ହୀରାଖଣ୍ଡ ନାଟ୍ୟ ମହୋତ୍ସବ ଉଦ୍ଘାଟିତ
ସମ୍ବଲପୁର: ସମ୍ବଲପୁରର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଅଦୃଶ୍ୟ ନାଟ୍ୟ ଆଶ୍ରମ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଦର୍ଶନ କଳା ବିଭାଗ ପକ୍ଷରୁ ଆୟୋଜିତ ପଞ୍ଚମ ହୀରାଖଣ୍ଡ ନାଟ୍ୟ ମହୋତ୍ସବ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟଠାରେ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର, ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ବେଦଭୂଷଣ, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ନୃପରାଜ ସାହୁ, ତୁଷାରକାନ୍ତୀ ଦାଶ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ନାଟ୍ୟ ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆଜି ପ୍ରଥମ ସନ୍ଧ୍ୟାରେ ବରଗଡ଼ର ସମର୍ପଣ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ନାଟକ ଅଃ..' ମଞ୍ଚସ୍ଥ ହୋଇଥିଲା । ପ୍ରତ୍ୟେକ ଜୀବନରେ "ଅଃ' ଶବ୍ଦ କେମିତି ସମାଜକୁ କଳୁଷିତ କରୁଛି । କେମିତି ସତ୍ୟରୁ ଅସତ୍ୟ, ବିଶ୍ୱାସରୁ ଅବିଶ୍ୱାସ ଏବଂ ତାହା ମଣିଷର ଚେତନା ଏବଂ ମଣିଷତ୍ୱକୁ ପ୍ରଭାବ ପକାଉଛି ତାହାରି ଉପରେ ପର୍ଯ୍ୟବେଷିତ ଆଜିର ନାଟକ "ଅଃ' । ଏହି ନାଟକଟିକୁ ରଚନା କରିଥିଲେ ସଂଜୟ ପାଢ଼ୀ ଏବଂ ନିଦେ୍ର୍ଦଶନା ଦେଇଥିଲେ ସଞ୍ଜୟ ବେହେରା । ନାଟକ ପରେ ପରେ "ଟକ୍ ୱିଥ୍ ଡାଇରେକ୍ଟର' କାର୍ଯ୍ୟକ୍ରମରେ ନିଦେ୍ର୍ଦଶକଙ୍କ ସହିତ ସବୁ କଳାକାର ଓ କିଛି ନାଟ୍ୟପ୍ରେମୀଙ୍କ ସହିତ ଆଲୋଚନା ହୋଇଥିଲା । ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପ୍ରଦର୍ଶନ କଳା ବିଭାଗର ସଂଯୋଜକ ଗୋପୀନାଥ ବାଗ ଏବଂ ଅଦୃଶ୍ୟ ନାଟ୍ୟ ଆଶ୍ରମର ନିଦେ୍ର୍ଦଶକ ଅତୀଶ କୁମାର ଶତପଥୀ । ପ୍ରାଧ୍ୟାପକ ଅରବିନ୍ଦ ପଣ୍ଡା ଏବଂ ଅଦୃଶ୍ୟ ନାଟ୍ୟଆଶ୍ରମର ସଦସ୍ୟ ଏବଂ ସଦସ୍ୟମାନେ ସହାୟତା କରିଥିଲେ ।