ପଟିଆ ଅଞ୍ଚଳରେ ପ୍ଲଟ୍ ଦେବାକୁ କହି ୩୩ ଲକ୍ଷ ଚଳୁ ; ମହିଳା ଠକ ଗିରଫ
Fraud Women arrested
 ଭୁବନେଶ୍ୱର : ଅଭିଯୋଗକାରୀଙ୍କୁ ଜାଲରେ ଫସାଇ ପଟିଆ ଅଞ୍ଚଳରେ ଏକ ଘରବାରି ପ୍ଲଟ୍ କିଣିବାକୁ କହି ବିଭିନ୍ନ କିସ୍ତିରେ ୩୩ ଲକ୍ଷ ଟଙ୍କା ଚଳୁ । ଏନେଇ ଥାନାରେ ଅଭିଯୋଗ ପରେ ମହିଳା ଠକଙ୍କୁ ବାନ୍ଧିଲା ଇନଫୋସିଟି ଥାନା ପୁଲିସ । ଗିରଫ ମହିଳା ହେଲେ, କେନ୍ଦ୍ରପଡ଼ା ଜିଲ୍ଲାର ଶୁଭ୍ରାଞ୍ଜଳି ମଲ୍ଲିକ୍ । ଏଠାରେ ସେ ରଘୁନାଥପୁର ସ୍ରିଂ ଲେଫ୍ ଆପାଟମେଣ୍ଟର ୪୦୪ ପ୍ଲଟରେ ରହୁଥିଲେ । ଆଜି ଥାନା କେସ ନମ୍ବର ୩୩ରେ ମାମଲା ରୁଜୁକରାଯାଇ ଦଫା ୨୯୪, ୪୨୦, ୪୬୭, ୪୬୮, ୪୭୧, ୪୭୨, ୪୭୪, ୫୦୬, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ପ୍ରଶାନ୍ତ କୁମାର ନାୟକ ଗତ ତା ୦୫.୦୧.୨୦୨୩ ରିଖ ଦିନ ପ୍ରଥମ ଅଭିଯୁକ୍ତ ଶୁଭ୍ରାଞ୍ଜଳି ମଲ୍ଲିକଙ୍କ ସଂସ୍ପର୍ଶରେ ଆସିଥିଲେ । ସେତେବେଳେ ଶୁଭ୍ରାଞ୍ଜଳି ମଲ୍ଲିକ ନିଜକୁ ଏସିଆନ୍ ପବ୍ଲିକ୍ ସ୍କୁଲର ପରିଚାଳକ ଭାବେ ପରିଚୟ ପ୍ରଦାନ କରିବା ସହିତ ନିଜ ସାନ ପୁଅକୁ ତାଙ୍କ ସ୍କୁଲରେ ପାଠ ପଢ଼ାଇବା ଲାଗି ତାଙ୍କୁ ପ୍ରବାର୍ତ୍ତାଇଥିଲେ । ଏହି ଘଟଣା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ଏହି ବନ୍ଧୁତାର ସୁଯୋଗ ନେଇ ଅଭିଯୁକ୍ତ ମହିଳା ଜଣକ ତାଙ୍କ ସ୍କୁଲର ସେକ୍ରେଟାରୀ ଅନ୍ୟତମ ଅଭିଯୁକ୍ତ ପତିତପାବନ ମିଶ୍ରଙ୍କ ନାମରେ ଥିବା ପଟିଆ ଅଞ୍ଚଳର ଏକ ଘରବାରି ଜମି ତାଙ୍କୁ କିଣିବାକୁ ପ୍ରସ୍ତାବ ଦେଇଥିଲେ । ପରେ ଅଭିଯୁକ୍ତ ପତିତପାବନଙ୍କ ସମସ୍ତ ଜମିର ଜେରକ୍ସ କାଗଜପତ୍ର ଦେଖି ସାରିବା ପରେ ସେ ଜମି ଟିକୁ ନେବାକୁ ରାଜି ହୋଇଥିଲେ । ପରେ ଅଭିଯୁକ୍ତ ଶୁଭ୍ରାଞ୍ଜଳିଙ୍କ ପରାମର୍ଶ ଅନୁଯାୟୀ ଅଭିଯୁକ୍ତ ପତିତପାବନଙ୍କୁ ତା ୧୯.୧.୨୦୨୩ ରିଖ ଦିନ ଅଭିଯୋଗକାରୀଙ୍କ ସହ ଏକ ଚୁକ୍ତି କରିଥିଲେ ଏବଂ ଉକ୍ତ ଚୁକ୍ତି ଅନୁଯାୟୀ ୬ ମାସ ମଧ୍ୟରେ ପ୍ଲଟଟିକୁ ତାଙ୍କ ନାମରେ କରିବାକୁ ପ୍ରତିଶୃତି ଦେଇଥିଲେ । ଏହି ଚୁକ୍ତି ପରେ ଅଭିଯୋଗକାରୀ ପତିତପାବନଙ୍କୁ କ୍ୟାସ୍ ଏବଂ ଆକାଉଣ୍ଟ ଟ୍ରାନ୍ସଫର ଜରିଆରେ ୭ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦେଇଥିଲେ । ଏହି ଘଟଣା ପରେ ଅଭିଯୁକ୍ତ ଶୁଭ୍ରାଞ୍ଜଳି ଏବଂ ପତିତପାବନ ବିଭିନ୍ନ ସମୟରେ ନିଜର ସ୍ୱ୍ୟାସ୍ଥ୍ୟଗତ ସମସ୍ୟାର ଆଳ ଦେଖାଇ ତାଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ । ଉଭୟଙ୍କ କଥାକୁ ବିଶ୍ୱାସ କରି ସେ ଅଭିଯୁକ୍ତ ଶୁଭ୍ରାଞ୍ଜଳି ମାର୍ଫତରେ ଅଭିଯୁକ୍ତ ପତିତପାବନଙ୍କୁ ବିଭିନ୍ନ ସମୟରେ ୨୬ ଲକ୍ଷ ଟଙ୍କା ଦେଇଥିଲେ । ଏହିପରି ଭାବେ ଉଭୟ ଅଭିଯୁକ୍ତ ତାଙ୍କଠାରୁ ୩୩ ଲକ୍ଷ ଟଙ୍କା ନେଇଥିଲେ । ହେଲେ ପରବର୍ତ୍ତି ସମୟରେ ଆଉ ତାଙ୍କ ନାମରେ ପ୍ଲଟକୁ ରେଜିଷ୍ଟେସନ କରିନଥିଲେ କିମ୍ବା ତାଙ୍କ ଟଙ୍କା ଆଉ ଫେରସ୍ତ କରିନଥିଲେ । ଏହି ସମୟରେ ଅଭିଯୋଗକାରୀଙ୍କ ସନେ୍ଦହ ହେବାରୁ ସେ ତାଙ୍କ ଓକିଲଙ୍କୁ ଜମିର କାଗଜପତ୍ର ଦେଖାଇଥିଲେ । ସେତିକି ବେଳେ ଜଣାପଡ଼ିଥିଲା ଜମିର କାଗଜପତ୍ର ସବୁ ଜାଲ ରହିଛି । ଏହାପରେ ସେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଆଜି ଅଭିଯୁକ୍ତ ଶୁଭ୍ରାଞ୍ଜଳି ମଲ୍ଲିକଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ଫେରାର ରହିଥିବା ବେଳେ ତାକୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି ।                           
 
 Jitendra Sahu
                                    Jitendra Sahu                                 
    
             
    
             
    
 
    
 
 
 
