ଚାଲିଛ ତିନି ରଥ ପ୍ରଭାରେ ରୂପଖୋଦେଇ

 ପୁରୀ :  ରଥଖଳାରେ ଚାଲିଛି ରଥ ନିର୍ମାଣ । ୫୨ତମ ଦିବସରେ ରଥ ନିର୍ମାଣକାରୀ ସେବକମାନେ ରଥ ଖଳା ଠାରେ ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ କରିଥିଲେ । ଏଥିସହ ୪୬ଜଣ ଚିତ୍ରକାର ୩ରଥର ରଂଗ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତିନି ରଥର ପ୍ରଭା ଫ୍ରେମ୍ ନିର୍ମାଣ ଶେଷ ହେବା ସହ ତିନି ରଥ ଦୂଆର ବେଢା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚôଛି । ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ତିନି ରଥର ସିଂହାସନ ବେଦୀ ଉପରେ ପ୍ରଥମ ଭୂଇଁ ଉପର ମଧ୍ୟ ଭାଗରେ କନକମୁଣ୍ଡି ବସି କନକମୁଣ୍ଡିରୁ ଚାରିଗୋଟି କାଣ୍ଡ ଏବଂ ୨୦ଗୋଟି ରୁଅ ଗମ୍ଭୁଜାକାର ଭାବେ ସେଟିଂ କରାଯାଇଛି । ସେଥିରେ ପିଞ୍ଚଳ ଚଦର ଆବରଣ କରାଯିବ । ତିନି ରଥର ମହାରଣା ସେବକମାନେ ରଥରେ ସ୍ଥାପନ ପାଇଁ ଗୋଟିଏ ଗୋଟିଏ ବିଜେ ଚକା ନିର୍ମାର ଶେଷ କରିଛନ୍ତି । ପରମ୍ପରା ଅନୁସାରେ ତିନି ରଥ ସିଂହଦ୍ୱାର ନିକଟରେ ଲାଗିବା ପରେ ରଥ ନିର୍ମାଣର ଶେଷ ପର୍ବ ଭାବେ ବେଦୀରେ ଚକା ସଂଯୋଗ କରି ତିନି ରଥର ମୁଖ୍ୟ ମହାରଣା ସେବକମାନେ ହରିବୋଲ ଡ଼ାକଦେଇ ରଥ ନିର୍ମାଣ ସାଙ୍ଗ କରିବେ । ତିନି ରଥର ବାରଗୋଟି ଦୁଆର ବେଢାରୁ ନଅ ଗୋଟି ଦୁଆର ବେଢାର ନିର୍ମାଣ ଶେଷ ହୋଇଛି । ବାକି ରହିଥିବା ତିନି ରଥ ଗୋଟିଏ ଗୋଟିଏ ଦୁଆର ବେଢା ନିର୍ମାଣ ଶେଷ ପରେ ଚିତ୍ରକାରମାନେ ତିନି ରଥ ଚାରୋଟି ଲେଖାଏଁ ଦୁଆରବେଢାରେ ଧଳା ପ୍ରାଇମର ଦେବା ଶେଷ କରିଛନ୍ତି ।
ସେଥିରେ ଚିତ୍ରକାରମାନେ ରାହୁ ମୁଣ୍ଡ ସହ ଛାୟା, ମାୟା ଚିତ୍ର ଅଙ୍କନ ପରେ ରଥକୁ ଉଠି ସଂଯୋଗ କରାଯିବ ଏହି ଦୁଆରବେଢା । ମୁଖ୍ୟ ରୂପକାର ସେବକମାନେ ଅନୁକୂଳ ପୂଜା ପୂର୍ବକ ନଡ଼ିଆ ବାଡ଼େଇ ତିନି ରଥ ପ୍ରଭାରେ ରୂପଖୋଦେଇ ଚିତ୍ର ଅଙ୍କନ ପୂର୍ବକ ସହଯୋଗୀ ରୂପକାର ସେବକମାନେ ମିଶି ପ୍ରଭାରେ ରୂପ ଖୋଦେଇ କରୁଛନ୍ତି । ତିନି ରଥ ପ୍ରଭା ଉପରେ ରାହୁ ବା କର୍ତ୍ତି ମୁଖ ଦୁଇ ହାତରେ ଦୁଇଟି ଛୁରୀ ଧରିଥିବା ଚିତ୍ର, ବାଙ୍କରେ ଡାଳି ଲତା ଏବଂ ତଳ ଭାଗ ଦୁଇପାଶ୍ୱର୍ରେ ମଗରମୁଖ ରୂପ ଇତ୍ୟାଦିର ଖୋଦେଇ କାର୍ଯ୍ୟ କରାଯାଉଛି । ତିନି ରଥ ମହାରଣା ସେବକମାନେ ତିନି ରଥର ପ୍ରଭା ଫିଟିଂ ପାଇଁ ବେଦୀ ପଛଭାଗ ଚଉଦନାହାକାରେ ଦୁଇଟି ଲେଖାଏଁ ଧୂଳି ଦଣ୍ଡା ଫିଟିଂ କାର୍ଯ୍ୟ ଶେଷ କରିଛନ୍ତି । ତିନି ରଥର ଦୁଇଟି ଲେଖାଏଁ ୨୦ଫୁଟିଆ ୮ ଆଂଶୀ ଘୋଡା ଇଶ ନିର୍ମାଣ ସହ ସେଥିରେ ଦୁଇଟି ଲେଖାଏଁ ବିନ୍ଧ କରିଛନ୍ତି । ତିନି ରଥର ଦୁଇଟି ଲେଖାଏଁ ୨୦ଫୁଟିଆ ସାଙ୍ଗି ନିର୍ମାଣ ଶେଷହୋଇଛି । ଏହି ସାଙ୍ଗି ଦ୍ୱାରା ରଥ ଦଉଡ଼ି ଠାରୁ ଆରମ୍ଭ କରି ଆବଶ୍ୟକ ଜିନିଷ ରଥ ନିକଟକୁ ନେବା ଆଣିବାରେ ସହାୟକ ଦୃଷ୍ଟିରୁ ଏହା ଭୋଇ ସେବକମାନଙ୍କ ପାଇଁ ନିର୍ମାଣ କରାଯାଇଛି । ଚିତ୍ରକାର ସେବକମାନେ ତିନି ରଥର ୧୨ଟି ଦୁଆର ବେଢାରେ ଚିତ୍ର ଅଙ୍କନ ପାଇଁ ପ୍ରାଇମର ଦେବା ସହ ତିନି ରଥର ଘୋଡା, ସାରଥୀମାନଙ୍କର ରଂଗ କାର୍ଯ୍ୟ ସହପାଶ୍ୱର୍ ଦେବଦେବୀ, କଳସ, ହଂସପଟା, ନାଟଗୋଟ, ତିନିରଥର ବାହ୍ୟପାଶ୍ୱର୍ର ରଙ୍ଗକାର୍ଯ୍ୟ ଜାରୀ ରଖିଛନ୍ତି । ଦରଜୀ ସେବକମାନେ ତିନି ରଥର ବତା କନାରେ ଲେସ୍ଫିଟିଂ କାର୍ଯ୍ୟ ଶେଷ କରି ୧୨ଗୋଟି ଦୁଆର ବେଢା ପାଇଁ  କଟିଂ କନାରେ ଜରି ଲେସ୍, ଚାନ୍ଦି ଜରିରେ ଫୁଲଡ଼ାଳି ପକା କାର୍ଯ୍ୟ ଶେଷ କରିଛନ୍ତି । ଏଥିସହ ଶ୍ରୀ ବିଗ୍ରହଙ୍କ ତିନିଗୋଟି ବିଜେ ଚକା ପଟି ପ୍ରସ୍ତୁତ କରିଛନ୍ତି । ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଧୁଳି ଦଣ୍ଡା କଣ୍ଟା ଶେଷ କରି ତିନି ରଥର ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଏବଂ ଧ୍ୱଜବତା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।