ରିଲିଫ୍ ଟଙ୍କାରେ ମସଜିଦ୍ : ଅପରେସନ ସିନ୍ଦୁରରେ ଧ୍ୱଂସ ହୋଇଥିଲା ଲସ୍କରଙ୍କ ଆଡ୍ଡାସ୍ଥଳୀ
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୁରରେ ମାଟିରେ ମିଶି ଯାଇଥିଲା ଲସ୍କରଙ୍କ ଆଡ୍ଡାସ୍ଥଳୀ । ମାର୍କଜ ତାଇବା ଠାରେ ଥିବା ମସଜିଦ ହିଁ ଲସ୍କରଙ୍କ କେନ୍ଦ୍ରସ୍ଥଳୀ ଥିଲା । ଏବେ ତାହାର ପୁନଃନିର୍ମାଣ ଆରମ୍ଭ ହୋଇଛି । ବନ୍ୟା ରିଲିଫ୍ ନାଁରେ ଲସ୍କର ନେତାମାନେ ଏଥିପାଇଁ ପାଣ୍ଠି ଯୋଗାଡ଼ କରୁଥିବା ଜାଣିବାକୁ ମିଳିଛି ।
ଗତ ଅଗଷ୍ଟ ୧୮ରୁ ମସଜିଦ ପୁନଃନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଜେସିବିରେ ପୂରା ମସଜିଦକୁ ମାଟିରେ ମିଶାଇ ଦିଆଯାଇଥିଲା ।
ମସଜିଦ ନିର୍ମାଣ ପାଇଁ ପାକିସ୍ତାନ ସରକାର କିଛି ଅର୍ଥ ପ୍ରଦାନ କରିଥିବାବେଳେ ଲସ୍କର ନେତୃତ୍ୱଙ୍କ ଜରିଆରେ ବନ୍ୟା ରିଲିଫ୍ ନାମରେ ଅର୍ଥ ଯୋଗାଡ଼ କରାଯାଉଛି । ସେହିପରି ଆଖପାଖରେ ଧ୍ୱଂସ ହୋଇଯାଇଥିବା ଆଡ୍ଡାସ୍ଥଳୀକୁ ଗତ ସେପ୍ଟେମ୍ବର ୪ ସୁଦ୍ଧା ମାଟିରେ ମିଶାଇ ଦିଆଯାଇଛି । ପୁନଃ ନିର୍ମାଣ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ମାର୍କଜ ତାଇବାରେ ମସଜିଦ ଓ ଅନ୍ୟ ଭିତ୍ତିଭୂମିର ପୁନଃ ନିର୍ମାଣ ପାଇଁ ପାକ୍ ସରକାର ୪ କୋଟି ଟଙ୍କା ଦେଇଛନ୍ତି । ଭାରତୀୟ ମୁଦ୍ରାରେ ତାହାର ମୂଲ୍ୟ ୧.୨୫ କୋଟି ଟଙ୍କା ହେବ । ମସଜିଦ୍ ନିର୍ମାଣ ପାଇଁ ପ୍ରାୟ ୧୫ କୋଟି ପାକିସ୍ତାନୀ ମୁଦ୍ରାର ଆବଶ୍ୟକତା ରହିଛି । ତେଣୁ ଅନଲାଇନ୍ ଓ ଅଫଲାଇନ ଜରିଆରେ ବନ୍ୟା ରିଲିଫ୍ ପ୍ରଦାନ ପାଇଁ ବ୍ୟାନର କରି ଲସ୍କରମାନେ ରାସ୍ତା ଉପରେ ଠିଆ ହେଉଛନ୍ତି । ୨୦୦୫ରେ ମଧ୍ୟ ଲସ୍କର ପକ୍ଷରୁ ଭୂକମ୍ପ ରିଲିଫ୍ ପାଇଁ ଅର୍ଥ ମଗା ଯାଇଥିବାବେଳେ ଏହାର ୮୦% ଅର୍ଥ ଆତଙ୍କୀଙ୍କ ଭିତ୍ତିଭୂମିରେ ଖର୍ଚ୍ଚ ହୋଇଥିଲା । ସମ୍ପ୍ରତି ଲସ୍କର ନେତା ମୌଲାନା ଆବୁ ଜାର୍, ମୁଖ୍ୟ ପ୍ରଶିକ୍ଷକ ଉସ୍ତାଦ ଉଲ୍ ମୁଜାହିଦ୍ଦିନ ଓ କମାଣ୍ଡାର ୟୁନୁସ ଶାହ ବୁଖାରୀ ମାର୍କଜ ତାଇବାର ପୁନଃନିର୍ମାଣ ଦାୟିତ୍ୱ ନେଇଛନ୍ତି ।