ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର : ରାଜ୍ୟରେ ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର ଠିକ୍ ଠାକ୍ ଚାଲିଥିବାରୁ ଏବଂ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ଚାଷୀ ଆକାଉଣ୍ଟକୁ ପଇସା ଆସୁଥିବାରୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ ଚାଷୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସ ଭବନରେ ଧନ୍ୟବାଦ ଜଣାଇଛନ୍ତି । ଚାଷୀମାନେ ସେମାନଙ୍କ ନିଜ ଜମିରେ ଚାଷ କରିଥିବା ବିଭିନ୍ନ ପ୍ରକାରର ପରିବା ମନ୍ତ୍ରୀଙ୍କୁ ପ୍ରଦାନ କରିବା ସହିତ ଚାଷର ସନ୍ତକ ହଳ ଲଙ୍ଗଳ ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ । ଏହା ସହିତ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ କହିଥିଲେ କି, ନବୀନ ପଟ୍ଟନାୟକଙ୍କ ୨୪ବର୍ଷ ଧରି ଶାସନରେ ଚାଷୀମାନେ ଶୋଷଣର ଶିକାର ହେଉଥିଲେ । ହେଲେ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର ୮ ମାସ ଶାସନ କାଳରେ ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଛନ୍ତି । ଓଡିଶାର ଚାଷୀଙ୍କୁ ବିଶ୍ୱାସଘାତକତା କରିଥିଲେ ନବୀନ, ଚାଷୀମାନଙ୍କ ମନରେ ଆଶାର ସଂଚାର କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତୃବୃନ୍ଦ ଓ ଶତାଧିକ ଚାଷୀ ସାମିଲ ହୋଇଥିଲେ ।