ଝାରଖଣ୍ଡରେ ସ୍ପେଶାଲ ସ୍କ୍ୱାର୍ଡ ; ଭଡ଼ା ଘରୁ ମିଳିଲା ଆଉ ୮ ସିମ ବକ୍ସ ; ୬ ଜଣ ଅଟକ

-
ଭୁବନେଶ୍ୱର, ୨୦ା୮ : ଓଡ଼ିଶାରୁ ଝାରଖଣ୍ଡ ଓ ପଶ୍ମିମବଙ୍ଗକୁ ଲମ୍ବିଛି ସିମ ବକ୍ସ ଚେର । ଏହି ଖବର ପରେ ୫ ଦିନିଆ ରିମାଣ୍ଡରେ ଆସିଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ମଙ୍ଗଳବାର ଦିନ ଝାରଖଣ୍ଡ ରାଞ୍ଚିରେ ପହଞ୍ଚିଛି କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ଟିମ । ପରେ ରାଜୁ ରହୁଥିବା କାଣ୍ଟାଟୋଲି ଅଞ୍ଚଳର ୧୫ ନମ୍ବର ଗଳିରେ ଥିବା ଭଡ଼ା ଘରେ ରାଞ୍ଚି ପୁଲିସ ସହଯୋଗରେ ରେଡ୍ କରାଯାଇଥିବା ବେଳେ, ସେହି ଘରୁ ଆଉ ୮ଟି ସିମ ବକ୍ସ ଜବତ କରାଯାଇଥିବା ବେଳେ, ୬ ଜଣଙ୍କୁ ହେପାଜତକୁ ନେଇ ସେଠାରେ ଅଟକ ରଖାଯାଇଥିବା ଜଣା ପଡ଼ିଛି ।
ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି, ପୂର୍ବରୁ ଓଡ଼ିଶାରେ ୨ଟି ସିମ ବକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ତୃତୀୟ ରାକେଟ ଝାରଖଣ୍ଡରେ ଚାଲୁଥିଲା । ଏନେଇ ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରା ଉଚରା ବେଳେ ସେ ରାଞ୍ଚିରେ ଅପରେଟ ହେଉଥିବା ସିମ ବକ୍ସ ସମ୍ପର୍କରେ କହିଥିଲା । ଏହାପରେ ଓଡ଼ିଶା ପୁଲିସ ଅଭିଯୁକ୍ତ ରାଜୁକୁ ୫ ଦିନିଆ ରିମାଣ୍ଡରେ ଆଣି ସାଙ୍ଗରେ ନେଇ ରାଞ୍ଚିରେ ପହଞ୍ଚିବା ସହ ରାଞ୍ଚି ପୁଲିସ ସହଯୋଗରେ ତାର ଭଡ଼ା ଘରେ ରେଡ ମରାଯାଇଛି ।ଘରଟି ବନ୍ଦ ରହିଥିବା ବେଳେ, ପୁଲିସ ଘରର ତାଲା ଭାଙ୍ଗି ସେଠାରୁ ୮ଟି ସିମ ବକ୍ସ ଜବତ କରାଯାଇଛି । ଅଭିଯୁକ୍ତ ରାଜୁ ସିମ ବଦଳାଇବା କିମ୍ବା କୌଣସି ମେସିନରେ ସମସ୍ୟା ହେଲେ ତାକୁ ଚେକ୍ କରିବା ପାଇଁ ବିଭିନ୍ନ ସମୟରେ ଏହି ସ୍ଥାନକୁ ମାସକୁ ଓ ଦୁଇ ମାସକୁ ଥରେ ଆସୁଥିଲା । ପାଖରେ ବିର୍ସା ମୁଣ୍ଡ ବସଷ୍ଟାଣ୍ଡ ଥିବାରୁ ସେ ସହଜରେ ବସରେ ଆସି ନିଜର କାମ ସାରି ଯାଉଥିବାରୁ ରେଡ୍ ବେଳେ ପୁଲିସ ଆଗରେ ମାନିଛି ରାଜୁ ।
ସୂଚନା ଥାଉକି, ପ୍ରଥମେ ଲକ୍ଷ୍ମୀସାଗର ଥାନା ମହାଦେବ ନଗରରୁ ଏକ ଭଡ଼ା ଘରୁ ୭ଟି ସିମ ବକ୍ସ ଜବତ କରିଥିବା ପୁଲିସ । ଏହି ଘଟଣାରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଗିରଫ କରି ଗତ ରବିବାର ଠାରୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା ପୁଲିସ । ପରେ ରାଜୁକୁ ପଚରା ଉଚରା ବେଳେ ୧୮ ଅଗଷ୍ଟରେ କଟକରେ ମଧ୍ୟ ଏକ ସିମ ବକ୍ସର ଖୁଲାସା ହୋଇଥିଲା । ଏଥିସହ ଆହୁରି ଅନେକ ସ୍ଥାନରେ ସିମ ବକ୍ସ ଚାଲୁଥିବା ସେ ପୁଲିସ ଆଗରେ କହିଥିଲା । ଯାହାର ମାଷ୍ଟର ମାଇଣ୍ଡ ରହିଛି ବାଂଲାଦେଶୀ ନାଗରିକ ଅସଦୁର ଜମାନ ।