ରାସ୍ତା ଅବସ୍ଥା ଶୋଚନୀୟ : ପାଣିରେ ପଶି ଯାତାୟାତ କରୁଛନ୍ତି ପଥଚାରୀ

 ସାଲେପୁର : ଚନ୍ଦ୍ରାଦେଇପୁର ପଞ୍ଚାୟତର ୨ଟି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ, ଏହି ରାସ୍ତାର ମରାମତି କରାନଯିବା ଓ ରାସ୍ତାରୁ ପାଣି ନିଷ୍କାସନ କରାନଯିବାରୁ ଲୋକମାନେ ବାଧ୍ୟ ହୋଇ ପାଣିକାଦୁଅରେ ପଶି ଯାତାୟତ କରୁଛନ୍ତି । ଏହାନେଇ ସ୍ଥାନୀୟ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନଥିବାରୁ ଏହି ପାଣି କାଦୁଅ ପୂର୍ଣ୍ଣ ରାସ୍ତାରେ କୁନି କୁନି ସ୍କୁଲ ପିଲାଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାମାନେ ଯାତାୟତ କରିବାକୁ ବାଧ୍ୟ ହେଉଛନ୍ତି । ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ସ୍କୁଲର ଦକ୍ଷିଣ ପାଶ୍ୱର୍ ବାରିକ ସାହି ରାସ୍ତା ଦୀର୍ଘଦିନ ହେବ ପାଣି କାଦୁଅରେ ପରିପୂର୍ଣ୍ଣ ହେବା ସହ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତମାନ ସୃଷ୍ଟି ହୋଇଛି । ଏହି ରାସ୍ତାରୁ ବର୍ଷାଜଳ ନିଷ୍କାସିତ ହୋଇପାରୁନଥିବାରୁ ରାସ୍ତାରେ ପାଣି ଜମି ହୋଇ ରାସ୍ତାଟି ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଗର୍ତ୍ତ ସୃଷ୍ଟି ହୋଇ ପାଣି ଜମି ରହୁଥିବାବେଳେ ଅଧିକାଂଶ ସ୍ଥାନରେ ରାସ୍ତାରେ କାଦୁଅ ଜମା ହୋଇ ରହିଛି । ଫଳରେ ଏହି ରାସ୍ତାରେ ନିୟମିତ ଯାତାୟତ କରୁଥିବା ପଥଚାରୀମାନେ ପାଣି ଭିତରେ ଥିବା ଗର୍ତ୍ତକୁ ଜାଣିନପାରି ଦୁର୍ଘଟଣାଗ୍ରସ୍ତ ହେଉଥିବାବେଳେ ବିଦ୍ୟାଳୟର କୁନି କୁନି ପିଲାମାନେ ବାଧ୍ୟ ହୋଇ ଏହି ପାଣିରେ ଯାତାୟତ କରୁଛନ୍ତି । ଏହି ରାସ୍ତା ଉପରେ ବାରିକସାହି, ଭୂୟାଁସାହି, ମହାପାତ୍ର ସାହିର ଲୋକମାନେ ନିର୍ଭରଶୀଳ ହୋଇଥିବାବେଳେ ଏହି ରାସ୍ତାଟି ଅତ୍ୟନ୍ତ ଦୟନୀୟ ହୋଇପଡିଛି । ସେହିପରି ଚନ୍ଦ୍ରାଦେଇପୁର ସ୍କୁଲର ପଛପଟ ରାସ୍ତାଟି ଏହି ରାସ୍ତା ପରି ସମନ ପରିସ୍ଥିତିରେ ରହିଛି । କୁଆଁପାଳ ମୁଖ୍ୟ ରାସ୍ତାରୁ ବେହେରା ସାହିକୁ ସଂଯୋଗ କରୁଥିବା ଏହି ରାସ୍ତାରୁ ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ଏହି ରାସ୍ତାରେ ଆଣ୍ଠୁଏ ଲେଖାଁ ପାଣି ଜମି ରହିବା ସହ ରାସ୍ତାଟି ଅତ୍ୟନ୍ତ ଖରାପ ହୋଇରହିଛି । ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀ ଓ ଛୋଟ ଛୋଟ ପିଲାମାନେ ବାଧ୍ୟ ହୋଇ ପାଣିରେ ପଶି ଯାତାୟତ କରୁଛନ୍ତି । ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଉଭୟ ରାସ୍ତାକୁ ଉଚ୍ଚ କରିବା ସହ ରାସ୍ତା ମରାମତି କରିବାପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।