ଶିବାନନ୍ଦ ସାହିତ୍ୟ ଓ ସନାତନୀ ସଂସ୍କୃତି

ସ୍ୱାମୀ ବ୍ରହ୍ମନିଷ୍ଠାନନ୍ଦ ସରସ୍ୱତୀ :  ବ୍ୟକ୍ତି ହୃଦୟର ସୃଜନଶକ୍ତି, ସାହିତ୍ୟ ରୂପରେ ଅଭିବ୍ୟକ୍ତ ହୋଇଥାଏ । ଏହାପ୍ରତି ହୃଦୟରେ ଅଳ୍ପ ବହୁତ ଭାବ ଆକାରରେ ଥାଏ । ଏହାର ଶକ୍ତି ଅସୀମ । ଭାବ ରାଜ୍ୟକୁ ସ୍ପନ୍ଦିତ କରି ଇନ୍ଦି୍ରୟମାନଙ୍କ ଦ୍ୱାରା ଭାଷା ରୂପରେ ସାହିତ୍ୟ ହୃଦକନ୍ଦରରୁ ଝରିଆସେ । ସାହିତ୍ୟ ପ୍ରଭାବରେ ଜଡ଼ ଚେତନ ସବୁ ପ୍ରଭାବିତ ହୁଅନ୍ତି । ବେଳେବେଳେ ବିଗଳିତ ମଧ୍ୟ ହୋଇଯାନ୍ତି । ଶାସ୍ତ୍ର, ଅନୁଭବ ଓ କିମ୍ବଦନ୍ତୀ ଏହାର ପ୍ରମାଣ । ପ୍ରେମଭକ୍ତିର ଭାବାବେଗରେ ପଥର ତରଳିବା, ତରୁ-ତୃଣ ଖଗ-ମୃଗ ବିମୋହିତ ହୋଇଯିବା, ହିଂସ୍ର ଜୀବଜନ୍ତୁମାନେ ନୀରବରେ ବୋଲ ମାନିବା ଆଦି ମଧ୍ୟ ଦେଖାଯାଏ । ଭାବପୂର୍ଣ୍ଣ ମେଘମହ୍ଲାର ରାଗରେ ଆକାଶରୁ ବର୍ଷାଧାରା ଝରିଆସେ ବୋଲି ଶୁଣାଯାଏ । ଦୀପକ ରାଗରେ ଦୀପ ଜଳିଆସେ । ଦେବତାମାନେ ଆକର୍ଷିତ ହୋଇ ଧରାକୁ ଅବତରୀ ଆସନ୍ତି । ହିଂସ୍ର ପଶୁପକ୍ଷୀମାନେ ସ୍ନେହ ପ୍ରେମର ଆବେଶରେ ବଶ ହୋଇଯାଆନ୍ତି । ପ୍ରେରଣାପ୍ରଦ ଓଜସ୍ୱିନୀ ଭାଷଣ ପ୍ରଭାବରେ ପଙ୍ଗୁ ଗିରି ଲଙ୍ଘନ କରିବାର ଶକ୍ତି ଲାଭ କରେ, ମୂର୍ଖ ପଣ୍ଡିତ ହୋଇଯାଏ । ଏହା ସବୁ ସାହିତ୍ୟର ଅସୀମ ଶକ୍ତି । ଆଧୁନିକ ବିଶ୍ୱର ମହାନ ସନ୍ଥ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ସେହିଭଳି ଜଣେ ଅସୀମ ଶକ୍ତିଧର କଳାନୁରାଗୀ ମହାପୁରୁଷ । ଆପଣା ଜନ୍ମଗତ ସୃଜନଶୀଳ ଆବେଗ, କଠୋର ତପସ୍ୟାର ସାଧନା ଶକ୍ତି ତାଙ୍କ ଜୀବନକୁ ବିପୁଳ ଭାବେ ପ୍ରଭାବିତ କରିଛି । ଈଶ୍ୱରଙ୍କ କୃପାରେ, ଆତ୍ମପ୍ରେରଣାରେ ସେ ସୃଷ୍ଟି କରିଛନ୍ତି ବିପୁଳ ସାହିତ୍ୟ ସମ୍ଭାର । ଯାହାକି ବିଶ୍ୱ ବାଣୀ ଭଣ୍ଡାରକୁ ବହୁ ଭାବରେ ସମୃଦ୍ଧ କରିଛି । ତିନିଶହରୁ ଅଧିକ ପୁସ୍ତକ ଇଂରାଜୀ ଭାଷାରେ ରଚନା କରି ସେ ସାରା ମାନବ ସମାଜକୁ ଚମକ୍ରୃତ କରିଦେଇଛନ୍ତି ।
