ଯୁଦ୍ଧକାଳୀନ ଭିତ୍ତିରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ: ବିଜେଡି

 ଭୁବନେଶ୍ୱର : ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନି ଘଟିବା ଫଳରେ ରାଜ୍ୟରେ ଗତ ଚାରି ଦିନରେ ପାଞ୍ଚ ଜଣ କୃଷକଙ୍କ ଅସ୍ୱାଭାବିକ ମୃତୁ୍ୟ ଘଟିଛି । ରାଜ୍ୟରେ କୃଷକମାନଙ୍କ ସମସ୍ୟା ଗମ୍ଭୀର ହୋଇଥିବାବେଳେ ରାଜ୍ୟ ସରକାର କୃଷକଙ୍କ ସମସ୍ୟା ପ୍ରତି ଉଦାସୀନ ରହିଛନ୍ତି ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତିରେ କହିଛନ୍ତି । ଡଃ ମହାନ୍ତି କହିଛନ୍ତି, ରାଜ୍ୟରେ ଧାନ ବିକ୍ରି କ୍ଷେତ୍ରରେ ମଣ୍ଡିରେ ବିଭିନ୍ନ ଅବ୍ୟବସ୍ଥା ଓ ଗ୍ରେନ୍ ଆନାଲାଇଜର ମାଧ୍ୟମରେ କଟନୀ ଛଟନୀ ଚାଲୁ ରହିଛି । ଏହି ଅବ୍ୟବସ୍ଥା ଯୋଗୁଁ କୃଷକମାନେ ସମସ୍ୟାରେ ଥିଲାବେଳେ ରାଜ୍ୟରେ ଲଗାଣ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନି ଘଟିଛି, ଯାହା ରାଜ୍ୟର କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ବ୍ୟାପକ କ୍ଷତି ସହି ନପାରି ଗତ ଚାରି ଦିନରେ ପାଞ୍ଚ ଜଣ ଚାଷୀଙ୍କ ଅସ୍ୱାଭାବିକ ମୃତୁ୍ୟ ଘଟିଛି । ଏଭଳି ଘଟଣା ଓଡିଶା ଇତିହାସରେ ବିରଳ ଘଟଣା ହୋଇଥିଲାବେଳେ ରାଜ୍ୟ ସରକାର କୃଷକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ କୌଣସି ପଦକ୍ଷେପ ନେଇନାହାନ୍ତି । କୃଷକଙ୍କ ସମସ୍ୟା ସମାଧାନ କ୍ଷେତ୍ରରେ ସରକାରଙ୍କ ପଦକ୍ଷେପ, କେବଳ କିଛି ମନ୍ତବ୍ୟରେ ସୀମିତ ରହିଛି । ଚାଷୀମାନଙ୍କ ହୋଇଥିବା କ୍ଷୟ କ୍ଷତିର ଯୁଦ୍ଧକାଳୀନ ଭିତ୍ତିରେ ଆକଳନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ବୋଲି ଡଃ ମହାନ୍ତି କହିଛନ୍ତି ।