ରାଜଧାନୀରେ ଠାବ ହେଲା ନକଲି ସିମେଣ୍ଟ କାରଖାନା
ଭୁବନେଶ୍ୱର, ୨ା୨୫ : ରାଜଧାନୀରେ ଠାବ ହୋଇଛି ନକଲି ସିମେଣ୍ଟ କାରଖାନା । ଅଭିଯୋଗ ପରେ ଚଢ଼ାଉ କରି କମ୍ପାନୀକୁ ସିଲ କରିବା ସହ ୬୦୦ ବସ୍ତା ନକଲି ସିମେଣ୍ଟ ଜବତ କରିଛି ବଡଗଡ ଥାନା ପୁଲିସ । ଏହାସହ ୨ ଜଣ ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଦୁହିଁଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜୟପୁର ଜିଲ୍ଲା ସଦର ଅଞ୍ଚଳର ଦୁର୍ଗା ଚରଣ ସାସମଲ ଓ ସଞ୍ଜୟ କୁମାର ରାଉତରାୟ । ଏହି ନକଲି ସିମେଣ୍ଟ ଗୋଦାମ ଟି ଠାବ ହୋଇଛି ଟଙ୍କପାଣି ସାଇ ମନ୍ଦିର ନିକଟ କେ ଏମ୍ କନଭେନ୍ସନ ଅଞ୍ଚଳରେ । ଏହି ଗୋଦାମରେ ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଟା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି, ପାଉଁସ ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ । ରାଜଧାନୀ ଭୁବନେଶ୍ୱର ଛାତି ଉପରେ ଏପରି ଏକ ନକଲି ସିମେଣ୍ଟ କାରଖାନା ଠାବ ହେଲା ପରେ ରାଜଧାନୀରେ ନୁଆ ଘର ଓ ବିଲ୍ଡିଙ୍ଗ୍ ତିଆରି କରୁଥିବା ଲୋକଙ୍କ ଭିତରେ ଛନକା ପଶିଛି ।
ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ହେବ ବଡଗଡ ଥାନା ଅଧିନ ଟଙ୍କପାଣି ସାଇ ମନ୍ଦିର ନିକଟରେ ମାଁ କନକ ଦୁର୍ଗା ନାମରେ ଏକ ନକଲି ସିମେଣ୍ଟ କାରଖାନାକୁ ଚଲାଇଆସୁଥିଲେ ଜୟପୁର ଜିଲ୍ଲାର ଦୁର୍ଗା ଚରଣ ସାସମଲ ଓ ସଞ୍ଜୟ କୁମାର ରାଉତରାୟ । ବ୍ୟବହାର ଯୋଗ୍ୟ ନଥିବା ବା ମେଣ୍ଡା ହୋଇଯାଇଥିବା ସିମେଣ୍ଟକୁ ଆଣି ଭାଙ୍ଗି ସେଥିରେ ଧୂଳି, ପାଉଁସ ଓ ଅନ୍ୟାନ୍ୟ ସାମଗ୍ରୀ ମିଶାଇ ତିଆରି କରୁଥିଲେ ସିମେଣ୍ଟ । ଆଉ ସେହି ସିମେଣ୍ଟକୁ ବିଭିନ୍ନ ବ୍ରାଣ୍ଡର ସିମେଣ୍ଟ ଅଖାରେ ପୂରାଇ ମାର୍କେଟକୁ ଛାଡିଆସୁଥିଲେ । ଯାହାକୁ ଚିହ୍ନିବା ସହଜ ନୁହଁ । ପୁରା ଅସଲି ସିମେଣ୍ଟ ପରି ଦେଖାଉଥିଲା । ସେହି ସିମେଣ୍ଟକୁ ରାଜଧାନୀ ଓ ରାଜଧାନୀ ଉପକଣ୍ଠର ଆଖପାଖ ଅଞ୍ଚଳରେ ଥିବା ସିମେଣ୍ଟ ଦୋକାନୀଙ୍କୁ ଯୋଗାଉଥିଲେ । ବିଶେଷ ସୂତ୍ରରୁ ଏହି ଖବର ପାଇ ବଡ଼ଗଡ଼ ଥାନା ପୁଲିସ ଗୁରୁବାର ସକାଳୁ ଏହି ନକଲି ସିମେଣ୍ଟ କମ୍ପାନୀ ଉପରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ସେଠାରୁ ୬୦୦ରୁ ଅଧିକ ବସ୍ତା ନକଲି ସିମେଣ୍ଟ ଜବତ କରାଯାଇଥିଲା । ଏଥିସହ ସିମେଣ୍ଟ ତିଆରି ସରଞ୍ଜାମ ଜବତ କରିବା ସହ ସେହି ସେମେଣ୍ଟ କାରଖାନା ଚଳାଉଥିବା ୨ମାଲିକଙ୍କୁ କାବୁ କରି ପାହାଳରେ ଥିବା ସିମେଣ୍ଟ ଗୋଦାମକୁ ସିଲ କରାଯାଇଛି ।