ରାସ୍ତାରେ ୨ ଫୁଟର ପାଣି
ଧର୍ମଶାଳା: ସକାଳୁ ଝିପି ଝିପି ମଧ୍ୟାହ୍ନ ୧୨ଟାରୁ ପ୍ରବଳ ବର୍ଷା ଲାଗିରହିଥିଲା । ଯାହା ଫଳରେ କାମରେ ବାହାରକୁ ଯାଇ ଘରକୁ ଫେରିବା ସମ୍ଭବପର ହୋଇପାରିନଥିଲା । ମୂଶଳଧାରାର ବର୍ଷା ଲାଗିରହିବାରୁ ଲୋକେ ଯିଏ ଯୋଉଁଠି ଯାଇଥିଲେ ଘରକୁ ଫେରି ନପାରି ସେଠାରେ ଅଟକି ଯାଇଥିଲେ । ଚଳିତ ବର୍ଷ ଗୋଟିଏ ଦିନରେ ଏହା ସର୍ବାଧିକ ବର୍ଷା ହୋଇଥିବା କୁହାଯାଉଛି । ଗତ ୨ ଦିନରେ ଧର୍ମଶାଳା ବ୍ଲକରେ ୯୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଆଜି ଗୋଟିଏ ଦିନରେ ସମସ୍ତ ରେକର୍ଡ ଭାଙ୍ଗି ସର୍ବାଧିକ ବର୍ଷା ହୋଇଛି । ମୁଶଳଧାରାରେ ବର୍ଷା ଫଳରେ ଜାରକା-ଶାନ୍ତିବଜାର ରାସ୍ତାରେ ୨ଫୁଟ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଥିଲା । ଧର୍ମଶାଳା ସବରେଜିଷ୍ଟାର କାର୍ଯ୍ୟାଳୟରେ ପାଣି ପସିଯାଇଥିଲା ବେଳେ ଖବର ପାଇ ଚଣ୍ଡିଖୋଲ ଦମକଳ ବାହିନୀ କର୍ମଚାରୀ ସେଠାରେ ପହଁଚି ମଟର ଲଗାଇ ପାଣିି ନିଷ୍କାସନ କରିଥିଲେ । ସେହିପରି ଏହି ଲଗାଣ ବର୍ଷାରେ ଶାନ୍ତିବଜାର ନିକଟରେ ଥିବା ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି । ସେହିପରି ଗାଁଗଣ୍ଡାରେ ଥିବା ପୋଖରୀ ଗୁଡିକ ଉଛୁଳି ଯାଇଛି । ବର୍ଷା ଲାଗିରହିବାରୁ କାମକୁ ଯାଇଥିବା ଦିନ ମଜୁରିଆମାନେ ଅଧାରୁ କାମରୁ ଫେରିଛନ୍ତି । ଏହି ବର୍ଷା ପରେ ଏକ ବଡଧରଣର ବନ୍ୟା ଆସିବା ନେଇ ଆଶଙ୍କା କରାଯାଇଛି । ବର୍ତମାନ ବ୍ରାହ୍ମଣୀ ନଦୀର ରେଙ୍ଗାଲି ଡ୍ୟାମରେ ୧୨୨.୬୯ ମିଟର ବନ୍ୟାଜଳ ରହିଥିବା ବେଳେ ବନ୍ୟାଜଳ ନିଷ୍କାଶନ ପାଇଁ ଡୟାମର ଗୋଟିଏ ଗେଟକୁ ଆଜି ଖୋଲିଦିଆଯାଇଥିବା ୱେବସାଇଟ ରିପୋର୍ଟରୁ ଜଣାପଡିଛି ।