ରାଜ୍ୟପାଳଙ୍କ ଏଡିସି ହେଲେ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ରାଜ୍ୟପାଳଙ୍କ ଏଡିସି ହେଲେ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର  : ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହୋଇଛନ୍ତି । ଲୋକ ଭବନରେ ଆୟୋଜିତ ଆନୁଷ୍ଠାନିକ ନିଯୁକ୍ତି ଉତ୍ସବରେ ରାଜ୍ୟପାଳ ଡ଼.ହରି ବାବୁ କମ୍ଭମପାଟି ଲେଫ୍ଟନାଣ୍ଟ ହର୍ଷିତ ଦେଓଙ୍କୁ ଏହି ସମ୍ମାନଜନକ ପଦବୀ ପ୍ରଦାନ କରିଛନ୍ତି । ଆଇଏନଏସ୍‌ ଆଦିତ୍ୟରେ ଡବ୍ଲ୍ୟୁକେଓ (ୱାଚ୍‌ କିପିଂ ଅଫିସର) ଭାବେ କାର୍ଯ୍ୟ କରିଥିବା ଲେଫ୍ଟନାଣ୍ଟ ଦେଓ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି । ଲେଫ୍ଟନାଣ୍ଟ ଦେଓ ପ୍ରତିଷ୍ଠିତ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଏନଡିଏ)ର ପ୍ରାକ୍ତନ ଛାତ୍ର ଓ ଆପ୍ଲାଇଡ୍‌ ଇଲେକ୍‌ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନରେ ବି.ଟେକ୍‌ ଡିଗ୍ରୀ ହାସଲ କରିଛନ୍ତି ।


    ଲେଫ୍ଟନାଣ୍ଟ ଦେଓ ଉତ୍ତରାଖଣ୍ଡ ରାଜ୍ୟ ଅଧୀନସ୍ଥ ଚମ୍ପାୱଟ ଜିଲ୍ଲାର ଲୋହାଘାଟର ସ୍ଥାନୀୟ ବାସିନ୍ଦା ଏବଂ ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସରକାରୀ ଶିକ୍ଷକ ନରେଶ ଦେଓଙ୍କ ପୁତ୍ର ଅଟନ୍ତି । ଲେଫ୍ଟନାଣ୍ଟ ଦେଓ ନିଜର ଉତ୍ତମ ଶୈକ୍ଷିକ ପୃଷ୍ଠଭୂମି ଓ ପେସାଦାର ନୌସେନା ଅଭିଜ୍ଞତା ସହିତ ଏହି ନୂଆ ଦାୟିତ୍ୱରେ ଯୋଗ ଦେଇଛନ୍ତି । ଭାରତୀୟ ନୌସେନା ଓ ରାଜ୍ୟ ପୁଲିସର ଦୁଇ ଜଣ ଏଡିସି ଓଡ଼ିଶା ରାଜ୍ୟପାଳଙ୍କୁ ସହଯୋଗ କରିଥାନ୍ତି ଓ ବର୍ତ୍ତମାନ ରାଜ୍ୟ ପୁଲିସର ଆଇପିଏସ୍‌ ଅଧିକାରୀ କୁଲଦୀପ ମୀନା ରାଜ୍ୟପାଳଙ୍କ ଅନ୍ୟତମ ଏଡିସି ଭାବେ କାର୍ଯ୍ୟରତ ଅଛନ୍ତି ।