ସ୍ୱାମୀ ଶିବାନନ୍ଦଙ୍କର ପୂର୍ବ ନାମ ଥିଲା କୁଫୁ ସ୍ୱାମୀ । ୧୮୮୭ ମସିହା ସେପ୍ଟେମ୍ବର ମାସ ୮ ତାରିଖ ଦିନ ଦକ୍ଷିଣ ଭାରତର ତାମିଲନାଡ଼ୁ ରାଜ୍ୟରେ ବିଶିଷ୍ଟ ବିଦ୍ୱାନ ଆପାୟା ଦକ୍ଷିତାରନଂ ବଂଶରେ ସେ ଧରାବତରଣ କରିଥିଲେ । ମାତା ପାର୍ବତୀ ଅମଲା ଓ ପିତା ଶ୍ରା ପି ଏସ୍ ଭେଙ୍ଗୁ ଆୟାର ଥିଲେ ଅତ୍ୟନ୍ତ ଭକ୍ତିପ୍ରାଣ କୁଳୀନ ବ୍ରାହ୍ମଣ । ପିଲାଟି ଦିନରୁ ଶିଶୁ କୁଫୁ ସ୍ୱାମୀ ମଧ୍ୟରେ ଅସାଧାରଣା ଧୀମତା ଓ ଦିବ୍ୟ ପ୍ରତିଭା ପ୍ରକାଶ ପାଇଥିଲା । ସେ ଥିଲେ ଜଣେ ମେଧାବୀ ଛାତ୍ର । ଖେଳ କୌତୁକ ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟରେ ସେ ଥିଲେ ଧୂରନ୍ଧର । ଡାକ୍ତରୀ ଶିକ୍ଷା ସମାପ୍ତ ପରେ ସେ ସୂଦୁର ମାଲେସିୟାରେ ଏକ ଡାକ୍ତର ଭାବେ ସେବା ପ୍ରଦାନ କରିଥିଲେ । ଡାକ୍ତର କୁଫୁ ସ୍ୱାମୀଙ୍କର ସେବାନୈପୁଣ୍ୟତା ତାଙ୍କୁ ଅଜସ୍ର ଖ୍ୟାତି ପ୍ରଦାନ କରିଥିଲା । ଛାତ୍ର ଜୀବନରେ ସେ ‘ଆମ୍ରୋସିୟା’ ନାମକ ଏକ ସ୍ୱାସ୍ଥ୍ୟସେବା ପତି୍ରକା ପ୍ରକାଶ କରିଥିଲେ । ତାହା ଖୁବ୍ ପ୍ରସିଦ୍ଧି ପ୍ରାପ୍ତ ହୋଇଥିଲା । ଗୋଟିଏ ସଂଖ୍ୟା ବନ୍ଦ ହୋଇଗଲେ ଅନେକ ଅନୁରୋଧ ପତ୍ର ତାଙ୍କ ପାଖକୁ ଆସୁଥିଲା । ତକ୍ରାଳୀନ ଭାରତର ବହୁ ପ୍ରତିଷ୍ଠିତ ଲେଖକ ଏଥିରେ ଲେଖା ଦେଉଥିଲେ । ଲେଖିବା, କହିବା ଓ ମନୋରଞ୍ଜନ କରିବା ସତେଅବା ତାଙ୍କର ଜନ୍ମସିଦ୍ଧ ସ୍ୱଭାବ ଥିଲା । କେବଳ ଶରୀରର ସ୍ୱାସ୍ଥ୍ୟ ସେବାରେ ସୀମିତ ନରହି ସେ ଆତ୍ମକଲ୍ୟାଣ ଦିଗରେ ଆଗ୍ରହୀ ହୋଇଉଠିଲେ । ଆତ୍ମାନୁସନ୍ଧାନ ଓ ଆତ୍ମକଲ୍ୟାଣ ପାଇଁ ସେ ମାଲେସିୟା ଛାଡ଼ି ଭାରତ ଫେରି ଆସିଲେ । ବଡ଼ ଚାକିରି, ମୋଟା ବେତନ, ବିପୁଳ ସମ୍ମାନ ତାଙ୍କୁ ଆଉ ଆକର୍ଷଣ କରିପାରିଲା ନାହିଁ । ଦେବତାତ୍ମା ହିମାଳୟ ଓ ପତିତପାବନୀ ମା’ ଗଙ୍ଗାଙ୍କ ସାନ୍ନିଧ୍ୟ ଲାଭ କରି ସେ ତନ୍ମୟ ହୋଇଗଲେ । ଭକ୍ତି, ଶାନ୍ତି, ଆନନ୍ଦ ଅନୁସନ୍ଧାନରେ ନିମଗ୍ନ ରହିଲେ ।  