ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତା: ଶ୍ରେଷ୍ଠ ନାଟକ "ଅନ୍ଧାର’

 ନବରଙ୍ଗପୁର : ଅପ୍ରେଲ ୧୭ ତାରିଖରୁ କୋରାପୁଟ ଜିଲ୍ଲାର ନାଲକୋ ଦାମନଯୋଡିରେ ଥିବା ମୁକ୍ତ ଆକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ପଞ୍ଚପଟ୍ଟମାଳି ନାଟ୍ୟ ମହୋତ୍ସବ ଉଦ୍ୟାପିତ ହୋଇଛି ।  ଓଡିଶାର ବିଭିନ୍ନ ଜିଲ୍ଲାରୁ ଭଲ ଭଲ ନାଟ୍ୟ ଅନୁଷ୍ଠାନ ଦ୍ୱାରା ୧୬ଟି ନାଟକ ପ୍ରତିଦିନ ସନ୍ଧ୍ୟାରେ ପ୍ରଦର୍ଶିତ ହୋଇଛି । ଶହ ଶହ ଦର୍ଶକ ତାଳି ଏବଂ ଗାଳିରେ କମ୍ପୁଥିଲା ମଞ୍ଚ । ଆଜି ଥିଲା ଉଦ୍ୟାପନୀ ଦିବସ ବିଚାରକଙ୍କ ଦ୍ୱାରା ପ୍ରତିଯୋଗିତାରେ  ବିଭିନ୍ନ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇଥିବା, ଅଭିନେତା, ଅଭିନେତ୍ରୀ, ହାସ୍ୟ ଅଭିନେତା, ନାଟକ ନାମ ଘୋଷଣାର ଦିବସ । ଆଜିର ଏହି କାର୍ଯ୍ୟକ୍ରମରେ ଥିଏଟର ଅଭିଯାନ ଅନୁଷ୍ଠାନ କଟକ ପ୍ରାୟୋଜିତ ନାଟକ "ରକ୍ତର ରଙ୍ଗ’  ବିଚାରକଙ୍କ ଦୃଷ୍ଟିରେ ଶ୍ରେଷ୍ଠ ନାଟକ ରୂପରେ ବିବେଚନା ହୋଇଥିବା ବେଳେ, ୮ ଦିନ ଧରି ନାଟକ ଦେଖି ଆସୁଥିବା ଦର୍ଶକଙ୍କ ମତାମତକୁ ଭୋଟିଂ ମାଧ୍ୟମରେ ଅଧିକ ପସନ୍ଦ ଯୋଗ୍ୟ ନାଟକ ଭାବରେ ନବରଙ୍ଗପୁର ତ୍ରିଧାରା ନାଟ୍ୟ ସଂଘ ଦ୍ୱାରା ଗତ ୨୪ ତାରିଖ ସନ୍ଧ୍ୟାରେ ପ୍ରଦର୍ଶିତ  ନାଟକ "ଅନ୍ଧାର’ ଶ୍ରେଷ୍ଠ ନାଟକ ଭାବରେ ବିବେଚନା ହୋଇଛି । ଏଥିରେ ନବରଙ୍ଗପୁର ନାଟ୍ୟପ୍ରେମିଙ୍କ ମନରେ ଆନନ୍ଦ ଖେଳିଯାଇଛି । ନାଟ୍ୟକାର ଜଗନ୍ନାଥ ବେହେରାଙ୍କ ନିଦେ୍ର୍ଦଶନା ଏବଂ ରଚନାରେ ନବରଙ୍ଗପୁରର କଳାକାରଙ୍କୁ ନେଇ ଏହି ନାଟକ ପରିବେଷଣ ହୋଇଥିଲା । ଲାଞ୍ଚ ମିଛ ଦୁନିଆରେ "ମାର ମାର ଭାଣ୍ଡାରିଆକୁ ମାର’ ନ୍ୟାୟରେ ବଳି ପଡିଥିବା ଜଣେ ତଳ କର୍ମଚାରୀ କିପରି ଉଚ୍ଚ ଅଫିସରଙ୍କ ଚକ୍ରାନ୍ତରେ ପଡି ଘର ଦ୍ୱାରା ହରାଇ ରାସ୍ତାରେ ଭିକ ମାଗୁଛି ତାହାର ଏକ ଜ୍ୱଳନ୍ତ ଉଦାହରଣ ଏହି ନାଟକ ମାଧ୍ୟମରେ ଦେଖା ଦେଇଛି । ପ୍ରତିଯୋଗିତାରେ ଅନ୍ଧାର ନାଟକରେ ଅଭିନୟ କରିଥିବା ଶିଶୁ କଳାକାର ନିତ୍ୟ ପ୍ରକାଶ ନିଂଗି  ଓଡ଼ିଶାରେ ଦ୍ୱିତୀୟ ଶ୍ରେଷ୍ଠ ଶିଶୁ କଳାକାର ଏବଂ ପ୍ରକାଶିନୀ ଚୌଧୁରୀ ନିର୍ଣ୍ଣାୟକ ପାର୍ଶ୍ୱ ଅଭିନେତ୍ରୀ  ରୂପରେ ସମ୍ମାନିତ ହୋଇଛନ୍ତି  ।ଉକ୍ତ ନାଟକରେ ଦେବି ପ୍ରସାଦ ତ୍ରିପାଠୀ, ବିଭୁ ଦତ୍ତ ସେଠୀ, ଚୈତନ୍ୟ ବେହେରା, ରିତେଶ ପୂଜାରୀ, ଗୌର ହରି ତ୍ରିପାଠୀ, ଶିବ ଶଙ୍କର ତ୍ରିପାଠୀ, ପବିତ୍ର ଦତ୍ତ, ଶ୍ରୀନିବାସ ପାତ୍ର, ନିତ୍ୟ ପ୍ରକାଶ ନୀଙ୍ଗୀ ଏବଂ ପ୍ରକାଶିନୀ ଚୌଧୁରୀ ଅଭିନୟ କରୁଥିବା ବେଳେ, ସଙ୍ଗୀତରେ ସଜାଇ ଥିଲେ ଆମର ମହାନ୍ତି ଦେଇଥିଲେ । ନୋଜ ମହାରଣା, ରଘୁନାଥ ରଥ, ମୁନା ମହେନ୍ଦ୍ର, ରାକେଶ ପରିଡା, ଶ୍ୟାମ ସୁନ୍ଦର ନିଙ୍ଗୀ ସହଯୋଗରେ କରିଥିଲେ ।