ଜୁନ୍ ୨୮ରୁ ରତ୍ନଭଣ୍ଡାର ମରାମତି

ଭୁବନେଶ୍ୱର : ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ସହ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୨୮ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇ ଜୁଲାଇ ୬ ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ବୈଷୟିକ କୋର କମିଟି ସଦସ୍ୟ ଏନ୍ ସି ପାଲଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତଥିଲେ । ଏପ୍ରିଲ ୨୯ରୁ ଜୁନ୍ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ ବୋଲି ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ତେବେ ଏହି ସମୟ ମଧ୍ୟରେ ବାହାର ରତ୍ନଭଣ୍ଡାରର ବାକି ଥିବା ଅନ୍ୟାନ୍ୟ କାର୍ଯ୍ୟ ଶେଷ କରିବା ନେଇ ବୈଠକରେ ନିଷ୍ପତି ହୋଇଅଛି । ଅପରପକ୍ଷରେ ରଥଯାତ୍ରା ପରଦିନ ଅର୍ଥାତ ଜୁନ୍ ୨୮ ତାରିଖ ଠାରୁ ଜୁଲାଇ ୬ ତାରିଖ ପର୍ଯ୍ୟନ୍ତ ଭିତର ରତ୍ନଭଣ୍ଡାରର ବାକି ରହିଥିବା ସମସ୍ତ ମରାମତି କାର୍ଯ୍ୟ ଶେଷ କରିବା ନେଇ ନିଷ୍ପତି ହୋଇଛି । ବାକି ରହିଥିବା ଚଟାଣ କାର୍ଯ୍ୟ କରାଯିବା ସହ ବାହାର ରତ୍ନଭଣ୍ଡାରରେ ଷ୍ଟେନଲେସ ବିମ୍ ଲଗାଯିବ । ଏଥିସହ ନଷ୍ଟ ହୋଇଥିବା ସମସ୍ତ ପଥର ମଧ୍ୟ ପରିବର୍ତ୍ତନ କରାଯିବ । ତେବେ ପୂର୍ବରୁ ଭିତର ରତ୍ନ ଭଣ୍ଡାରରେ ୯ଟି ଷ୍ଟେନଲେସ ବିମ୍ ଲାଗି ସାରିଥିବା ବେଳେ ମୋଟ ୨୭୭ ପଥର ପରିବର୍ତ୍ତନ କରାଯାଇଅଛି । ସେଥିମଧ୍ୟରୁ ୧୪୮ ପଥର ଭିତର ରତ୍ନଭଣ୍ଡାରରେ ଲାଗିଥିବା ଜଣାପଡ଼ିଛି । ଭଣ୍ଡାର ଘରର ଭିତର ଦ୍ୱାରକୁ ସୁନାଛାଉଣୀ କରିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ବାହାର ଦ୍ୱାରକୁ ରୁପା ଛାଉଣୀ କରାଯିବ । ଏନେଇ ପରବର୍ତୀ ସମୟରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେବେ ଗତ ୨୦୨୪ ମସିହା ଡିସେମ୍ବର ୧୭ରୁ ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚାରିମାସ ମଧ୍ୟରେ ସମୁଦାୟ ୧୯୩ ଘଣ୍ଟା ପାଞ୍ଚ ମିନିଟ କାର୍ଯ୍ୟ କରାଯାଇଥିଲା ।