ଶିବାନନ୍ଦଙ୍କ ସାଧନାର ଆଧାରଶୀଳା ଆଧ୍ୟାତ୍ମିକତା । ‘ଅଧ୍ୟାତ୍ମ ବିଦ୍ୟା ବିଦ୍ୟାନଂ’ ଜୀବନରେ ସୁଖ, ଶାନ୍ତି, ଆନନ୍ଦ ପ୍ରାପ୍ତିର ଲକ୍ଷ୍ୟ ନେଇ ସତ୍ ଆଧାରରେ କର୍ମକୁ ଧର୍ମରେ ରୂପାନ୍ତରିତ କରିବାକୁ ହେବ । ବିଶ୍ୱରେ ପ୍ରତିଷ୍ଠିତ ସମସ୍ତ ସଭ୍ୟତା, ସଂସ୍କୃତି ଓ ଧର୍ମଧାରାର ସାରମର୍ମକୁ ଗଭୀର ଭାବେ ଅଧ୍ୟୟନ, ଅନୁଧ୍ୟାନ ଓ ଅଭ୍ୟାସ କରି ସେ ତତ୍ତ୍ୱ ଖୋଜିବାକୁ ଲାଗିଲେ । ସନାତନ ସଂସ୍କୃତିର ବିପୁଳ ଜ୍ଞାନ ଭଣ୍ଡାରକୁ ମନ୍ଥନ କରି ରତ୍ନାକରରୁ ରତ୍ନ ସଂଗ୍ରହ ପରି ଖୋଜି ଖୋଜି ଆତ୍ମକଲ୍ୟାଣକାରୀ ସାରରତ୍ନ ସବୁ ସଂଗ୍ରହ କଲେ । ସମସ୍ତ ଧର୍ମ, ମତ, ପନ୍ଥର ସାରମର୍ମକୁ ସେ ମାତ୍ର ଛଅଗୋଟି ଶବ୍ଦରେ ସକଳ ମାନବ ସମାଜର କଲ୍ୟାଣ ପାଇଁ ପରଷି ଦେଇଛନ୍ତି । ସେଗୁଡ଼ିକ ହେଲେ- ସେବା, ପ୍ରେମ, ଦାନ, ପବିତ୍ରତା, ଧ୍ୟାନ ଓ ଆତ୍ମାନୁଭବ । ଏହା ସକଳ ଧର୍ମ ଦର୍ଶନର ସାରକଥା । ଜୀବନରେ ଏହାର ପ୍ରୟୋଗ ଦ୍ୱାରା ସମସ୍ତ କଲ୍ୟାଣ ସମ୍ଭବ ହୋଇପାରିବ । 
ସ୍ୱାମୀ ଶିବାନନ୍ଦ ସାରା ଭାରତବର୍ଷ ଭ୍ରମଣ କରି ପୁଣ୍ୟଭୂମି ଋଷିକେଶ ମା’ ଗଙ୍ଗାଙ୍କ ପାବନ ତଟକୁ ଆପଣା ସାଧନା କ୍ଷେତ୍ର ଭାବରେ ସ୍ଥିର କଲେ । ଏହିଠାରେ କଠୋର ସାଧନାରେ ମଗ୍ନ ହୋଇଗଲେ । ଗଭୀର ତପସ୍ୟାରେ ଆଧ୍ୟାତ୍ମିକତାର ଅଜସ୍ର ଆନନ୍ଦ ତାଙ୍କୁ ପରିପୂର୍ଣ୍ଣ କରିଦେଲା । ତାଙ୍କର ତପୋଭୂମି ଆନନ୍ଦ କୁଟୀର ଛାଡ଼ି ସେ କୁଆଡ଼େ ଯାଇନାହାନ୍ତି । ନିଜର ଅନୁଭୂତିକୁ ଆଧାର କରି ସେ ଗାଇ ଉଠିଲେ - ହେ ଦିବ୍ୟ ଅମର ଆତ୍ମନ୍! ହେ ପି୍ରୟ ଆତ୍ମସ୍ୱରୂପ ଅମୃତର ସନ୍ତାନଗଣ! ଉଠ : ଜାଗ : ଆପଣାର