କେତେ ମୁଣ୍ଡ ଗଡ଼ାଇବେ ନବୀନ? ଶଙ୍ଖରେ ଲାଗିଛି ଅସନ୍ତୋଷର ନିଅାଁ

ଭୁବନେଶ୍ୱର: ଯାହାକହୁଛ କୁହ, ଯାହାକରୁଛ କର, ହେଲେ ଭିକେ ପାଣ୍ଡିଆନଙ୍କ ବିରୋଧରେ ବୁଲେଇ ବଙ୍କେଇ କହିଲେବି ଆଉ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବରଦାସ୍ତ କରିବେ ନାହିଁ । ଏହା ଏବେ ନବୀନଙ୍କ ଅଘୋଷିତ ଗାଇଡ଼ଲାଇନ୍ ହୋଇଯାଇଛି ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି । ଅବଶ୍ୟ ପ୍ରଫୁଲ୍ଲ ମଲ୍ଲିକଙ୍କ ନିଲମ୍ବନ ପରେ ଦଳରେ ଏମିତି ଚର୍ଚ୍ଚା ହେବା ସ୍ୱାଭାବିକ ।
କଥା ହେଉଛି, ନବୀନ ଏମିତି କେତେ ମୁଣ୍ଡ ଗଡ଼ାଇବେ । ଚବିଶ ନିର୍ବାଚନ ପରେ ଗାଁରୁ ରାଜଧାନୀ ଯାଏଁ ଅନେକ ନେତାଙ୍କ ମନରେ ଅସନ୍ତୋଷର ନିଅାଁ ହୁ ହୁ ହୋଇ ଜଳୁଛି । କିଏ ଗଣମାଧ୍ୟମରେ କହୁଛି ତ କିଏ ଖଟିରେ ଅବା ବିଜେଡ଼ି ମିଟିଂରେ ବି କହୁଛି । ଦଳରେ ପ୍ରତିଦିନ କେହିନା କେହି ଗଣମାଧ୍ୟମକୁ ଦଳ ସମ୍ପର୍କରେ କହୁଛନ୍ତି । ଅସନ୍ତୋଷ ଝାଡୁଛନ୍ତି । ଏହାର କିଛି ଉଦାହରଣ ଦେଲେ ପାଠକେ ଭଲରେ ବୁଝିପାରିବେ ।
ରଣେନ୍ଦ୍ର ପ୍ରତାପ ସ୍ୱାଇଁ କିଭଳି ଅସନ୍ତୋଷ ଝାଡ଼ିଲେ ସେନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଯେଉଁଥିପାଇଁ ନୂଆ ଡାଇଲଗ, ‘ଆଇ ଆମ ଡାଉନ, ବଟ ନଟଆଉଟ୍’ ଶୁଣିବାକୁ ମିଳିଥିଲା । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବି ମଉକା ମିଳିଲେ ଅସନ୍ତୋଷ ଝାଡ଼ିବାର ସୁଯୋଗକୁ ହାତଛଡ଼ା କରୁନାହାନ୍ତି । ଶ୍ରୀମୟୀ ମିଶ୍ର ଫେସବୁକରେ ନିଇତି ରୋଷ ଝାଡୁଛନ୍ତି । ରାମାୟଣ, ମହାଭାରତ କଥା ଛଳରେ ବିନ୍ଧିବା ଭଳି କଥା କହୁଛନ୍ତି । ଅରୁଣ ସାହୁଙ୍କ ମନରେ ବି ଏମିତି ବିଦ୍ରୋହର ନିଅାଁ ଜଳୁଛି । ପିଲାଙ୍କୁ ପ୍ରତି ରବିବାର ପାଠ ପଢ଼ାଇବା ବାହାନାରେ ମଞ୍ଜ ଭେଦିବା ଭଳି କଥା କହୁଛନ୍ତି । କିନ୍ତୁ ଚାଲାକ୍ ଅରୁଣ କାହା ନାଁ ନେଉନାହାନ୍ତି, ହେଲେ ଯାହାଦେହରେ ବାଜିବା କଥା ଠିକ୍ ବାଜୁଛି ।
