ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା


ଧରିପାରିଲାନି ପୁଲିସ ; କୋର୍ଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ
 ଭୁବନେଶ୍ୱର, ୮ା୧୧ : ମହିଳାଙ୍କୁ ନ୍ୟାୟ ଦେବାରେ କମିଶନରେଟ ପୁଲିସ ସବୁ ସମୟରେ ଗୁରୁତ୍ୱ ଦେଇଆସୁଛି । କୌଣସି ମହିଳା ଥାନାକୁ କିଛି ବି ଅଭିଯୋଗ କରିବାକୁ ଗଲେ ତାଙ୍କୁ ତୁରନ୍ତ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ବରିଷ୍ଠ ପୁଲିସ ଅଧିକାରୀମାନେ ସବୁ ସମୟରେ କଡ଼ା ନିଦେ୍ର୍ଦଶ ଦେଉଛନ୍ତି । କିନ୍ତୁ ପ୍ରକୃତରେ ପୀଡ଼ିତା ଯୁବତୀ କିମ୍ବା ମହିଳା ଜଣଙ୍କ କେତେଦୂର ନ୍ୟାୟ ପାଉଛନ୍ତି ତାହା ପୁଲିସର କାର୍ଯ୍ୟଶ÷ଳୀରୁ ସ୍ପଷ୍ଟ । ଯାହାର ଜ୍ୱଳନ୍ତ ଉଦାହରଣ ବଡ଼ଗଡ଼ ଥାନାରେ ଶୁକ୍ରବାର ଦେଖିବାକୁ ମିଳିଛି ।
 ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କେନାଲ ରୋଡରେ ରହୁଥିବା ସୁବାଷ ନାୟକ ନାମକ ଜଣେ ଯୁବକ ପେଶାରେ ଆଇଟିରେ ଚାକିିରୀ କରନ୍ତି । ଚାକିରୀ ସମୟରେ ସେ ଜଟଣୀ ଅଞ୍ଚଳର ଜଣେ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ । ପରେ ସମ୍ପୃକ୍ତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିଲେ । ଏନେଇ ଗତ ଜୁନ ମାସରେ ପୀଡ଼ିତା ଯୁବତୀ ଜଣଙ୍କ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ଜଣଙ୍କ ନ୍ୟାୟ ପାଇବା ପାଇଁ ଅଭିଯୁକ୍ତକୁ ଗିରଫ କରିବା ଲାଗି ବାରମ୍ବାର ଥାନାକୁ ଦୌଡ଼ି ଥିଲେ ମଧ୍ୟ ପୁଲିସ ଅଭିଯୁକ୍ତ ସୁବାଷକୁ ଧରିବାରେ ବିଫଳ ହୋଇଥିଲା । ଶେଷରେ ଗତ ୩୦ ତାରିଖ ଦିନ ଅଭିଯୁକ୍ତ ସୁବାଷ ତଳ କୋର୍ଟରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଜାମିନ ପାଇବାରେ ବିଫଳ ହେବା ପରେ ଆତ୍ମସମର୍ପଣ କରି ଏବେ ଝାରପଡ଼ା ଜେଲରେ ଅଛନ୍ତି । ସୁବାଷ ଆତ୍ମସମର୍ପଣର ୮ ଦିନ ପରେ ଶେଷରେ ବଡ଼ଗଡ଼ ଥାନା ପୁଲିସ ଖବର ପାଇଥିଲା । ଫଳରେ ଶୁକ୍ରବାର ତାଙ୍କୁ ଦିନିକିଆ ରିମାଣ୍ଡରେ ଆଣି ଏହି ମାମଲାର ଅଧିକ ପଚରାଉଚରା କରିବା ସହ ଡାକ୍ତରୀମାଇନା କରିବା ପରେ ପୁଣିଥରେ କୋର୍ଟରେ ହାଜର କରାଇ ଜେଲ ପଠାଇଥିବା ଜଣାପଡ଼ିଛି । ଏନେଇ ଥାନାଧିକାରୀ ପ୍ରୀତିରଞ୍ଜନ ନାୟକଙ୍କୁ ପଚାରିବାରୁ ଅଭିଯୁକ୍ତ ସୁବାଷ କୋର୍ଟରେ ଆତ୍ମସମର୍ପଣ କରିଥିବା ସ୍ୱୀକାର କରିବା ସହ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ଲାଗି ଉଭୟ ପରିବାର ଚାହୁଁଥିବାରୁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସ୍ପଷ୍ଟୋକ୍ତି ଦେଇଛନ୍ତି ।