ରାଜା ଚକ୍ରକୁ ଝଟକା ; ଜାମିନ୍ ଖାରଜ କଲେ ହାଇକୋର୍ଟ

ବହୁ ଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ମାମଲାରେ ରାଜ୍ୟ ଚକ୍ରଙ୍କ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଦେଇଛନ୍ତି । ହାଇକୋର୍ଟ ରାଜାଙ୍କ ୩ ସହଯୋଗୀଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦେଇଛନ୍ତି । ଏହି ମାମଲାରେ ୫ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଖାରଜ ହୋଇଯାଇଛି । ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ଦୁର୍ନୀତି ମାମଲାରେ ରାଜା ଚକ୍ରଙ୍କ ସହଯୋଗୀ ମାର୍ଚ୍ଚ ୨୦ ତାରିଖରେ ଗିରଫ ହୋଇଥିଲେ । ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ମାମଲାରେ ରାଜା ଚକ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ୪ ବର୍ଷରେ ଗାଁ ଲୋକଙ୍କୁ ରାଜା ୩୩ କୋଟି ଟଙ୍କା ବାଣ୍ଟିଥିବା ତଦନ୍ତରୁ ଜଣାପଡ଼ିଥିଲା । ମା’ କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ମଧ୍ୟ ୯ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶ୍ରମିକମାନଙ୍କୁ ପାଉଣା ନାଁରେ ମଧ୍ୟ ଠକେଇ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ରାଜାଙ୍କୁ ମିଳୁଥିବା ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ଉଠାଇ ଦେଇଥିବାବେଳେ ହାଇକୋର୍ଟ ଆଜି ରାଜା ଚକ୍ରଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।