ଯକୃତ ଦାନ ଓ ପ୍ରତିରୋପଣ
ଡା.ଉମେଶ ଚନ୍ଦ୍ର ପାତ୍ର : ଲିଭର ବା ଯକୃତ ଶରୀରର ସବୁଠାରୁ ବଡ ଗ୍ରନ୍ଥି । ଏହା ପାଚନ ପ୍ରକ୍ରିୟାରେ ସହାୟକ ଏକାଧିକ ପାଚନ ରସ ସୃଷ୍ଟି କରେ । ଏହା ଶରୀରକୁ ବିଷମୁକ୍ତ ବା ଡିଟକ୍ସିଫିକେସନ କରିଥାଏ । ଖାଦ୍ୟ, ଔଷଧ ଓ ବିଭିନ୍ନ ହରମୋନ୍ ଇତ୍ୟାଦି ଯକୃତରେ ହଜମ ହୋଇଥାଏ । ଯକୃତ ପିତ୍ତରସ କ୍ଷରଣ କରେ ଯାହା ଚର୍ବି ଓ ଭିଟାମିନ୍ ହଜମରେ ସାହାଯ୍ୟ କରେ । ଶରୀରର ସମସ୍ତ ପ୍ରୋଟିନ୍ ଯକୃତରେ ତିଆରି ହୁଏ । ରୋଗ ପ୍ରତିରୋଧ ଶକ୍ତି ନିୟନ୍ତ୍ରଣରେ ଯକୃତର ପ୍ରମୁଖ ଭୂମିକା ରହିଛି । ବର୍ତ୍ତମାନ ଯକୃତ ସମ୍ପୃକ୍ତ ରୋଗ ଦୃତ ଗତିରେ ବୃଦ୍ଧି ପାଉଛି । ଅତ୍ୟଧିକ ମଦ୍ୟପାନ, ହେପାଟାଇଟିସ୍ ବି ଓ ସି ସଂକ୍ରମଣ, ଲିଭର ଶିରା-ପ୍ରିଶିରାରେ ରକ୍ତ ସଞ୍ଚାଳନ ରୁଦ୍ଧ ହେବା, ଫେଟି ଲିଭର ରୋଗ, ବିଲିଆରୀ ସିରୋସିସ୍, ସ୍କ୍ଲେରୋଜିଂ କୋଲାଞ୍ଜାଇଟିସ୍, ଜନ୍ମଗତ ଲିଭର ରୋଗ, ଅଟୋଇମୁ୍ୟନ୍ ଲିଭର ସଂକ୍ରମଣ, ବିଲିୟାରୀ ଏଟ୍ରେସିଆ, ହେପାଟୋବ୍ଲାଷ୍ଟୋମା ଓ ଲିଭର କ୍ୟାନସର ଇତ୍ୟାଦି ଲିଭର ରୋଗର ମୁଖ୍ୟ କାରଣ । ଏହିସବୁ ରୋଗରେ ଆକ୍ରାନ୍ତ ହୋଇ ଯେତେବେଳେ ଯକୃତ ଅକର୍ମଣ୍ୟ ହୋଇଯାଏ ବା ଲିଭର ତାର ନିଜସ୍ୱ କର୍ମ କରିବାରେ ଅସଫଳ ହୁଏ ସେତେବେଳେ ଲିଭର ପ୍ରତିରୋପଣ ଆବଶ୍ୟକ ହୋଇଥାଏ । ବିଭିନ୍ନ ଔଷଧ ମାଧ୍ୟମରେ ଚିକିତ୍ସା କଲେ ମଧ୍ୟ ସମ୍ପୂର୍ଣ୍ଣ ଆରୋଗ୍ୟ ନିମିତ୍ତ ଲିଭର ପ୍ରତିରୋପଣ ନିହାତି ଆବଶ୍ୟକ । ଲିଭର ସିରୋସିସ୍, ଲିଭର କ୍ୟାନସର ଓ ଲିଭର ଫେଲୁଓର୍ ଇତ୍ୟାଦି ରୋଗର ଆରୋଗ୍ୟ ନିମିତ୍ତ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତିରୋପଣ ଏକାନ୍ତ ଆବଶ୍ୟକ ।
