ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା
ଖୋର୍ଦ୍ଧା : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କ ସୁବିଧା ନିମନ୍ତେ ରାସ୍ତାଘାଟ କାର୍ଯ୍ୟ କରି କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ଏହି ଅର୍ଥ କେତେ ଲୋକଙ୍କ କାମରେ ଆସୁଛି ତାହା ବାସ୍ତବ ଚିତ୍ର ପରିପ୍ରକାଶ କରୁଛି । ରାଜଧାନୀ ଭୁବନେଶ୍ୱର ଠାରୁ ନୟାଗଡ଼ ପର୍ଯ୍ୟନ୍ତ ପଡିଥିବା ୫୭ ନମ୍ବର ଜାତୀୟରାଜପଥ ଦେଇ ଲୋକେ ବଲାଙ୍ଗୀରି, ଫୁଲବାଣୀ ପରି ଅନେକ ଜିଲ୍ଲାକୁ ଯାତାୟାତ କରିଥାନ୍ତି । ତେବେ ଏହି ରାସ୍ତା ଅତ୍ୟନ୍ତ ଜନଗହଳି ପୁର୍ଣ ହୋଇଥିବାରୁ ସରକାର ଏହାର ପୁନରୁଦ୍ଧାର କରିବା ନିମନ୍ତେ ପ୍ରୟାଶ କରିବା ସହିତ ଠାଏ ଠାଏ ୫୭ ନମ୍ବର ଜାତୀୟରାଜପଥକୁ ବଜାର ଓ ଗାଁ ମଧ୍ୟରୁ ବାହାର କରିବା ପାଇଁ ବାଇପାସ କରିବା ପକ୍ରିୟା ମଧ୍ୟ ଜାରି କରିଛନ୍ତି । ଏହା ମଧ୍ୟରେ କେତେକ ସ୍ଥାନରେ କାର୍ଯ୍ୟ ଚାଲିଛି । ତେବେ ରାସ୍ତାର ମରାମତି କାର୍ଯ୍ୟ ହେଉନଥିବା ବେଳେ ରାସ୍ତା ସାରା ଖାଲ ଖମାରେ ଭାରି ହୋଇଥିବାରୁ ଲୋକେ ଦୁର୍ଘଟଣାର ଶିକାର ହେବାକୁ ପଡୁଥିବା ଅଞ୍ଚଳବାସୀ ଅଭିଯୋଗ ଆଣୁଥିବା ଜଣାପଡିଛି । ଲୋକଙ୍କ କହିବା ଅନୁଯାୟୀ ରାସ୍ତା ଅବସ୍ଥା ଏହିଭଳି ହୋଇଛି ଯେ, ଜଣେ ବ୍ୟକ୍ତି ଖୋର୍ଦ୍ଧା ଠାରୁ ନୟାଗଡ ଯିବାକୁ ଚାହିଁଲେ ତାକୁ ୩ ଘଣ୍ଟାରୁ ଅଧିକ ସମୟ ଲାଗୁଛି । ଜଣେ ରୋଗୀ ଜରୁରୀକାଳୀନ ସମୟରେ ଯଦି ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ଆବଶ୍ୟକ ପଡେ ତେବେ ଏହି ରାସ୍ତାରେ ଯିବା ସମୟରେ ରୋଗୀର ଜୀବନ ବି ଚାଲିଯାଇପାରେ । ତେବେ ଏହି ସମସ୍ୟା କେବଳ ଯେ ଗ୍ରାମ ଲୋକେ ଜାଣିଛନ୍ତି ତାହା ନୁଁହ ବରଂ ବିଧାୟକଙ୍କ ଠାରୁ ଆରମ୍ଭକରି ସାଂସଦଙ୍କ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସମସ୍ୟା ଉପରେ ଜ୍ଞାତ ରହିଥିବା ବେଳେ ଜିଲ୍ଲାପ୍ରଶାସନ ଅଧିକାରୀ ମାନେ ସବୁ ଜାଣି ଅଜଣା ଭଳି ଅଭିନୟ କରୁଥିବା ଭଳି ମନେ ହେଉଛି । କାରଣ ପ୍ରତି ମାସରେ ଠାରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭକରି ଜିଲ୍ଲାର ଅଧିକାରୀ ମାନେ ମିଳିତ ଜନଶୁଣାଣୀ କାର୍ଯ୍ୟରେ ଯୋଗ ଦେବାପାଇଁ ଏହି ରାସ୍ତା ଦେଇ ଆସୁଥିବା ବେଳେ ଏହାକୁ ଦେଖି ଅଣଦେଖା କରୁଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରାସ୍ତା ବୌଦ୍ଧ, ସୋନପୁର ,ନୟାଗଡ଼, ଦଶପଲ୍ଲା, ବଲାଙ୍ଗିର ଜିଲ୍ଲାକୁ ସଂଯୋଗ କରୁଛି । ୨୦୦୧ ମସିହାରେ ଏହି ରାସ୍ତାକୁ ଜାତୀୟ ରାଜପଥ ମାନ୍ୟତା ପାଇଁ ଆନେ୍ଦାଳନ ଆରମ୍ଭ ହୋଇଥିଲା । ୨୦୦୧ ମସିହା ନଭେମ୍ବର ୫ ତାରିଖରେ ୫ ଜିଲ୍ଲାର ଶହ ଶହ ଲୋକ ଲୋୟର ପିଏମ୍ଜିରେ ଧାରଣା ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଦାବି, ପଶ୍ଚିମ ଓଡ଼ିଶା ଓ ପୂର୍ବ ଓଡ଼ିଶା ମଧ୍ୟରେ ଯାତାୟତ ସୁବିଧା ଏବଂ ଭାଇଚାରାକୁ ଲକ୍ଷ ରଖ୍ô ଏହି ରାସ୍ତା ନିର୍ମାଣ ପାଇଁ ସେଣ୍ଟ୍ରାଲ୍ ହାଇୱେ ଘୋଷଣା କରିଥିଲେ । ଉକ୍ତ ଦିନ ରୋଡ୍ ଫଣ୍ଡରୁ ୬୦ କୋଟି ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରୁ ୬୦ କୋଟି ଟଙ୍କା ମଞ୍ଜୁର କାର୍ଯ୍ୟ ହୋଇଥିବା ବେଳେ ଖୋର୍ଦ୍ଧାରୁ ବଲାଙ୍ଗିର ଜାତୀୟ ରାଜପଥ ନାମରେ ନାମିତ କରିଥିଲେ । ୧୯ ବର୍ଷ ମଧ୍ୟରେ ରଜକୋଷରୁ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଥିବା ସତ୍ତ୍ୱେ ଆଜି ବି ଏହି ରାସ୍ତା ମଧ୍ୟରେ ଶତାଧିକ ସ୍ଥାନରେ ଅଣଓସାରିଆ ରାସ୍ତା ସହ ପୋଲ ବି ବିପଦସଙ୍କୁଳ ଅବସ୍ଥାରେ ରହିଛି ।