କଳାକନା ବୁଲାଇଲା କାମବାଲି ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ, ଚାକରାଣୀ ଗିରଫ

ଭୁବନେଶ୍ୱର: ଘରେ ମାଲିକାଣୀ ନଥିବା ସମୟରେ ଘରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାର ଓ ୧ ଲକ୍ଷ ଟଙ୍କା କଳାକନା ବୁଲାଇଲା ଘରର କାମବାଲି । ପରେ ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ଚାକରାଣୀକୁ ଆଜି ଗିରଫ କରିବା ସହ ତାଠାରୁ ସମସ୍ତ ଚୋରୀ ହୋଇଥିବା ସୁନା ଅଳଙ୍କାର ଓ ରୂପା ଅଳଙ୍କାର ଏବଂ କିଛି ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, କନ୍ଧମାଳ ଜିଲ୍ଲା ତାଜୁଙ୍ଗିଂଆର ଶିବାନୀ ନାୟକ । ଏଠାରେ ସେ ଚକେଇସିଆଣୀରେ ଘର ଭଡ଼ା ନେଇ ରହୁଥିଲା । ପରେ ପୁଲିସ ଥାନା କେସ ନମ୍ବର ୧୩୭ରେ ମାମଲା ରୁଜୁକରି ଦଫା ୩୮୦ରେ କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ, ଜଣେ ଘରୋଇ ସହାୟିକାଙ୍କ ଆବଶ୍ୟକତା ଥିବା ବେଳେ ସ୍ଥାନୀୟ ଦୁଇ ମହିଳାଙ୍କ ଅନୁରୋଧ କ୍ରମେ ଅଭିଯୁକ୍ତ ଚାକରାଣୀକୁ ଅଭିଯୋଗକାରିଣୀ ନିଜ ଘରକାମ କରିବା ଲାଗି ତା ୧୮.୧୧.୨୦୨୩ ରିଖ ଦିନ ନିଯୁକ୍ତି ଦେଇଥିଲେ । ତା ପରଦିନ ସେ ନିୟମିତ କାର୍ଯ୍ୟରେ ଘରୁ ବାହାରକୁ ଯିବା ପରେ, ଅଭିଯୁକ୍ତ ଜଣଙ୍କ ଘରେ ଥିବା ଆଲମିରାରୁ ସୁନା ଚେନ୍, ସୁନା କାନଫୁଲ, ସୁନା ମୁଦି, ରୂପା ଗହଣା, ଦରକାର କାଗଜପତ୍ର, ୧ ଲକ୍ଷ ଟଙ୍କା ଓ ମୋବାଇଲ ଫୋନ୍ ଚୋରି କରି ଫେରାର ହୋଇଯାଇଥିଲା । ବାହାରୁ ଫେରି ମାଲିକାଣୀ ଦେଖିଲା ବେଳକୁ ଘରୁ ସବୁ ଗହଣା ଓ ଟଙ୍କାକୁ ଚାକରାଣୀ କଳାକନା ବୁଲାଇ ଫେରାର ହୋଇଯାଇଛି । ପରେ ଏନେଇ ଅଭିଯୋଗକାରିଣୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୋଗର ୩ ମାସ ପରେ ଆଜି ଅଭିଯୁକ୍ତକୁ କଟକ ରୋଡ଼ ଷ୍ଟେସନ ବଜାରସ୍ଥିତ ସାଇମନ୍ଦିର ନିକଟରୁ ଗିରଫ କରାଯାଇଛି ।