କୋଚିଂ ସେଣ୍ଟର ଦୁଃଖ


ବର୍ତ୍ତମାନ ସମଗ୍ର ଦେଶରେ ଉଚ୍ଚଶିକ୍ଷିତ ଛାତ୍ରଛାତ୍ରୀମାନେ ସିଭିଲ୍ ସର୍ଭିସ୍, ନିଟ୍, ଆଇଆଇଟି, ଜେଇଇ ଭଳି ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ରାଜସ୍ଥାନର କୋଟା ସହରକୁ ଯିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ସମଗ୍ର ଦେଶରେ କୋଟା ହେଉଛି ଏକମାତ୍ର ସହର ଯେଉଁଠାରେ ସର୍ବଭାରତୀୟ ସ୍ତରର ସବୁ ପରୀକ୍ଷା ପାଇଁ ଅନେକ କୋଚିଂ ସେଣ୍ଟର ଅଛି । ହେଲେ ଏହି କୋଚିଂ ସେଣ୍ଟର ଗୁଡ଼ିକରେ ଛାତ୍ରଛାତ୍ରୀମାନେ କେଉଁ ଭଳି ପରିସ୍ଥିତିରେ କୋଚିଂ ନେଉଛନ୍ତି ତାହାକୁ ଦେଖିବାକୁ କେହି ନାହାନ୍ତି । କିନ୍ତୁ କୋଚିଂ ସେଣ୍ଟର୍ ଗୁଡ଼ିକରେ ଭିଡ଼ ପ୍ରବଳ । ଛାତ୍ରାବାସ ଗୁଡ଼ିକରେ କେତେ ସଂଖ୍ୟକ ଛାତ୍ର ରହିପାରିବେ ତାହାର କୌଣସି ସୀମା ନାହିଁ । 
ଇଏତ ଗଲା ଛାତ୍ରାବାସର ପରିସ୍ଥିତି । ଅନ୍ୟପକ୍ଷରେ କୋଚିଂ ନେଉଥିବା ଛାତ୍ରଛାତ୍ରୀଙ୍କର ମାନସିକ ସ୍ଥିତିକୁ ମଧ୍ୟ ଲକ୍ଷ୍ୟ କରାଯିବା ଉଚିତ୍ । ସେମାନଙ୍କର ପ୍ରକୃତରେ ସର୍ବଭାରତୀୟ ସ୍ତରରେ ଏକ ପରୀକ୍ଷା ଦେବା ପାଇଁ ଆଇଏଏସ, ଆଇପିଏସ୍ ପରୀକ୍ଷା ପାଇବା ପାଇଁ ଯୋଗ୍ୟତା କି ଜ୍ଞାନ ଅଛି କି ନାହିଁ ତାହା ଦେଖିବା ଉଚିତ୍ । କୋଚିଂ ସେଣ୍ଟରକୁ ଆସୁଥିବା ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରର ପରୀକ୍ଷା ପାଇଁ ଆଗ୍ରହୀ ଅଛନ୍ତି କି ନାହିଁ ସେଭଳି ଜ୍ଞାନ ସେମାନଙ୍କର ଅଛି କି ନାହିଁ ତାହା ମଧ୍ୟ ଆଉ ଏକ ବଡ଼ ପ୍ରସଙ୍ଗ । ଅନେକ ସ୍ଥଳରେ ଛାତ୍ରଛାତ୍ରୀମାନଙ୍କର ସର୍ବଭାରତୀୟ ସ୍ତରର ପରୀକ୍ଷା ଦେବା ପାଇଁ ଯୋଗ୍ୟତା ନଥାଏ ଏବଂ ସେଭଳି ଚାକିରି କରିବା ପାଇଁ ମଧ୍ୟ ସେମାନଙ୍କର ଆଗ୍ରହ ନଥାଏ । ତେଣୁ ସେମାନେ ପିତାମାତାଙ୍କ ବାଧ୍ୟବାଧକତାରେ କୋଚିଂ ନେବାକୁ ଆସିଥାନ୍ତି । ବର୍ତ୍ତମାନ ଧୀରେ ଧୀରେ କୋଟାରେ ବିଭିନ୍ନ କୋଚିଂ ସେଣ୍ଟର ଗୁଡ଼ିକରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଲାଣି । ଛାତ୍ରଛାତ୍ରୀମାନେ ପିତାମାତାଙ୍କର ଉଚ୍ଚାକାଂକ୍ଷାକୁ ପୂରଣ କରିବାରେ ବିଫଳ ହେବା ପରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି । କୋଚିଂ ସେଣ୍ଟର୍ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କର ଆତ୍ମହତ୍ୟା ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି କାରଣରୁ କୋଟା ବର୍ତ୍ତମାନ ଏକ ଦୁର୍ନାମ ସାଉଁଟିିବାରେ ଲାଗିଛି । ଅନ୍ୟପକ୍ଷରେ କୋଟାର କୋଚିଂ ବ୍ୟବସାୟ ଦେଶର ଅନ୍ୟାନ୍ୟ ସହରରେ ଥିବା କୋଚିଂ ସେଣ୍ଟର୍ ଗୁଡ଼ିକୁ ଏକ ପ୍ରକାରର ପ୍ରେରଣା ଦେଇଛି । ଏହା ଫଳରେ ଦେଶର ଅନେକ ସହରରେ ବର୍ତ୍ତମାନ ସିଭିଲ୍ ସର୍ଭିସ୍, ଆଇଆଇଟି, ମେଡ଼ିକାଲ୍ ଭଳି କୋଚିଂ ସେଣ୍ଟର ସବୁ ଖୋଲିଗଲାଣି । ଏହିସବୁ କୋଚିଂ ସେଣ୍ଟର ଗୁଡିକରେ ପିତାମାତାମାନଙ୍କୁ ଶୋଷଣ କରାଯାଉଥିବାର ଘଟଣା ଘଟିଲାଣି । କୋଟା ଭଳି ଦିଲ୍ଲୀରେ ଅନେକ କୋଚିଂ ସେଣ୍ଟର ଖୋଲିଯିବା ପରେ କୋଟା ଭଳି ସମସ୍ୟା ମଧ୍ୟ ସେଠାରେ ଉପୁଜିଲାଣି । ଛାତ୍ରଛାତ୍ରୀମାନଙ୍କ ରହିବା ନିମିତ୍ତ ବ୍ୟବସ୍ଥା ହୋଇଥିବା ହଷ୍ଟେଲ୍ ଗୁଡ଼ିକରେ କେତେ ଛାତ୍ର ରହିପାରିବେ ତାକୁ କେହି ଦେଖି ପାରୁନାହାନ୍ତି । ଯେତେ ଛାତ୍ରଛାତ୍ରୀ ଆସିଲେ ମଧ୍ୟ ସମସ୍ତଙ୍କୁ ସେହି ଅଳ୍ପ ସ୍ଥାନରେ ରହିବାର ବ୍ୟବସ୍ଥା କରି ଦିଆଯାଉଛି । ଫଳରେ ପାଠ ପଢ଼ିବାର ଏକ ପରିବେଶ ରହୁନାହିଁ । କେବଳ ସେତିକି ନୁହେଁ, ଏହି ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛି । 
ନିକଟରେ ଦିଲ୍ଲୀରେ ପ୍ରବଳ ବର୍ଷା ଅନେକ ଥର ହୋଇଯାଇଛି । ଚଳିତବର୍ଷ ରେକର୍ଡ୍ ମାତ୍ରାରେ ବର୍ଷା ହୋଇଛି । ଏହି ବର୍ଷା ଯୋଗୁଁ ଅନେକ କୋଠାବାଡ଼ି କ୍ଷୟକ୍ଷତି ମଧ୍ୟ ଘଟିଛି । ଗୋଟାଏ କୋଚିଂ ସେଣ୍ଟରରେ ତଳ ମହଲାରେ ପାଣି ପଶିଯିବା ଫଳରେ ସେହି ତଳ ମହଲାକୁ ହଷ୍ଟେଲ୍ ଭାବରେ ବ୍ୟବହାର କରାଯାଉଥିବାରୁ ତିନି ଜଣ ଛାତ୍ରଙ୍କର ମୃତୁ୍ୟ ଘଟିଲା । କ୍ଷମତା ଠାରୁ ଅଧିକ  ଛାତ୍ରଛାତ୍ରୀଙ୍କୁ ଏହି ଛାତ୍ରାବାସରେ ରଖାଯାଇଥିବାରୁ ଏ ପ୍ରକାରର ଦୁଃଖଦ ଘଟଣା ଘଟିଥିବା  ଅଭିଯୋଗ ଆସିବା ପରେ କଥା ସୁପି୍ରମକୋର୍ଟ୍ ଯାଏ ଗଲା । ଏବେ ସବୁ କୋଚିଂ ସେଣ୍ଟର ଉପରେ ସୁପ୍ରିମକୋଟର୍୍ଙ୍କ ଖଣ୍ଡା ଝୁଲୁଛି । ବଡ଼ ଚାକିରି କରିବାର ସ୍ୱପ୍ନ ନେଇ କୋଚିଂ ସେଣ୍ଟରକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ମରଣଯନ୍ତାରେ ପରିଣତ ହୋଇଛି ବୋଲି ସୁପି୍ରମକୋର୍ଟ୍ ଉଦ୍ବେଗ ପ୍ରକାଶ କରିଛନ୍ତି । ତେଣୁ ଏ ଦିଗରେ ସରକାରୀ ନିୟନ୍ତ୍ରଣ ଲାଗିବା ନିହାତି ଜରୁରୀ ।