ଲିଭର ପ୍ରତିରୋପଣ ହେଉଛି ଏକ ରୋଗାକ୍ରାନ୍ତ ଲିଭରକୁ ରୋଗୀର ଶରୀରରୁ ବାହାର କରି ସେହି ସ୍ଥାନରେ ଏକ ସୁସ୍ଥ ଲିଭର ବା ତାହାର କିଛି ଅଂଶକୁ ଏକ ଜଟିଳ ଅସ୍ତ୍ରୋପଚାର ମାଧ୍ୟମରେ ରଖିବାର ପଦ୍ଧତି । ସମ୍ପୂର୍ଣ୍ଣ ଯକୃତ ବା ତାହାର ଅଦେ୍ର୍ଧକ ଅଂଶକୁ ଏକ ବ୍ରେନ ଡ଼େଡ୍ ବା ସୁସ୍ଥ ବ୍ୟକ୍ତି ଦେହରୁ ଅସ୍ତ୍ରୋପଚାର ମାଧ୍ୟମରେ ଆଣି ରୋଗୀର ଶରୀରରେ ରଖିବାର ପଦ୍ଧତିକୁ ଲିଭର ଟ୍ରାନ୍ସପ୍ଳାଣ୍ଟ କୁହାଯାଏ । ଏହି ପ୍ରତିରୋପଣ ହେଉଛି ଏକ ଜୀବନ ରକ୍ଷାକାରୀ ଚିକିତ୍ସା ପଦ୍ଧତି ଯାହା ରୋଗୀକୁ ଏକ ନୂତନ ଜୀବନ ପ୍ରଦାନ କରିଥାଏ । ଆକସ୍ମିକ ଦୁର୍ଘଟଣାରୁ ଯେଉଁ ବ୍ୟକ୍ତିମାନେ ବ୍ରେନ୍ ଡେଡ୍ ହୋଇଯାନ୍ତି ସେମାନଙ୍କର ଶରୀରରୁ ସୁସ୍ଥ ଲିଭର, କିଡ୍ନୀ, ଫୁସ୍ଫସ୍, କର୍ଣ୍ଣିଆ ଓ ଖାଦ୍ୟନଳୀ ବାହାର କରି ରୋଗୀମାନଙ୍କ ଶରୀରରେ ରଖାଯାଏ, ଯାହାକୁ ମୃତ ଡୋନର ଟ୍ରାନ୍ସପ୍ଲାଣ୍ଟ କୁହାଯାଏ । ଯେତେବେଳେ ସୁସ୍ଥ ବ୍ୟକ୍ତି ତାଙ୍କର ଅଦେ୍ର୍ଧକ ଲିଭର ତାଙ୍କର ସମ୍ପର୍କୀୟ ରୋଗୀମାନଙ୍କୁ ଦାନ କରନ୍ତି ସେ କ୍ଷେତ୍ରରେ ଜୀବନ୍ତ ଡୋନର୍ ଟ୍ରାନ୍ସପ୍ଲାଣ୍ଟ କୁହାଯାଏ । ଲିଭର ହେଉଛି ଶରୀରର ଏକମାତ୍ର ଗ୍ରନ୍ଥି ଯାହାର ଅସାଧାରଣ ରିଜେନେରେଟିଭ (ବୃଦ୍ଧି) ଶକ୍ତି ରହିଛି । ସେଥିପାଇଁ ଅଦେ୍ର୍ଧକ ଲିଭର ଯାହା ଦାନ କରାଯାଏ ତାହା ୧-୨ ମାସ ମଧ୍ୟରେ ଉଭୟ ଗ୍ରହୀତା ଓ ଦାତାଙ୍କ ଶରୀରରେ ବୃଦ୍ଧି ପାଇ ସାଧାରଣ କର୍ମଦକ୍ଷତାକୁ ଫେରି ଆସେ ।
ଯକୃତର ପରିମାଣ ମାପିବା ପାଇଁ ବିଭିନ୍ନ ପ୍ରକାର ଏମ୍.ଆର୍.ଆଇ ପରୀକ୍ଷା କରାଯାଏ । ତାହା ସହିତ ଗ୍ରହୀତାର ମାନସିକ, ଆର୍ଥିକ ଓ ସାମାଜିକ ଅବସ୍ଥାକୁ ମାନସିକ ବିଶେଷଜ୍ଞମାନେ ଅନୁଧ୍ୟାନ କରନ୍ତି । ଯଦି କୌଣସି ବ୍ୟକ୍ତିର ଜୀବାଣୁ ସଂକ୍ରମଣ, ହୃତ୍ପିଣ୍ଡ, କିଡ୍ନୀ, ଫୁସ୍ଫୁସ. ବୃକକ୍ର ରୋଗ ବା କ୍ୟାନସର ଇତ୍ୟାଦି ରୋଗ ଥାଏ ସେମାନେ ପ୍ରତିରୋପଣ ପାଇଁ ଉପଯୁକ୍ତ ହୁଅନ୍ତି ନାହିଁ । ଯେଉଁ ରୋଗୀମାନେ ମଦ୍ୟପାନ କରନ୍ତି ଅନ୍ତତଃ ୬ ମାସ ସେମାନେ ମଦ୍ୟପାନରୁ ନିବୃତ୍ତ ହେବା ଆବଶ୍ୟକ । ଉଭୟ ଦାତା ଓ ଗ୍ରହୀତାଙ୍କର ଏକ ସାଙ୍ଗରେ ୨ଟି ଟେବୁଲରେ ଅସ୍ତ୍ରୋପଚାର କରାଯାଏ । ଅସ୍ତ୍ରୋପଚାର କକ୍ଷରେ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଦାତାଙ୍କ ଦେହରୁ ଯକୃତର ଅଦେ୍ର୍ଧକ ଅଂଶ କାଟି ବାହାର କରନ୍ତି । ତାପରେ ନୂଆ ଲିଭର ଆସିଲେ ରୋଗୀର ଦେହରେ ତାହା ରଖି ତାର ରକ୍ତ ନଳୀ, ପିତ୍ତନଳୀ ଓ ଅନ୍ୟାନ୍ୟ ରକ୍ତ ଶିରା ସହିତ ଯୋଗାଯୋଗ ରକ୍ଷା କରନ୍ତି । ଅପରେସନ୍ ପରେ ରୋଗୀ ସାଧାରଣତଃ ୧ ସପ୍ତାହ ଆଇ.ସି.ୟୁ.ରେ ୨୪ ଘଣ୍ଟା ପରୀକ୍ଷା ନିରୀକ୍ଷା ଭିତରେ ରହେ । ଧୀରେ ଧୀରେ ରୋଗୀ ଭେଣ୍ଟିଲେଟରରୁ ବାହାରି ଆସେ ଓ ଆରୋଗ୍ୟ ଲାଭ କରେ । ଲିଭର ପ୍ରତିରୋପଣ ଏକ ଜଟିଳ ଚିକିତ୍ସା ପଦ୍ଧତି । ପ୍ରତିରୋପଣ ପରେ ରୋଗୀର ହୁଏତ ସଂକ୍ରମଣ, ରକ୍ତକ୍ଷରଣ, ପିତ୍ତ ଲିକ୍, ଶିରାରେ ରକ୍ତ ପ୍ରବାହିତ ନହେବା ବା ରିଜେକ୍ସନ୍ ଇତ୍ୟାଦି କମ୍ପ୍ଲିକେସନ୍ ହୋଇପାରେ । କିନ୍ତୁ ଠିକ୍ ସମୟରେ ଚିକିତ୍ସା କଲେ ସାଧାରଣତଃ ଅନ୍ତତଃ ୯୦ ଶତାଂଶ ରୋଗୀ ୧ ବର୍ଷ ଓ ୭୫ ଶତାଂଶ ରୋଗୀ ୧୦ ବର୍ଷ ପର୍ଯ୍ୟନ୍ତ ସୁସ୍ଥ ଜୀବନଯାପନ କରନ୍ତି । ଏହି ଚିକିତ୍ସା ଭାରତବର୍ଷର କତିପୟ କର୍ପୋରେଟ୍ ହସ୍ପିଟାଲରେ ଉପଲବ୍ଧ ହୋଇଛି । ଓଡ଼ିଶାର ମହାମହିମ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବ୍ୟୟବହୁଳ ଓ ଜଟିଳ ଚିକିତ୍ସା ପଦ୍ଧତିକୁ ଓଡ଼ିଶାରେ ନିଃଶୁକ୍ଳ ଉପଲବ୍ଧ କରିବା ପାଇଁ ସତତ ପ୍ରଚେଷ୍ଟାରେ ଅଛନ୍ତି । ଉଭୟ ଦାତା ଓ ଗ୍ରହୀତା ଏହି ଟ୍ରାନସ୍ପ୍ଲାଣ୍ଟ ମାଧ୍ୟମରେ ସୁସ୍ଥ ଜୀବନଯାପନ କରୁଛନ୍ତି ।
ମୋ: ୯୪୩୭୦୫୧୯୫୭