ରାଜଧାନୀରେ ଲଭ ଜିହାଦ୍


ଅନଲାଇନରୁ ପ୍ରେମ ପରେ ପ୍ରତାରଣା ସହ ବ୍ଲାକମେଲିଂ
ବିହାରର ଯୁବକଙ୍କୁ ବାନ୍ଧିଲା ମହିଳା ପୁଲିସ
 ଭୁବନେଶ୍ୱର, ୮ା୧୧ : ନିଜକୁ ହିନ୍ଦୁ ବୋଲି ମିଛ ପରିଚୟ ଦେଇ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ତାଙ୍କୁ ବିବାହ କରିବାକୁ ହେଲେ ମୁସଲମାନ ଧର୍ମ ପରିବର୍ତ୍ତନ କରିବା ଭଳି ସମ୍ବେଦନଶୀଳ ମାମଲା ରାଜଧାନୀରେ ଦେଖିବାକୁ ମିଳିଛି । ଏଭଳି ଏକ ସମ୍ବେଦନଶୀଳ ଘଟଣା ନେଇ ମହିଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସମୀର ମାନସୁରଙ୍କୁ ଅତି କୌଶଳର ସହ କାଶ୍ମରୀରୁ ଓଡ଼ିଶା ଡ଼ାକି ଆଣି ରାଜଧାନୀ ଭୁବନେଶ୍ୱରରେ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ବିହାର ପାଟ୍ଟନା ଅଞ୍ଚଳର ସମୀର ମାନସୁର (୩୦) । ଏଭଳି ଏକ ଲଭ ଜିହାଦ୍ ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ଗିରଫ ଅଭିଯୁକ୍ତ ମନସୁର ଜାମ୍ମୁ କାଶ୍ମରୀରେ ଏକ ଘରୋଇ କମ୍ପାନୀର ମେକାନିକ ଭାବେ କାମ କରନ୍ତି ।
 ସୂଚନା ଅନୁଯାୟୀ, ଜଗତସିଂପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଜଣେ ଯୁବତୀ ରାଜଧାନୀର ଏକ ଟ୍ରାଭେଲ ଏଜେନ୍ସିରେ କାର୍ଯ୍ୟ କରନ୍ତି । ସମ୍ପୃକ୍ତ ଯୁବତୀ ଜଣଙ୍କ ଅନଲାଇନରେ ଫ୍ରି ଫେୟାର ଗେମ ଖେଳନ୍ତି । ଏହି ଅନଲାଇନ ଗେମ ଜରିଆରେ ଯୁବତୀ ଜଣଙ୍କ ସମୀର ନାମକ ଜଣେ ଯୁବକଙ୍କ ସହ ୨୦୨୨ ମସିହାରେ ପରିଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହେବା ସହ ପରସ୍ପର ଭିଡ଼ିଓ କଲ ମାଧ୍ୟମରେ କଥାବାର୍ତ୍ତା ମଧ୍ୟ ହେଉଥିଲେ । ଆରମ୍ଭରୁ ସମିର ନିଜକୁ ହିନ୍ଦୁ ବୋଲି ପରିଚୟ ଦେବା ସହ ୨୦୨୩ ମସିହାରେ ଭୁବନେଶ୍ୱର ଆସି ଯୁବତୀଙ୍କୁ ପୁରୀ ନେଇ ତାଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ । ୨୦୨୩ ମସିହାରେ ଯୁବକ ଜଣଙ୍କ ବାରମ୍ବାର ଓଡ଼ିଶା ଆସି ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ୨୦୨୪ ମସିହାରେ ଯୁବତୀ ଜଣଙ୍କ ତାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିବାରୁ ଯୁବକ ଜଣଙ୍କ ସେ ମୁସଲମାନ ସମ୍ପ୍ରଦାୟର ବୋଲି କହିବା ସହ ତାଙ୍କ ପ୍ରକୃତ ନାମ ସମୀର ମାନସୁର ବୋଲି କହିଥିଲେ । ଏଥିସହ ସେ ଯଦିଓ ବିହାରରେ ଜନ୍ମିତ କିନ୍ତୁ ଅଧିକାଂଶ ସମୟ ସେ କାଶ୍ମୀରରେ ଅତିବାହିତ କରୁଥିବା ନେଇ କହିଥିଲେ । ଯୁବତୀ ଜଣଙ୍କ ଧୋକାର ଶିକାର ହେବା ଜାଣି ତୁରନ୍ତ ସମୀରଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଏପରିକି ସେ ଧର୍ମ ପରିବର୍ତ୍ତନ କରିପାରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ । ଏହାକୁ ନେଇ ଯୁବକ ଜଣଙ୍କ ଉତ୍ତ୍ୟକ୍ତ ହୋଇଯିବା ସହ ଧର୍ମ ପରିବର୍ତ୍ତନ ନକଲେ ତାଙ୍କ ସହ ଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ କରାଇ ଦେବାର ଧମକ ଦେଇଥିଲେ । ଏପରିକି କିଛି ଅନ୍ତରଙ୍ଗ ଫଟୋ ଯୁବତୀଙ୍କ ବାପାଙ୍କୁ ଯୁବକ ଜଣଙ୍କ ପଠାଇବା ସହ ତାଙ୍କ ବାପାଙ୍କ ଠାରୁ ପର୍ଯ୍ୟାୟ କ୍ରମେ ୫ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ନେଇଥିଲେ । ଏହାପରେ ମଧ୍ୟ ଗତ ଏପ୍ରିଲ ମାସରେ ଯୁବତୀ ଜଣଙ୍କ ଅଜାଣତରେ ଅଭିଯୁକ୍ତ ସମୀର ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଏହା ଜାଣିବା ପରେ ଯୁବତୀ ଜଣଙ୍କ ତୁରନ୍ତ ଏନେଇ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଏନେଇ ଯୁବକଙ୍କୁ କିଛି ବି ପ୍ରାଥମିକ ପର୍ଯ୍ୟାୟରେ କୁହାଯାଇ ନଥିଲା । ପରେ ଅଭିଯୁକ୍ତଙ୍କୁ ଓଡ଼ିଶା ଡାକି ଆଣି ଧରିବା ପାଇଁ ପୁଲିସ ପକ୍ଷରୁ ଏକ ଯୋଜନା କରାଯାଇଥିଲା । ପରେ ଯୋଜନା ମୁତାବକ ପୀଡ଼ିତା ଜଣଙ୍କ ସମୀରଙ୍କୁ ଓଡ଼ିଶା ଡାକିଥିଲେ । ଧର୍ମ ପରିବର୍ତ୍ତନ କରିବାକୁ ସେ ରାଜି ଥିବା କହିବା ପରେ ସମୀର ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱର ପହଞ୍ଚିଥିଲେ । ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ମହିଳା ପୁଲିସ ସମୀର ମନସୁରଙ୍କୁ କାବୁ କରିଥିଲା । ଶୁକ୍ରବାର ଥାନାରେ ଯୁବତୀଙ୍କ ବୟାନ ରେକର୍ଡ କରାଯିବା ପରେ ତାଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ ପଠାଯାଇଥିବା ବେଳେ ଅଟକ ସମୀରଙ୍କୁ ଅଟକ ରଖି ଅଧିକ ପଚରା ଉଚରା କରାଯାଉଥିବା ଜୋନ-୧ ଏସିପି ଶୁଭ ନାରାୟଣ ମୁଦୁଲି ସୂଚନା ଦେଇଛନ୍ତି ।