ରଥଯାତ୍ରାରେ ଅମାନିଆ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ : କଟିଲା ୧୮ଶହ ଇ-ଚାଲାଣ
ଭୁବନେଶ୍ୱର/ କଟକ/ପୁରୀ: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ପରିବହନ ବ୍ୟବସ୍ଥା ଶୃଙ୍ଖଳିତ ରଖିବା ପାଇଁ ବାଣିଜ୍ୟ ପରିବହନ ବିଭାଗ ଅଧୀନରେ ରାଜ୍ୟ ପରିବହନ ପ୍ରାଧିକରଣ ଦ୍ୱାରା ଏନଫୋର୍ସମେଣ୍ଟ କଡ଼ାକଡ଼ି କରାଯାଇଛି । ରଥଯାତ୍ରା ଠାରୁ ଆଜି ପର୍ଯ୍ୟନ୍ତ ପୁରୀକୁ ହଜାର ହଜାର ସଂଖ୍ୟାର ଗାଡ଼ି ଯାତାୟାତ କରିଥିବା ବେଳେ ଅମାନିଆ ଗାଡ଼ି ଚାଳକଙ୍କ ଠାରୁ ଭଲ ରକମର ଫାଇନ୍ ଆଦାୟ କରିଛି ପରିବହନ ବିଭାଗ । ପୁରୀ ଆରଟିଓ ଅଧୀନରେ ୭ଟି ସ୍ପେଶାଲ ଟିମ ଗଠନ କରାଯାଇ, ବିଭିନ୍ନ ରୁଟ୍ରେ ନିୟମିତ ଏନଫୋର୍ସମେଣ୍ଟ କରାଯାଉଛି । ଏହାବାଦ ଯାଞ୍ଚକୁ ବ୍ୟାପକ କରି ଇ-ଚାଲାଣ ଉପରେ ଗୁରୁତ୍ୱ ଦିଆଯାଇଛି ।
ଭୁବନେଶ୍ୱରରୁ-ପୁରୀ ଜାତୀୟ ରାଜପଥ-୩୧୬ ଏବଂ ପୁରୀରୁ କୋଣାର୍କ, କୋଣାର୍କରୁ ପିପିଲି ରାଜ୍ୟ ରାଜପଥରେ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ୍) କାର୍ଯ୍ୟକ୍ଷମ ହୋଇଛି । ରଥଯାତ୍ରା ଏବଂ ତାର ପରବର୍ତ୍ତୀ ଦୁଇ ଦିନ ଅର୍ଥାତ ୨୭, ୨୮ ଏବଂ ୨୯ ଜୁନରେ ପୁରୀ ରୁଟ୍ରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ ଯୋଗୁଁ ପ୍ରାୟ ୧୮୦୦ଟି ଇ-ଚାଲାଣ କଟାଯାଇଛି । ଯେଉଁଥିରେ ବିନା ହେଲମେଟରେ ଗାଡ଼ି ଚାଳନା, ଭୁଲ୍ ରୁଟରେ ଗାଡ଼ି ଚାଳନା, ଦ୍ରୁତଗତି ଏବଂ ଦୁଇ ଚକିଆରେ ଦୁଇରୁ ଅଧିକ ବସିବା ଭଳି ସଡ଼କ ସୁରକ୍ଷା ନିୟମର ଉଲ୍ଲଙ୍ଘନ ରହିଛି । ବ୍ରହ୍ମଗିରି, ସାକ୍ଷୀଗୋପାଳ, କୋଣାର୍କ, ପିପିଲି ଏହି ସମସ୍ତ ପଥରେ ବିଶେଷ ଫୋକସ କରାଯାଇଛି । ଏସବୁ ବ୍ୟତୀତ ଧାର୍ଯ୍ୟ ଦର ଠାରୁ ଅଧିକ ଭଡ଼ା ଆଦାୟ କରୁଥିବା ବସ୍ମାନଙ୍କ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି । କଟକ ନେତାଜୀ ବସ ଟର୍ମିନାଲ, ଭୁବନେଶ୍ୱର ବରମୁଣ୍ଡା ବସ ଟର୍ମିନାଲ, ତାଳବଣିଆ ଏବଂ ମାଳତୀପାଟପୁର ବସ ଷ୍ଟାଣ୍ଡ ଆଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ଥାନୀୟ ଆରଟିଓମାନେ ନିୟମିତ ଭାବରେ ସର୍ପ୍ରାଇଜ ଚେକିଂ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ସୁବିଧାକୁ ଦୃଷ୍ଟିରେ ରଖି ତାଳବଣିଆ ଓ ମାଳତିପାଟପୁରରେ ଅସ୍ଥାୟୀ ବିଶ୍ରାମଗାର, ମୌଳିକ ସୁବିଧା ଏବଂ ନିଶୁଳ୍କ ଖାଦ୍ୟ ବଣ୍ଟନ ସେବା କରାଯାଇଛି, ଯାହାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉଦ୍ଘାଟନ କରିଛନ୍ତି ।