୍ଚ ହୋଇଥିଲା ପାଖାପାଖି ୫୫ ହଜାର କୋଟି ଟଙ୍କା । ସରକାରୀ ଭାବେ ନିର୍ବାଚନ ପରିଚାଳନା ନିମିତ୍ତ ସେଥିରୁ ୮ ହଜାର ଖର୍ଚ୍ଚ ହୋଇଥିବାବେଳେ ଅବଶିଷ୍ଟ ୪୭ ହଜାର କୋଟି ଟଙ୍କା ବିଭିନ୍ନ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଖର୍ଚ୍ଚ କରିଥିଲେ । ନିର୍ବାଚନ କମିସନଙ୍କ ଗାଇଡ଼ ଲାଇନ ଅନୁଯାୟୀ ପ୍ରାର୍ଥୀଙ୍କ ସର୍ବୋଚ୍ଚ ଖର୍ଚ୍ଚ ଭାରତର ବଡ଼ ରାଜ୍ୟ ନିମିତ୍ତ ୯୫ ଲକ୍ଷ ଟଙ୍କା ରହିଥିବାବେଳେ ଛୋଟ ଛୋଟ ରାଜ୍ୟ ପାଇଁ ୩୫ ଲକ୍ଷ ଟଙ୍କା ରହିଛି । ସେହିଭଳି ବିଧାନସଭା କ୍ଷେତ୍ରରେ ବଡ଼ ରାଜ୍ୟ ପାଇଁ ୪୦ ଲକ୍ଷ ଓ ଛୋଟ ରାଜ୍ୟ ପାଇଁ ୨୮ ଲକ୍ଷ ଟଙ୍କାର ସୀମା ରହିଛି । ମନେପକାନ୍ତୁ ୨୦୧୯ ମସିହାର ଏକ ଆଲୋଚ୍ୟ ଘଟଣା କଥାଟିକୁ । ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳର ଜଣେ ବିଧାନସଭା ପ୍ରାର୍ଥୀ ସେହି ବର୍ଷର ନିର୍ବାଚନରେ ୩କୋଟି ଟଙ୍କା ଖର୍ଚ୍ଚ କରିଥିବାର କହିଥିଲେ । ବାସ୍ତବରେ ବର୍ତ୍ତମାନର ଅତ୍ୟନ୍ତ ବ୍ୟୟବହୁଳ ସମୟରେ ଉପରୋକ୍ତ ଅର୍ଥରାଶି ଯଥେଷ୍ଟ ହୋଇଥାଏ କି? ଏହା ବ୍ୟତୀତ ବାସ୍ତବରେ ଦଳମାନେ କେତେ ଟଙ୍କା ପ୍ରାର୍ଥୀମାନଙ୍କୁ ଦେଇଥାନ୍ତି? ଅସଲରେ ପ୍ରାର୍ଥୀ ଜଣଙ୍କ ତମାମ କେତେ ଖର୍ଚ୍ଚ କରିଥାନ୍ତି? ଜିତିବା ପରେ ଏତେଗୁଡ଼ିକ ଟଙ୍କା କିପରି ଭରଣା ହୁଏ? ଆଉ ଯିଏ ପରାଜୟର ମୁହଁ ଦେଖନ୍ତି ସେ ସେତିକ ବୁଡ଼ି ଯାଇଥିବା ଟଙ୍କାକୁ କିପରି ତୁଲାଇବାକୁ ସକ୍ଷମ ହୋଇଥାନ୍ତି? ୨୦୧୯ ନିର୍ବାଚନରେ ଉଭୟ ୩୨ଟି ଜାତୀୟ ଓ ରାଜନୈତିକ ଦଳ ସର୍ବମୋଟ ୨୫୯୧ କୋଟି ଟଙ୍କା ଖର୍ଚ୍ଚ କରିଥିବାର ହିସାବ ଦେଇଥିଲେ । ଆଜିର