ଦିବ୍ୟ ସ୍ୱରୂପରେ ପ୍ରତିଷ୍ଠିତ ହୁଅ । ଭଲ ହୁଅ, ଭଲ କର । ପଠନ, ପାଠନ ଏବଂ ଆତ୍ମନିରୀକ୍ଷଣ ଦ୍ୱାରା ନିଜକୁ ଜାଣ । ଏହି ଅନୁଭବର ଆଧାରରେ ସେ ରଚନା କରିଛନ୍ତି ୩୦୦ ତିନିଶହରୁ ଊଦ୍ଧ୍ୱର୍ ପୁସ୍ତକ । ଇଂରାଜୀ ଭାଷାରେ ରଚିତ ତାଙ୍କର ପୁସ୍ତକ ଗୁଡ଼ିକ ଅତ୍ୟନ୍ତ ସରଳ, ସରଳ ଭାବଗମ୍ଭୀର, ହୃଦୟଗ୍ରାହୀ ଓ ସୁଖପାଠ୍ୟ । ଏହା ଅତ୍ୟନ୍ତ ପ୍ରେରଣାପ୍ରଦ । ଏହି ବିଶାଳ ସାହିତ୍ୟ ସମ୍ଭାର ବିଶ୍ୱ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଥିବା ଗୋଟିଏ ଗୋଟିଏ ଉପାଦେୟ ରତ୍ନ ସଦୃଶ ଅଟନ୍ତି । ଶିବାନନ୍ଦଙ୍କ ସାହିତ୍ୟର ତୁଳନା ନାହିଁ । ଗଙ୍ଗା କୂଳରେ ଅବସ୍ଥିତ ସେ ତାଙ୍କର ସାଧନ ପୀଠ ଆନନ୍ଦ କୁଟୀରରେ ରହି ଆପଣାର ଅମୃତବର୍ଷୀ ସାହିତ୍ୟ ଦ୍ୱାରା ବିଶ୍ୱର କୋଣେ କୋଣେ ପହଞ୍ଚô ପାରିଛନ୍ତି । ଅମୃତମୟ ପ୍ରେରଣାପ୍ରଦ ବାଣୀଦ୍ୱାରା ମୁମୁକ୍ଷୁ ବିଦ୍ୟାର୍ଥୀମାନଙ୍କୁ ଆକର୍ଷଣ କରି ଟାଣି ଆଣିଛନ୍ତି ନିଜ ପାଖକୁ । ଶ୍ରୀମଦ୍ ଭଗବଦ୍ ଗୀତା ଯେଉଁଭଳି ସାର୍ବଜନୀନ, ସଂକୀର୍ଣ୍ଣତା ରହିତ କାଳଜୟୀ, ସେହିଭଳି ଶିବାନନ୍ଦଙ୍କ ସାହିତ୍ୟ ସମସ୍ତ ସଂକୀର୍ଣ୍ଣତାର ଊଦ୍ଧ୍ୱର୍ରେ ଅସାମ୍ପ୍ରଦାୟିକ ଅଟେ । ବେଦ-ବେଦାନ୍ତ, ଗୀତା, ଭାଗବତ, ଉପନିଷଦ ଆଦି ସମସ୍ତ ଧର୍ମଶାସ୍ତ୍ରର ସାରମର୍ମକୁ ସେ ତାଙ୍କ ଆପଣା ଭାଷାରେ ରଚନା କରିଛନ୍ତି । ଜନ୍ମ ଠାରୁ ମୃତୁ୍ୟ ଏବଂ ମୃତୁ୍ୟ ପରବର୍ତ୍ତୀ ପରକାଳ ପଥେ ଜୀବର ଗତି, ଭୁକ୍ତି ଓ ମୁକ୍ତି ପର୍ଯ୍ୟନ୍ତ ସେ ତାଙ୍କ ସାହିତ୍ୟରେ ଚିତି୍ରତ କରିଛନ୍ତି । ଜନ୍ମ, ଜୀବନ ଓ ଜଗତକୁ ନେଇ ଜୀବର ଗତି ଓ ପରିପୂର୍ତ୍ତି, ଜଗତପତିଙ୍କ ସହ ଏକୀଭୂତ ହେବାର ଅନୁଭୂତି ସବୁକିଛି ସେ ଆଧୁନିକ ମାନବ ପାଇଁ ରଚନା କରିଛନ୍ତି । ଶିଶୁଙ୍କ ପାଇଁ, କିଶୋର ଓ ଯୁବକ ମାନଙ୍କ ପାଇଁ, ଗୃହସ୍ଥ, ପ୍ରୌଢ଼, ସନ୍ନ୍ୟାସୀ ସମସ୍ତଙ୍କ ପାଇଁ ତାଙ୍କ ସାହିତ୍ୟ ସାଧନ ପଥର ପାଥେୟ ଭାବେ ଯଥାର୍ଥ ମାର୍ଗଦର୍ଶକ ଅଟେ । ଧର୍ମ, ଦର୍ଶନ, ସ୍ୱାସ୍ଥ୍ୟ, ଶିକ୍ଷା, ଚିକିତ୍ସା ବିଜ୍ଞାନ, ଜ୍ୟୋତିଷ, ସଂଗୀତ, ନୃତ୍ୟ, ସାହିତ୍ୟ, କଳା ସହିତ ଆଧୁନିକ ବିଜ୍ଞାନର ପରିବର୍ତ୍ତିତ ଜ୍ଞାନ କୌଶଳ ମଧ୍ୟ ତାଙ୍କ ଲେଖାରେ ଅନୁରଣିତ ହୋଇଛି । 
ଲୋକମାନଙ୍କର ଆଗ୍ରହକୁ ଲକ୍ଷ୍ୟ କରି ପୂଜ୍ୟ ସ୍ୱାମିଜୀ ୧୯୩୬ ମସିହାରେ ପ୍ରତିଷ୍ଠା କରିଥିଲେ ଦିବ୍ୟଜୀବନ ସଂଘ । ଏହା ନିଚ୍ଛକ ଉଦାରତା ଉପରେ ପ୍ରତିଷ୍ଠିତ ଏକ ଆଧ୍ୟାତ୍ମିକ ଓ ସମାଜସେବୀ ଧାର୍ମିକ ଅନୁଷ୍ଠାନ । ସାରା ପୃଥିବୀରୁ ତୀର୍ଥାଟନ ଓ ପର୍ଯ୍ୟଟନରେ ଆସୁଥିବା ଆଗନ୍ତୁକ ମାନଙ୍କ ପାଇଁ ଶିବାନନ୍ଦ ଆଶ୍ରମ ଏକ ସ୍ୱାଗତ ତୋରଣ ଭଳି ଅଟେ ।  ଦିବ୍ୟ ଜୀବନଯାପନ ପାଇଁ ଆଗ୍ରହୀ ସମସ୍ତ ସାଧକମାନଙ୍କ ପାଇଁ ଶିବାନନ୍ଦଙ୍କ ଆଶ୍ରମ ନିତ୍ୟ ଉନ୍ମୁକ୍ତ ।  ସ୍ୱାମୀ ଶିବାନନ୍ଦ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ । ସେବା, ପ୍ରେମ, ଦାନ, ଧ୍ୟାନ ତାଙ୍କର ନିତ୍ୟପ୍ରତ୍ୟ ସ୍ୱଭାବ ଥିଲା । ତାଙ୍କ ଦର୍ଶନରେ ଆସୁଥିବା କେହି ଲୋକ ରିକ୍ତ ହସ୍ତରେ ଫେରୁ ନଥିଲେ ।  ସେ ଶକ୍ତିରୁ ଅତୀତ ହୋଇ ସେବା ଓ ଦାନ କରୁଥିଲେ । ସ୍ୱାମୀ ଶିବାନନ୍ଦ ସଶରୀରରେ ନଥିଲେ ମଧ୍ୟ ତାଙ୍କ ପ୍ରତିଷ୍ଠିତ ଦିବ୍ୟ ଜୀବନ ସଂଘ ଓ ଶିବାନନ୍ଦ ଆଶ୍ରମ ଆପଣା ଗରିମାରେ ବିଶ୍ୱପ୍ରସିଦ୍ଧ ଓ ବିଶ୍ୱବନ୍ଦିତ । ସ୍ୱାମୀ ଶିବାନନ୍ଦ ଆଧୁନିକ ବିଶ୍ୱ ପାଇଁ ବରଦାନ । ଶିବାନନ୍ଦଙ୍କ ସାହିତ୍ୟ ଅମୃତମୟ । ଏହା ବିଶ୍ୱ ମାନବତା ପାଇଁ ଏକ ଆଶୀର୍ବାଦ । ବିଶ୍ୱ ଦରବାରରେ ସନାତନ ସଂସ୍କୃତିର ପ୍ରଚାର ପ୍ରସାର ସହିତ ମାନବ ନିର୍ମାଣ କରିବାରେ ତାଙ୍କର ଭୂମିକା ଅବିସ୍ମରଣୀୟ ।         
   ମାଙ୍ଗାଲୋର