ମୋହନଙ୍କ କଥା ରଖିଲେ ଅଶ୍ୱିନୀ : ଓଡ଼ିଶାରେ ହେବ ୯୨ ରେଳ ଓଭରବ୍ରିଜ୍
- ସବୁ ଖର୍ଚ୍ଚ ବହନ କରିବ ରେଳ ବିଭାଗ
- ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ
ଭୁବନେଶ୍ୱର : ଓଡିଶାରେ ୯୨ ରେଳ ଓଭରବ୍ରିଜ୍ର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ । ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ଆବଶ୍ୟକ ଅନୁମୋଦନ କରିଛନ୍ତି ।
ସୂଚନାଯୋଗ୍ୟଯେ, ପୂର୍ବରୁ ଉଭୟ ରେଳ ମନ୍ତ୍ରାଳୟ ଓ ରାଜ୍ୟ ସରକାର ଏହି ରେଳ ଓଭରବ୍ରିଜ୍ଗୁଡିକୁ ୫୦-୫୦ ଅନୁପାତରେ ଖର୍ଚ୍ଚ କରିବେ ବୋଲି ସ୍ଥିର ହୋଇଥିଲା । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଖର୍ଚ୍ଚ ସମ୍ପୂର୍ଣ୍ଣ ଭାବେ ରେଳ ମନ୍ତ୍ରାଳୟ ବହନ କରିବାକୁ ଅନୁରୋଧ କରାଯାଇଥିଲା । ରାଜ୍ୟ ସରକାରଙ୍କ ଅନୁରୋଧ ରକ୍ଷା କରି କେନ୍ଦ୍ର ରେଳ ମନ୍ତ୍ରାଳୟ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣ ହେବାକୁ ଥିବା ୯୨ ରେଳ ଓଭର ବ୍ରିଜ୍ର ସମ୍ପୂର୍ଣ୍ଣ ନିର୍ମାଣ ଖର୍ଚ୍ଚ ବହନ କରିବେ ବୋଲି ପତ୍ର ମାଧ୍ୟମରେ ଜଣାଇଛନ୍ତି ।
ଓଡିଶାର ଭିତ୍ତିଭୂମି ବିକାଶ ପ୍ରତି କେନ୍ଦ୍ର ସରକାରଙ୍କ ଏହି ସହୃଦୟତାପୂର୍ଣ୍ଣ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓଡିଶାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସବୁ ସମୟରେ ଓଡିଶାର ବିକାଶ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି । ରେଳପଥ, ସଡକପଥ, ବନ୍ଦର ଓ ବିମାନ ଭିତ୍ତିଭୂମି ସହିତ ଓଡିଶାରେ ଶିଳ୍ପର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଓଡିଶାକୁ ସର୍ବାଧିକ ଗୁରୁତ୍ୱ ଦେଇ ଆସିଛନ୍ତି । ଓଡିଶାବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏହି ଶ୍ରଦ୍ଧା ଓଡିଶାର ବିକାଶକୁ ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।