ରଥଯାତ୍ରାରେ ଅବ୍ୟବସ୍ଥା : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସାମ୍ବାଦିକ
ଭୁବନେଶ୍ୱର : ଭୁବନେଶ୍ୱରର ବିଭିନ୍ନ ସରକାରୀ ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକଗଣ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରଥଯାତ୍ରା ସମୟରେ ସେମାନେ ସମ୍ମୁଖୀନ ହୋଇଥିବା ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରତିବର୍ଷ ଭୁବନେଶ୍ୱରର ସ୍ୱୀକୃତିପ୍ରାପ୍ତ ସାମ୍ୱାଦିକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ପୁରୀ ନିଆଯାଇ ରଥଯାତ୍ରାର ରିପୋର୍ଟିଙ୍ଗ ପାଇଁ ବ୍ୟବସ୍ଥା କରାଯାଇଥାଏ । ତେବେ ଏ ବର୍ଷ ପୁରୀ ଠାରେ ସାମ୍ୱାଦିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଏକ ମେମୋରେଣ୍ଡମ୍ ଦେଇଥିଲେ । ଏ ସମ୍ପର୍କରେ ବିଚାର କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସାମ୍ୱାଦିକମାନଙ୍କୁ କହିଥିଲେ । ଏହି ଆଲୋଚନାରେ ବରିଷ୍ଠ ସାମ୍ୱାଦିକ ସନତ ମିଶ୍ର, ପ୍ରଦୁ୍ୟମ୍ନ ମହାନ୍ତି, ଭାଗବତ ତ୍ରିପାଠୀ, ପବିତ୍ର ମୋହନ ସାମନ୍ତରାୟ, ପାର୍ଥ ସାରଥୀ ଜେନା, କିଶୋର ମଙ୍ଗରାଜ, ଦେବକାନ୍ତ ମହାପାତ୍ର, ସ୍ୱରୂପ ମହାନ୍ତି, ଗଜେନ୍ଦ୍ରନାଥ ବେହେରା, ସନାତନ ଦଳବେହେରା, ସୁବୋଧ କାନୁନଗୋ, ସୂର୍ଯ୍ୟକାନ୍ତି ନାୟକ, ଦେବ ମହାନ୍ତି ଏବଂ ସ୍ୱଦେଶ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।