ଗଣମାଧ୍ୟମରେ ସାକ୍ଷାତକାର ଦେଇ ଶଶୀଭୂଷଣ ବେହେରା ବି ରୋଷ ଝାଡୁଛନ୍ତି । ପାଣ୍ଡିଆନଙ୍କୁ ନିଶାନା ସାଧୁଛନ୍ତି । ଭୂପିନ୍ଦର ସିଂ ବି ସେଇ ରାସ୍ତାରେ । କଂଗ୍ରେସରୁ ବିଜେଡ଼ିକୁ ଆସି ରାଜ୍ୟସଭା ଓ ବିଧାନସଭା ଗଲେ । ଏବେ ବିଜେଡ଼ି ଉପରେ ଭରସା ତୁଟିଯାଇଛି । ସେ ବି ମଝିରେ ମଝିରେ ପାଣ୍ଡିଆନଙ୍କୁ ଇଙ୍ଗିତ କରି କହିବାରେ ପଛାଉନାହାନ୍ତି । କେନ୍ଦୁଝରର ଟାଣୁଆ ନେତା ବଦ୍ରି ନାରାୟଣ ପାତ୍ର ବି କାହାକୁ ଛାଡୁନାହାନ୍ତି । ୨୦୨୪ରେ ଦଳ ତାଙ୍କ କଥା ନରଖିବାର ରାଗ ବି ରହିଛି । ଏମିତିବି ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବାପରେ କେନ୍ଦୁଝରର ସବୁ ବିଜେଡ଼ି ନେତା ମୋହନଙ୍କ ପଛରେ ଠିଆ ହୋଇଛନ୍ତି ।
ପଦ୍ମନାଭ ବେହେରା ବି ତେରେଛା ବାଣ ମାରିଥିଲେ । ଏବେ ସେ ସୋନପୁର ଛାଡ଼ି ନିଜର ପୁରୁଣା ଯାଗା କନ୍ଧମାଳ ମୁହାଁ ହୋଇଛନ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କ ପ୍ରସଙ୍ଗରେ ସେ ବି ଦଳକୁ ଶାଣିତ ସମାଲୋଚନା କରିଥିଲେ । କିନ୍ତୁ ପରେ କଥା ବଦଳାଇ ଦେବା ଘଟଣା ବି ଚର୍ଚ୍ଚା ସୃଷ୍ଟିକରିଛି । ଡାକ୍ତର ନୃସିଂହ ଚରଣ ସାହୁ ହେଉଛନ୍ତି ଢେଙ୍କାନାଳର ଟାଣୁଆ ନେତା । ସେ କେମିତି ଟାର୍ଗେଟ୍ କରିଥିଲେ ତାହା ସମସ୍ତେ ଶୁଣିଛନ୍ତି । ହେଲେ ଜିଲ୍ଲା ସଭାପତି ପଦ ମିଳିବା ପରେ ସେ ଟିକେ ନରମି ଯାଇଛନ୍ତି । ସହଜେ ତ ଭାସ୍କର ରାଓ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ବିଜୁ ସ୍ୱାଭିମାନ ମଞ୍ଚ ଗଢ଼ିଛନ୍ତି । ଅବଶ୍ୟ ଦଳ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ସେ ନିଜେ ଇସ୍ତଫା ଦେଇଛନ୍ତି ।
ଯୁବ ଛାତ୍ରଙ୍କ ଅସନ୍ତୋଷ ତ ସାରା ଓଡ଼ିଶା ଦେଖୁଛି । ନିକଟରେ ଯୁବନେତା ହରିଶଙ୍କର ରାଉତ ପାଣ୍ଡିଆନ୍, ବାପି ରାୟଙ୍କ ବିରୋଧରେ ବର୍ଷିବା ସହ ଦଳ ଛାଡ଼ିଛନ୍ତି । ଯୁବ ଓ ଛାତ୍ର ସଭାପତି ଚୟନକୁ ବିରୋଧ କରି ଦଳେ ମେଳି ବି ବାନ୍ଧିଥିଲେ । ଗାଁ ନେତାମାନେ ଅସନ୍ତୋଷ ଝାଡ଼ିବାର ମଉକା ପାଉନାହାନ୍ତି । ଗଣମାଧ୍ୟମ ତାଙ୍କର ମତାମତ ନେଇପାରୁନାହିଁ । ହେଲେ ଗାଁ ଖଟିରେ ପାଣ୍ଡିଆନଙ୍କ ବିରୋଧରେ ବିଷୋଦଗାର କରୁଛନ୍ତି । ଅଧିକ ଅସନ୍ତୁଷ୍ଟ ନେତା ଆଉ କିଛି ନକହି ସିଧା ବିଜେପିର ପଦ୍ମ ପୋଖରୀରେ ବୁଡ଼ ପକାଇ ଦେଉଛନ୍ତି ।
ଗାଁରୁ ରାଜଧାନୀ, ଛୋଟରୁ ବଡ଼ ସବୁ ନେତାଙ୍କ ମନରେ ଅସନ୍ତୋଷର ନିଅାଁ ଜଳୁଥିବାବେଳେ ନବୀନ କେତେ ଜଣଙ୍କ ମୁଣ୍ଡ ଗଡ଼ାଇବେ ? ମୁଣ୍ଡ ଗଡ଼ିଲେ ଦଳ ମଜବୁତ୍ ହେବ ନା ଗୁଣ୍ଡ ହେବ ତାହାର ଉତ୍ତର ସମୟ ହିଁ ଦେବ ।