ମୋବାଇଲ୍ ଚୋରି ଅଭିଯୋଗରେ ୨ ଗିରଫ

 କଟକ: ଗାଡି ଅଟକାଇ ମୋବାଇଲ ଛଡାଇବା ଅଭିଯୋଗରେ ସିଆରଆରଆଇ ଥାନା ପୁଲିସ ୨ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ସିଆରଆରଆଇ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ଛକସାହି ଅଞ୍ଚଳର ଜଗା ଓରଫ୍ ଦେବାଶିଷ ମହାରଣା (୨୪) ଓ ସିଆରଆରଆଇ ଥାନା ନେହେରୁପଲ୍ଲୀ ବଡସାହି ଅଞ୍ଚଳର ଗଗର ଓରଫ ସାଗର ବିଶ୍ୱାଳ । ସେମାନଙ୍କ ନିକଟରୁ ପୁଲିସ ୪ଟି ମୋବାଇଲ ଜବତ କରିଛି । ସୂଚନାଯୋଗ୍ୟ, ସିଆରଆରଆଇ ଥାନା ଗତିରାଉତପାଟଣା ଅଞ୍ଚଳର ସଂଜୟ କୁମାର ରାଉତ (୪୦) ଗତ ୨୧ ତାରିଖରେ ସିଆରଆରଆଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ, ୨୧ ତାରିଖ ରାତି ପ୍ରାୟ ୧୧ଟାବେଳେ ସେ ଘରକୁ ଫେରିଲାବେଳେ ବିଦ୍ୟାଧରପୁର ପୁରୁଣା ଏସବିଆଇ ନିକଟରେ ୨ଜଣ ଯୁବକ ବିଦ୍ୟାଧରପୁରର ଜଗା ମହାରଣା ଓ ନେହେରୁପଲ୍ଲୀର ସାଗର ବିଶ୍ୱାଳ ତାଙ୍କୁ ଅଟକାଇ ଥିଲେ । ହଠାତ୍ ଜଗା ତାଙ୍କୁ ଠେଲି ଦେଇଥିଲା ଏବଂ ସାଗର ବିଶ୍ୱାଳ ତାଙ୍କଠୁ ସ୍ୟାମସଙ୍ଗ ମୋବାଇଲ ଫୋନ ଛଡାଇ ନେଇ ଉଭୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠୁ ୪ଟି ମୋବାଇଲ ଜବତ କରିଥିଲା । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତ ସାଗର ବିଶ୍ୱାଳ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।