ଦିନରେ ବର୍ତ୍ତମାନର ନିର୍ବାଚନ ଘୋଘା ଭିତରେ ଟିକିଏ ଚୁପଚାପ ପ୍ରାର୍ଥୀମାନଙ୍କ ପ୍ରଚାରର ଢ଼ଙ୍ଗରଙ୍ଗ, ଚମକ ଓ ବିଶାଳ ସମର୍ଥକ, ଆୟୋଜନ ଏସବୁ ଚିନ୍ତା କଲେ ଭାବନ୍ତୁ ବାସ୍ତବରେ କେତେ ଟଙ୍କା ଖର୍ଚ୍ଚ ହେଉଥିବ? ନିର୍ବାଚନ କମିସନଙ୍କ ନିର୍ଦ୍ଧାରିତ ସର୍ବୋଚ୍ଚ ସୀମା ଭିତରେ ଯେ ଖର୍ଚ୍ଚ ସବୁ ହେଉଛି ଭାବି ହେଉଛି କି? ସହଜେ ତ ନିର୍ବାଚନ ଯେଉଁପରି ଏକ ମହଙ୍ଗା ବ୍ୟବସ୍ଥା ହୋଇଗଲାଣି ଏହାକୁ ଦେଖିଲେ ଖର୍ଚ୍ଚାନ୍ତ ପ୍ରକ୍ରିୟା ଆଉ ବିଜୟୀ ହୋଇଥିବା ପ୍ରତିନିଧି ମାନଙ୍କ ଖର୍ଚ୍ଚକୁ ଦେଖିଲେ ପ୍ରାୟତଃ ସେମାନେ କୋଟିପତି । ଏ କ୍ଷେତ୍ରରେ ଜଣେ ସ୍ୱକୀୟ କ୍ଷେତ୍ରରେ ଯେତେ ଆଦର୍ଶପୂର୍ଣ୍ଣ ଓ ପ୍ରତିଭାବାନ ହୋଇଥାନ୍ତୁ ନା କାହିଁକି ଜନସେବା ପାଇଁ ତାଙ୍କୁ ନିର୍ବାଚନ ଜିତିବା ବସ୍ତୁତଃ ଅସମ୍ଭବ । ଆଉ ସ୍ୱାଧୀନ ଭାବେ କେହି ନିର୍ବାଚିତ ହେବା ତ ଚିନ୍ତାର ବାହାରେ ।
କିଛି ଦିନ ତଳେ ଏକ ବଡ଼ ମହଲର ଯୁକ୍ତି ଉଠିଥିଲା ଯେ ସରକାର ନିର୍ବାଚନ ଖର୍ଚ୍ଚ ବହନ କରନ୍ତୁ । ଏ ଯୁକ୍ତିଟି ଅତ୍ୟନ୍ତ ଅବାନ୍ତର ଓ ବିଚିତ୍ର ମନେହୁଏ । ବର୍ତ୍ତମାନର ଖର୍ଚ୍ଚକୁ ଦେଖିଲେ ବିନା ସରକାରୀ ପୃଷ୍ଠପୋଷକତାରେ ପ୍ରାର୍ଥୀମାନେ ତ କୋଟି କୋଟି ଟଙ୍କା ପାଣିପରି ଖର୍ଚ୍ଚ କରିପାରୁଛନ୍ତି ଆଉ ସରକାର ଯଦି ଏହି ଖର୍ଚ୍ଚ ଦାୟିତ୍ୱ ନିଜେ ତୁଲାନ୍ତି ତାହାହେଲେ ଏକ ବିଶାଳକାୟ ଆର୍ଥିକ ବୋଝ ଟିକସଦାତାଙ୍କ ଉପରେ ହିଁ ପଡ଼ିବ । ତେଣୁ ଏହା ଅର୍ଥନୀତିରେ ନିଜ ଗୋଡ଼ରେ କୁରାଢ଼ି ମାରିବାପରି । ସେହିପରି ନିର୍ବାଚନ ପ୍ରକ୍ରିୟା ଭିତରେ ପ୍ରତି ସଂସଦୀୟ ଓ ବିଧାନସଭା କ୍ଷେତ୍ର ନିମିତ୍ତ ଜଣେ ଜଣେ ପର୍ଯ୍ୟବେକ୍ଷକ (ସାଧାରଣ ଓ ଖର୍ଚ୍ଚ) ରହୁଛନ୍ତି । ସାଧାରଣ ତଦାରଖ ସହ ଅନ୍ୟ ଜଣେ ଖର୍ଚ୍ଚ ତଦାରଖ ଦାୟିତ୍ୱରେ ଥିଲେ ମଧ୍ୟ ଯେଉଁପରି ଭାବରେ ଅପର୍ଯ୍ୟାପ୍ତ ଟଙ୍କା ଖର୍ଚ୍ଚ ହେଉଛି ଓ ଅନୈତିକତାକୁ ଅନେକ କ୍ଷେତ୍ରରେ ପ୍ରଶ୍ରୟ ଦିଆଯାଉଛି ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ସେମାନେ ସତର୍କତାର ସହ ନଜର ରଖୁଛନ୍ତି ତ? ନାମାଙ୍କନ ପତ୍ର ଦାଖଲ ଦିନ ଯେଉଁଭଳି ବିଶାଳକାୟ ଲମ୍ବାର୍ୟାଲିର ଆୟୋଜନ କରାଯାଇ ସାଧାରଣ ଲୋକଙ୍କ ଯାତାୟାତ ଏକପ୍ରକାର ଠପ କରିଦିଆଯାଇପାରୁଛି ସେଭଳି ଗୋଟିଏ ର୍ୟାଲି ପାଇଁ କେବଳ ସେହି ଦିନର ପ୍ରାର୍ଥୀ ଜଣଙ୍କ କେତେ ଟଙ୍କା ଖର୍ଚ୍ଚ କରିଥିବେ, ଚିନ୍ତା କରନ୍ତୁ ତ? ଗାଡ଼ି, ପେଟ୍ରୋଲ, ଖାଦ୍ୟ ପାନୀୟ ଅନ୍ୟାନ୍ୟ ଆନଷଙ୍ଗିକ ଖର୍ଚ୍ଚକୁ ମିଶାଇଲେ ଲକ୍ଷ ଯେ କେତେ ଛୁଇଁବ ଭାବିବା ମୁସ୍କିଲ । ନିର୍ବାଚନ ତ ସହଯେ ପ୍ରମାଣିତ କରିଦେଲାଣି ପ୍ରଚୁର ଧନବଳ ସହ ଆଉ ବାହୁବଳ ମଧ୍ୟ ଜିତାପଟ ପାଇଁ ଦରକାର ପଡ଼ୁଛି । ସେହିପରି ଅନେକ ମତଦାତା ନିଜ ଆଦର୍ଶ ଓ ମୂଲ୍ୟବୋଧକୁ ଭୁଲିଯାଉଛନ୍ତି କିଛି ମାଗଣା ତକ୍ରାଳୀକ ପ୍ରଲୋଭନ ପଛରେ । ଅଯୋଗ୍ୟ, ଦଳ ଅସନ୍ତୁଷ୍ଟ, ତୃଣମୂଳରୁ କର୍ମୀ ମାନଙ୍କ ବିମୁଖ ହୋଇ ବି ହାଇକମାଣ୍ଡ ସନ୍ତୁଷ୍ଟି କରଣରେ ଟିକେଟ ହାତେଇ ଯେନତେନ ଭାବେ ନିର୍ବାଚନ ବ୍ୟବସାୟରେ ବେଶ ସଫଳ ହୋଇ ଲୋକ ପ୍ରତିନିଧି ହୋଇଯିବା ପରେ ଆମର ବିକାଶ ନାହିଁ, ରାସ୍ତା ନାହିଁ, ପାଣି ନାହିଁ, କାମଧନ୍ଦା ନାହିଁ, ଚିକିତ୍ସା ସେବା ନାହିଁ, ରୋଜଗାର ନାହିଁ କହି ଆଉ ଚିକ୍ରାର କରିବାର ଔଚିତ୍ୟ ରହିବ କି? ସେହିପରି ଅନେକ ସମୟରେ ପ୍ରଶ୍ନଟିଏ ବି ଉଠେ ଯେ ସମାଜର ଉନ୍ନତିକଳ୍ପେ ସର୍ବଦା ଚିନ୍ତାଶୀଳ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ସାମାଜିକ ଅନୁଷ୍ଠାନ ବା ସଙ୍ଗଠନ ଚାପ ପ୍ରୟୋଗ କରିପାରୁଥିବା ଗୋଷ୍ଠୀ ଆଉ ନିର୍ବାଚନ ଉପରେ ଟିକିନିଖ ସତର୍କ ଦୃଷ୍ଟି ରଖିଥିବା ବ୍ୟକ୍ତିସମୂହ ଅନେକ ସମୟରେ ନିଜକୁ ବିବୃତି ଭିତରେ ରଖିବାକୁ ଚେଷ୍ଟା କରିଥାନ୍ତି । ଠିକଣା ସମୟରେ ମତଦାତାଙ୍କୁ ଜାଗ୍ରତ କରିବାର ଭୂମିକା ସେମାନଙ୍କ ଭିତରେ ପ୍ରାୟତଃ ନଥାଏ ।
ବର୍ତ୍ତମାନର ସାଧାରଣ ଓ କିଛି ବିଧାନସଭା ନିର୍ବାଚନର ପୂର୍ବରୁ ନିର୍ବାଚନ ବଣ୍ଡ ମାମଲା ହଇଚଇ ସୃଷ୍ଟି କରିଥିଲା । ବାସ୍ତବ କଥାଟି ହେଉଛି ୨୦୧୮ ନିର୍ବାଚନ ବଣ୍ଡ ଆସିଲା ଷ୍ଟେଟବ୍ୟାଙ୍କ ଜରିଆରେ । ରାଜନୈତିକ ଦଳଙ୍କୁ ଚାନ୍ଦା ଦେବାକୁ ଚାହୁଁଥିବା ବ୍ୟକ୍ତି ବା ସଂସ୍ଥା ୧ ହଜାର, ୧୦ ହଜାର, ୧ଲକ୍ଷ, ୧୦ ଲକ୍ଷ ବା ୧ କୋଟି ବଣ୍ଡ କିଣି ନିର୍ଦ୍ଦିଷ୍ଟ ଦଳକୁ ଚାନ୍ଦା ଦେଇପାରିବେ, ଏହି ବ୍ୟବସ୍ଥାଟି ରହିଥିଲା । ସେହିପରି ମାର୍ଚ୍ଚ ୨୦୧୮ରୁ ଜୁଲାଇ ୨୦୨୩ ଭିତରେ ସର୍ବନିମ୍ନ ଅଙ୍କିତ ମୂଲ୍ୟ ଅର୍ଥାତ୍ ୧ ହଜାର ଟଙ୍କିଆ ବଣ୍ଡ କ୍ରୟ ହୋଇଥିଲା ମାତ୍ର ୯୯ଟି । ୧୦ ହଜାର ଟଙ୍କିଆ ମାତ୍ର ୨୦୮ଟି, ୧ଲକ୍ଷ ଟଙ୍କିଆ ୩୦୮୮ଟି, ୧୦ ଲକ୍ଷ ଟଙ୍କିଆ ୭୬୧୮ଟି । କିନ୍ତୁ ୧କୋଟି ଟଙ୍କାର ବଣ୍ଡ ବିକ୍ରି ହୋଇଛି ସର୍ବାଧିକ ୧୨ ହଜାର ୯୯୯ଟି । କୋଟିଏ ଟଙ୍କା ଦେଇ ଗୋଟିଏ ବଣ୍ଡ କିଏ କିଣିପାରିବ? ଏହି ତଥ୍ୟ ଅନୁଯାୟୀ ଭାରତର ସବୁ ରାଜନୈତିକ ଦଳ ଚାନ୍ଦା ପାଇଛନ୍ତି । ଏତେ ଟଙ୍କା କେବଳ ବିଭିନ୍ନ ଉଦ୍ୟୋଗ ପ୍ରତିଷ୍ଠାନ ଓ ଶିଳ୍ପ ବାଣିଜି୍ୟକ ସଂସ୍ଥାମାନେ ଦେଇଥାନ୍ତି । କିନ୍ତୁ ସେମାନେ କାହିଁକି ଦେଇଥାନ୍ତି ସେ ଉତ୍ତର କିଛି ନାହିଁ । ମାନ୍ୟବର ସୁପ୍ରିମକୋର୍ଟ ଏହା ଉପରେ ବିସ୍ତୃତ ତଥ୍ୟ ଦେବାକୁ ଷ୍ଟେଟବ୍ୟାଙ୍କ ଓ ନିର୍ବାଚନ କମିସନଙ୍କୁ ନିଦେ୍ର୍ଦଶ ଦେବାପରେ ଅନେକ ପ୍ରସଙ୍ଗ ସବୁ ଗଣମାଧ୍ୟମରେ ଆଲୋଚନା ହେଉଛି । ତେବେ ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସୂଚନା ଅଧିକାର ଆଇନ ପରିସର ଭିତରକୁ ରାଜନୈତିକ ଦଳ ଗୁଡ଼ିକ ଅନ୍ତର୍ଭୁକ୍ତ ହେବାପାଇଁ କାହିଁକି ଇଚ୍ଛୁକ ନାହାଁନ୍ତି? ନିରପେକ୍ଷ ଓ ମୁକ୍ତ ନିର୍ବାଚନ ଭିତରେ କିଛି ସତ୍ୟକୁ ଲୁଚାଇବା ପାଇଁ ପଡ଼ୁଛି କି? ଗଣତନ୍ତ୍ରର କେବଳ ଅସଲ ମୂଲ୍ୟବୋଧ ନୁହେଁ ଏହାର ମୂଳପିଣ୍ଡ ହେଉଛି ନିର୍ବାଚନ ଯାହାର ସ୍ୱଚ୍ଛତା ଓ ନିରପେକ୍ଷତା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ତେବେ ଆଶ୍ଚର୍ଯ୍ୟର କଥା ନିର୍ବାଚନଟି କେବଳ ଏକ ଔପଚାରିକତା ଭିତରେ ସୀମିତ ହୋଇଯାଉଛି । ନିର୍ବାଚନ ପୂର୍ବରୁ ଯେଉଁପରି ଦଳଡିଅାଁମାନେ ପୁରସ୍କୃ୍ତ ହୋଇ ନୂଆ ଦଳରେ ନୂଆ ଭୂମିକାରେ ମତଦାତାଙ୍କ ସାମ୍ନାରେ ସେମାନେ ସିନା ଏ ଘର ମାଉସୀ ସେ ଘର ପିଉସୀ ହୋଇପାରୁଛନ୍ତି କିନ୍ତୁ ବଡ଼ ଅବସୋସ ଯେ ଏହିପରି ଆୟାରାମ ଗୟାରାମ ମାନଙ୍କ ପାଖରେ ନାଁ ଥାଏ ଦଳୀୟ ଶୃଙ୍ଖଳା, ସମର୍ପଣ, ଆଦର୍ଶ ନାଁ ନୀତି ନାଁ ନୈତିକତା । ସଚେତନବର୍ଗ ନିଜକୁ ଏହି ଗଣତନ୍ତ୍ରର ବଡ଼ ପାର୍ବଣରେ ସାମିଲ ହେବାଠୁ ନିଜକୁ ଦୂରେଇ ନେଲେଣି । ପରିବର୍ତ୍ତନ ତ ନିଶ୍ଚିନ୍ତ ଜରୁରି ଆଉ ଅଯଥାର୍ଥ ହେବ କେବଳ ଔପଚାରିତାକୁ ସମର୍ଥନ ଦେବା ।
ମୋ : ୯୪୩୭୦୦୪୪୬୬