ରାଜ୍ୟସ୍ତରୀୟ କିଶୋରୀ-କିଶୋର ସମାବେଶ ଉଦ୍ୟାପିତ : ମସ୍ତିଷ୍କ ସୁସ୍ଥ ରହିଲେ ସଠିକ୍ ନିର୍ଣ୍ଣୟ ନେବ: ପ୍ରଭାତୀ

 ଭୁବନେଶ୍ୱର : ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ଉପଲକ୍ଷେ ଅଦ୍ୱିକା କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ୱିଦିବସୀୟ ରାଜ୍ୟସ୍ତରୀୟ କିଶୋରୀ-କିଶୋର ସମାବେଶ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପିଲାମାନଙ୍କ "ସକାଳ ଯୋଗ' କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତା'ପରେ କିଶୋର-କିଶୋରୀମାନଙ୍କୁ ଉସôାହିତ କରିବା ସହ ରାଜ୍ୟସ୍ତରୀୟ ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପିଲାମାନଙ୍କୁ ଉଦ୍ବୋଧନ ଦେବା ସମୟରେ ପ୍ରଭାତୀ ପରିଡ଼ା କହିଥିଲେ କି, ଯୋଗ ମାଧ୍ୟମରେ ମାନସିକସ୍ତରରେ ସୁସ୍ଥ ରହିଲେ ନିର୍ଣ୍ଣୟ ନେବାର କ୍ଷମତା ବୃଦ୍ଧି ପାଇବ । କିଶୋର ବୟସରେ ସୁଯୋଗ ମିଳିଲେ କିଶୋର-କିଶୋରୀମାନଙ୍କ ପ୍ରତିଭା ଓ ଦକ୍ଷତାର ବିକାଶ ହୋଇପାରିବ ଓ ସେମାନଙ୍କ ଭବିଷ୍ୟତ ସହ ସମାଜ ବି ସୁଦୃଢ ହୋଇପାରିବ । ରାଜ୍ୟର ସମସ୍ତ କିଶୋର–କିଶୋରୀ ଜଣେ ଜଣେ ଅଦ୍ୱିକା ଲିଡର ବୋଲି ସେ ଉଲ୍ଲେଖ କରିଛନ୍ତି ।  ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯବଂଶୀ ସୂରଜ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ମହିଳା ଓ ଶିଶୁ ବିକାଶର ଏହି  ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ଏହିଭଳି କାର୍ଯ୍ୟକ୍ରମ କିଶୋରୀ-କିଶୋରମାନଙ୍କ ମଧ୍ୟରେ ନେତୃତ୍ୱ ନେବା, ଦଳଗତ କାର୍ଯ୍ୟ ଓ ଖେଳୁଆଡ ମନଭାବ ଗୁଣ ବିକଶିତ କରିବାରେ ସାହାଯ୍ୟ କରିବ ବୋଲି ସେ ଉଲ୍ଲେଖ କରିଥିଲେ ।