ଫେଲ୍ ମାରୁଛି ବନ୍ଧ୍ୟାକରଣ ଯୋଜନା
କଟକ : ସଂପ୍ରତି ସହରରେ ବୁଲା କୁକୁରଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇଛି । ସହର ସାରା ଅଧିକାଂଶ ଗଳି ଓ ଛକରେ ମାଳମାଳ କୁକୁର ବୁଲୁଛନ୍ତି । ପ୍ରତିଦିନ ସହରରେ ଏକାଧିକ ଲୋକେ କୁକୁର କାମୁଡ଼ାରେ ଆହତ ହେଉଛନ୍ତି । ଏଥିଲାଗି ସହରବାସୀ କଲବଲ ହେଉଥିବାବେଳେ ପୌର ନିଗମ କିନ୍ତୁ ବେଫିକର । ସହରରେ ଗତ ୧୦ବର୍ଷ ମଧ୍ୟରେ କୁକୁର ସଂଖ୍ୟା ୩ ଗୁଣରୁ ଅଧିକ ବଢ଼ିଥିବା ଜଣାପଡ଼ିଛି । ପ୍ରତିମାସରେ କୁକୁର ବନ୍ଧ୍ୟାକରଣ ଯୋଜନାରେ ୧ଲକ୍ଷ ୭୬ହଜାର ୭୬୦ଟଙ୍କା ଖର୍ଚ୍ଚ ହେଉଥିବା ଖବର ମିଳିଛି । ହିସାବ କଲେ ଏ ବାବଦରେ ବାର୍ଷିକ ଖର୍ଚ୍ଚ ପାଖାପାଖି ୨୦ ଲକ୍ଷ ଟଙ୍କା ହେଉଛି । ବର୍ଷକୁ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେଉଥିଲେ ବି ସହର ଯାକ ବୁଲା କୁକୁର ହାଉଯାଉ ହେଉଛନ୍ତି । ନିଗମ ପକ୍ଷରୁ ବୁଲା କୁକୁର ବନ୍ଧ୍ୟାକରଣ ଯୋଜନା ଏକ ପ୍ରକାର ଫେଲ ମାରିଛି ବୋଲି ସାଧାରଣରେ ଅଭିଯୋଗ ହେଉଛି ।
ପ୍ରକାଶ ଯେ, ନିଗମ ପକ୍ଷରୁ ୨୦୦୪ ରେ ସାର୍ତ୍ତୋଳରେ କୁକୁର ବନ୍ଧ୍ୟାକରଣ ଯୋଜନା ଆରମ୍ଭ ହୋଇଥିଲା । ୧୨ଲକ୍ଷ ଟଙ୍କାରେ ତିଆରି ହୋଇଥିଲା ଡଗ କ୍ୟାନେଲ । ଏକକାଳୀନ ୭୫ଟି କୁକୁରଙ୍କୁ ରଖି ବନ୍ଧ୍ୟାକରଣ କରିବାର ଏଠାରେ ବ୍ୟବସ୍ଥା କରାଯାଇଥିଲା । ୨୦୦୪ରୁ ୨୦୧୩ ମଧ୍ୟରେ ଘରୋଇ ସଂସ୍ଥା ମାଧ୍ୟମରେ କୁକୁର ଧରିବା, ଅସ୍ତ୍ରୋପଚାର ଓ ୭ ଦିନ ଧରି ଚିକିତ୍ସା ଦେବା ସହିତ ଧରା ହୋଇଥିବା ସ୍ଥାନରେ ଛାଡ଼ିବା କାମ କରାଯାଉଥିଲା । ମାତ୍ର୨୦୧୪ରୁ ନିଗମ ନିଜେ କୁକୁର ବନ୍ଧ୍ୟାକରଣ କାମ କରିବାକୁ ସ୍ଥିର କରି ଡାକ୍ତରଙ୍କୁ ନିୟୋଜିତ କରିଥିଲା । ପରେ ଏହି ସଂଖ୍ୟା ୮୯କୁ ବୃଦ୍ଧି ପାଇଥିଲା । ହେଲେ ଆବଶ୍ୟକ ସଂଖ୍ୟାର ଡାକ୍ତର ଓ କର୍ମଚାରୀ ଅଭାବରୁ ଏଠାରେ ଧୀରେ ଧୀରେ କୁକୁର ବନ୍ଧ୍ୟାକରଣ କାମ କମିବାରେ ଲାଗିଲା । ସେପଟେ ବକ୍ସିବଜାର ପଶୁ ଚିକିତ୍ସାଳୟରେ ୨୦୧୬ରୁ ୩୭ଲକ୍ଷ ଟଙ୍କା ବ୍ୟୟରେ କୁକୁର ବନ୍ଧ୍ୟାକରଣ ପାଇଁ ଅତ୍ୟାଧୁନିକ ଅପରେସନ ଥିଏଟର ନିର୍ମାଣ ହୋଇଥିଲା । ମାତ୍ର ଆରମ୍ଭରୁ ଏହା ବ୍ୟବହାର ନ ହୋଇ ପଡ଼ି ରହିଥିବାରୁ ଏହା ମଧ୍ୟରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ ଆସବାବପାତ୍ର ଖତ ଖାଉଥିବା ଅଭିଯୋଗ ହେଉଛି । ୨୦୧୩ ରେ ଶେଷଥର ପାଇଁ ସହରରେ ବୁଲା କୁକୁର ଗଣନା କରାଯାଇଥିଲା । ସେ ସମୟରେ ସହରରେ ପାଖାପାଖି ୪୦ହଜାର କୁକୁର ଥିଲେ । ଏବେ ୧୨ବର୍ଷ ପରେ ସେମାନଙ୍କ ସଂଖ୍ୟା ୧ଲକ୍ଷ ଉପରେ ପହଞ୍ଚôଲାଣି । କୁକୁର ବଂଶ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସଂଖ୍ୟାର ଡାକ୍ତର, କୁକୁର ଧରା କର୍ମଚାରୀ ନିୟୋଜିତ ସହ ଗାଡ଼ି ଓ ଭିତ୍ତିଭୂମିର ବିକାଶ କରିବା ପାଇଁ ସାଧାରଣରେ ଦାବି ହୋଇଛି ।