ରଥଯାତ୍ରା ମୃତକଙ୍କୁ ଅନୁକମ୍ପା ରାଶି ଦେଲେ ଆଇନମନ୍ତ୍ରୀ
ଖୋର୍ଦ୍ଧାରୁ ସ୍ୱତନ୍ତ୍ର ପ୍ରତିନିଧି : ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟାରେ ମୃତକଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ଅର୍ଥରାଶି ପ୍ରଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ଆଜି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୋଲଗଡ ବ୍ଲକ୍ କଳାଙ୍ଗ ପଞ୍ଚାୟତ ଗୋବର୍ଦ୍ଧନପୁରରେ ପହଞ୍ଚô ବାସନ୍ତୀ ସାହୁଙ୍କ ପରିବାର ଲୋକଙ୍କୁ ଅନୁକମ୍ପା ସହାୟତା ରାଶି ପ୍ରଦାନ କରିଛନ୍ତି । ଆଇନମନ୍ତ୍ରୀ ବାସନ୍ତୀଙ୍କ ସ୍ୱାମୀ ଦିଲ୍ଲୀପ ସାହୁଙ୍କୁ ୨୫ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଏହାସହ ମନ୍ତ୍ରୀ ମୃତ ବାସନ୍ତୀଙ୍କ ପୁଅ, ଝିଅ ଓ ସ୍ୱାମୀଙ୍କ ସହ ଆଲୋଚନା କରି ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ପରିବାରକୁ ଭେଟିବା ସମୟରେ ମନ୍ତ୍ରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଜଣେ ଦୁଇଜଣ ଅଧିକାରୀଙ୍କ ଭୁଲ ନିଷ୍ପତ୍ତି ପାଇଁ ଏଭଳି ଅଘଟଣ ଘଟିଲା । କେବଳ ମୃତକ ତିନି ପରିବାର ନୁଁହ ବରଂ ଆମେ ଜଗନ୍ନାଥଙ୍କ ନିକଟରେ ମଧ୍ୟ ଭୁଲ ମାଗିଛୁ । ସେହିପରି ଉନ୍ନୟନ କମିଶନରଙ୍କ ଦ୍ୱାରା ଯେଉଁ ତଦନ୍ତ ହେଉଛି ତାର ରିପୋର୍ଟ ଆସିବା ପରେ ସମ୍ପୃକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ତିନି ପରିବାରର କ୍ଷତି କେହି ଭରଣା କରି ପାରିବେନି ବୋଲି ମନ୍ତ୍ରୀ କହିବା ସହ ଶୋକ ସନ୍ତପ୍ତ ପରିବାରକୁ ମହାପ୍ରଭୁ ଶାନ୍ତି ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।
ସେହିଭଳି ସରକାରଙ୍କ ପକ୍ଷରୁ ମୁଁ ସହାୟତା ରାଶି ହସ୍ତାନ୍ତର କରିବାକୁ ଆସିଥିଲି । ଯଦି ସେମାନଙ୍କର ମୋ ପାଖରେ କୌଣସି ଆବଶ୍ୟକ କିମ୍ବା ସାହାଯ୍ୟ ଦରକାର ତେବେ ମୋ ଦ୍ୱାର ଖୋଲା ଅଛି ବୋଲି ମୃତ ବାସନ୍ତୀଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ ମନ୍ତ୍ରୀ । ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ମଣିଷ ଜୀବନକୁ ଟଙ୍କା ସହ ତୁଳନା କରାଯାଇ ପାରିବନାହିଁ । ସରକାରଙ୍କ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି ମନ୍ତ୍ରୀ ସ୍ୱୀକାର କଲେ । ସରକାର ମୃତକଙ୍କ ପରିବାର ପ୍ରତି ସମବେଦନା ରଖିବେ ଏବଂ ଆଗକୁ ମହାପ୍ରଭୁଙ୍କ ଅନୁଷ୍ଠିତ ହେବାକୁଥିବା ବାହୁଡାÿ, ସୁନାବେଶ ଓ ନୀଳାଦ୍ରୀବିଜେ ଯେଭଳି ଶାନ୍ତି ଶୃଙ୍ଖଳାରେ ହେବ ତା ଉପରେ ସରକାର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଏହି ସମୟରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ବିଜେପି ନେତା ପ୍ରକାଶ ଚନ୍ଦ୍ର ବିଜୁଳୀ, ଜିଲା ବିଜେପି ସଭାପତି ବିଶ୍ୱ ରଂଜନ ବଡ଼ଜେନା, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।