ରବିବାର ହୀରାକୁଦ ଜଳଭଣ୍ଡାରରୁ ହେବ ପ୍ରଥମ ବନ୍ୟା ଜଳ ନିଷ୍କାସନ
ସମ୍ୱଲପୁର : ଉପର ମୁଣ୍ଡରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଏବଂ ମୌସୁମୀର ସକ୍ରିୟତାକୁ ନଜରରେ ରଖି ହୀରାକୁଦ ଡ୍ୟାମରୁ ଆସନ୍ତା ୬ ତାରିଖ ରବିବାର ଦିନ ବର୍ଷର ପ୍ରଥମ ଉଦବୃତ୍ତ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ହୋଇଛି । ଆଜି ସନ୍ଧ୍ୟା ୬ଟା ସମୟରେ ଡ୍ୟାମର ଜଳସ୍ତର ୬୦୩.୨୫ ଫୁଟ ରହିଥିଲା । ଏହି ସମୟରେ ନଦୀବନ୍ଧ ମଧ୍ୟକୁ ହାରାହାରି ୧ ଲକ୍ଷ ୧ ହଜାର ୩୪୯ କୁ୍ୟସେକ ଜଳ ପ୍ରବେଶ କରୁଥିବାବେଳେ ବରଗଡ଼, ସମ୍ୱଲପୁର ଏବଂ ଶାସନ କେନାଲ ଓ ପାୱାର କେନାଲ ଏବଂ ଶିଳ୍ପ ପାଇଁ ୩୪ ହଜାର ୨୫୪ କୁ୍ୟସେକ ଜଳ ନିଷ୍କାସନ କରାଯାଉଛି । ଆଜି ସକାଳ ସୁଦ୍ଧା ପୂର୍ବ ୨୪ ଘଣ୍ଟାରେ ହୀରାକୁଦ ନଦୀବନ୍ଧର ଉପର ମୁଣ୍ଡରେ ୩୩.୧୧ ଏବଂ ତଳ ମୁଣ୍ଡରେ ୩୭.୫୧ ମିମି ବର୍ଷା ହୋଇଛି । ପୁଣି ଲଘୁଚାପ ଜନିତ ମାତ୍ରାଧିକ ବର୍ଷା ତଥା ସରକାରୀ କଳ ତରଫରୁ ପ୍ରବଳରୁ ପ୍ରବଳତର ବର୍ଷା ହେବା ପାଇଁ ଏଲର୍ଟ ମଧ୍ୟ ଜାରି କରି ଦିଆଯାଇଥିଲା । ସୂଚନା ଥାଉକି, ଗତ ୨୦୨୪ ମସିହାରେ ଜୁଲାଇ ମାସ ୨୮ ତାରିଖ ଦିନ ପୁଜାର୍ଚ୍ଚନା କରାଯାଇ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ ଫାଟକ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ସେହି ସମୟରେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୧୭ରେ ରହିଥିବା ବେଳେ ୨୦ଟି ଫାଟକ ମାଧ୍ୟମରେ ଗତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଫାଟକ ମାଧ୍ୟମରେ କରାଯାଇଥିଲା ।