ରେଡିଓ ସିଲୋନ ରେଡିଓକୁ ଜୀବନ ଦେଇଥିଲା
ମହାମେଘବାହନ ଐର ଖାରବେଳ ସ୍ୱାଇଁ : ଟିଭିର ସୃଷ୍ଟି ହେବା ପୂର୍ବରୁ ରେଡିଓ ବହୁଦିନ ହେଲା ଚାଲିକରି ଥିଲା । କିନ୍ତୁ ଭାରତରେ କେବଳ ଖବର ପରିବେଷଣ ଛଡ଼ା ଏହା ଅନ୍ୟ କିଛି କାମରେ ଲାଗୁ ନ ଥିଲା । ରେଡିଓ ସେତେବେଳେ ଲୋକମାନଙ୍କର ମନୋରଞ୍ଜନର ମୁଖ୍ୟ ନ ଥିଲା । ତା’ପରେ ୧୯୫୨ରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବି.ଭି.କେସ୍କର ଅଲ୍ ଇଣ୍ଡିଆ ରେଡିଓରୁ ଚଳଚ୍ଚିତ୍ର ସଂଗୀତକୁ ବାସନ୍ଦ କରିଥିଲେ । ସେତେବେଳେ ଫିଲ୍ମ ସଂଗୀତ ଶୁଣିବା ଦ୍ୱାରା ଲୋକମାନଙ୍କ ମନରେ ଯୌନ ଉତ୍ତେଜନା ସୃଷ୍ଟି ହେଉଥିଲା ବୋଲି ମନ୍ତ୍ରୀ ମହୋଦୟଙ୍କର ମଧ୍ୟ ଧାରଣା ଥିଲା । ସେତେବେଳେ ଅଲ୍ ଇଣ୍ଡିଆ ରେଡିଓରେ କେବଳ ଶାସ୍ତ୍ରୀୟ ସଂଗୀତ ଶୁଣାଯାଉଥିଲା । ତେଣୁ ଏହାର ଅର୍ଥ ହେଉଛି ଯେଉଁମାନେ କେବଳ ରେଡିଓ ଶୁଣୁଥିଲେ ସେମାନେ ମନକୁ ଆନନ୍ଦିତ କରୁଥିବା ସଂଗୀତ ଶୁଣିପାରୁନଥିଲେ । ସେମାନେ କେବଳ ଫିଲ୍ମଗୀତଗୁଡ଼ିକ ଗ୍ରାମୋଫୋନ୍ ଦ୍ୱାରା ଶୁଣିପାରୁଥିଲେ । ସେତିକିବେଳେ ସୃଷ୍ଟି ହେଲା ରେଡିଓ ସିଲୋନ ଏବଂ ତା’ର ତରଙ୍ଗମାନ ବିଭିନ୍ନ ଚଳଚ୍ଚିତ୍ର ସଂଗୀତଗୁଡ଼ିକକୁ ମଧ୍ୟ ରିଲେ କରୁଥିଲା । ଏପରିକି ସେହି ଚଳଚ୍ଚିତ୍ରଗୁଡ଼ିକ ଗୃହରେ ପ୍ରଦର୍ଶିତ ହେବା ପୂର୍ବରୁ ଏଥିରେ ରେଡିଓ ସିଲୋନରେ ଗାନ କରାଯାଉଥିଲା ।
ରେଡିଓ ସିଲୋନ ସୃଷ୍ଟି ହେବା ଫଳରେ ରେଡିଓର ଭାବମୂର୍ତ୍ତିକୁ ଏହା ରାତାରାତି ପରିବର୍ତ୍ତନ କରିଦେଲା । ସେତେବେଳେ ରେଡିଓ ସିଲୋନରେ ବିନାକା ଗୀତମାଲା ବୋଲି ପ୍ରତି ସପ୍ତାହରେ ହିନ୍ଦୀ ସଂଗୀତର ଘଣ୍ଟିକିଆ କାର୍ଯ୍ୟକ୍ରମ ପ୍ରସାରିତ କରୁଥିଲା । ଏହା ବଲିଉଡର ଚଳଚ୍ଚିତ୍ରମାନଙ୍କର ସଂଗୀତମାନଙ୍କୁ ଶ୍ରୋତାମାନଙ୍କ ଆଗରେ ଉପସ୍ଥିତ କରୁଥିଲା । ‘ବିନାକା ଗୀତମାଲା’ ସେତେବେଳେ ଏତେ ପ୍ରିୟ ହୋଇଥିଲା ଯେ, ଭାରତର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଏହି ସାପ୍ତାହିକ ‘ବିନାକା ଗୀତମାଲା’ରୁ ଗୀତ ଶୁଣୁଥିଲେ । ‘ବିନାକା ଗୀତମାଲା’ର ଉପସ୍ଥାପକ ଥିଲେ ଅମିତ ଶାୟାନି । ୧୯୫୭ ମସିହାରୁ ଅମିତ ଶାୟାନି ଯେତେବେଳେ ସଂଗୀତର ଉପସ୍ଥାପନ କଲେ ସେତେବେଳେ ବହୁବେଶୀ ପରିମାଣରେ ଦର୍ଶକ ତାକୁ ଶୁଣିଲେ । ଏହାର ପରିଣାମ ଏପରି ହେଲା ଯେ, ଏହାପରେ ଅଲ୍ ଇଣ୍ଡିଆ ରେଡିଓ ବାଧ୍ୟ ହେଲା ସିନେମା ସଂଗୀତକୁ ଉପସ୍ଥାପିତ କରିବା ପାଇଁ । ଏହା ଫଳରେ ରେଡିଓ ସିଲୋନର ଲୋକପ୍ରିୟତା ଭାରତରେ ବହୁତ ବଢ଼ିଗଲା । ଅମିତ ଶାୟାନି ୩୨ ବର୍ଷ ଧରି ଏହି ବ୍ୟବସାୟକୁ ବଢ଼ାଇ ଚାଲିଥିଲେ । ଯେତେବେଳେ ଅମିତ ଶାୟାନି ଏହି ସଂଗୀତକୁ ଉପସ୍ଥାପନ କଲେ ସେତେବେଳେ ନିଶ୍ଚିତ ଭାବରେ ଅଲ୍ ଇଣ୍ଡିଆ ରେଡିଓରେ ହିନ୍ଦୀ ସିନେମା ସଂଗୀତ ଉପସ୍ଥାପିତ କରାଗଲା ।
ସେତେବେଳେ ରେଡିଓ ସିଲୋନ ହେଲା ସାଂସ୍କୃତିକ ସେତୁ ଭାରତ, ପାକିସ୍ତାନ ଓ ବର୍ମା ମଧ୍ୟରେ । କାରଣ ଏହି ତିନୋଟି ଦେଶର ଲୋକମାନେ ହିନ୍ଦୀ ସଂଗୀତକୁ ରେଡିଓ ସିଲୋନରୁ ଶୁଣିପାରିଲେ । ସେତେବେଳେ ଏହି ରେଡିଓ ସିଲୋନର ‘ବିନାକା ଗୀତମାଲା’ ପାଇଁ ଏହାକୁ ବିଜ୍ଞାପନ ଅନେକ ପରିମାଣରେ ମିଳୁଥିଲା । ରେଡିଓ ସିଲୋନ ମାଧ୍ୟମରେ ବିଜ୍ଞାପନ ପ୍ରସାର ଥିଲା ସେତେବେଳେ ଗୋଟିଏ ନୂଆ କଥା । ମାଡ୍ରାସ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ସାମ୍ବାଦିକତା ବିଭାଗରେ କାମ କରୁଥିଲେ । ସେ ଏବେ ରେଡିଓ ସିଲୋନ ବିଷୟରେ ଗୋଟିଏ ପୁସ୍ତକ ମଧ୍ୟ ଲେଖିଛନ୍ତି । ଏହା ହେଉଛି ରେଡିଓ ସମ୍ପର୍କରେ ଲେଖାଥିବା ଏସିଆ ମହାଦେଶର ପ୍ରଥମ ପୁସ୍ତକ । ସେତେବେଳେ ରେଡିଓ ସିଲୋନ ଥିଲା ଦ୍ୱିତୀୟ ଶ୍ରେଷ୍ଠ ରେଡିଓ କେନ୍ଦ୍ର ସାରା ଏସିଆରେ । ଏବେ ରେଡିଓ ସିଲୋନ ଯାହାକି ପରବର୍ତ୍ତୀ କାଳରେ ରେଡିଓ ଶ୍ରୀଲଙ୍କା ହିସାବରେ ନାମିତ ହେଲା, ତାହା ବହୁ ଶ୍ରୋତାମାନଙ୍କର ମନକୁ ଆକର୍ଷିତ କରୁଥିଲା । ଏହାପରେ ଭାରତ ତା’ର ରେଡିଓ କେନ୍ଦ୍ରକୁ ଆକାଶବାଣୀ ନାମରେ ନାମିତ କଲା ଓ ବିବିଧଭାରତୀ କାର୍ଯ୍ୟକ୍ରମ ସୃଷ୍ଟି କଲା । ତାମିଲ ଲେଖକ ଏଏଏଚ୍କେ ଘୋରୀ, ଯିଏକି ରେଡିଓ ସିଲୋନକୁ ବହୁତ ଦିନ ଧରି ଶୁଣୁଥିଲେ, ସେ କହିଛନ୍ତି ଯେ, କନ୍ୟାକୁମାରୀ ଓ ଥିରନେଲଭେଲି ଆଦି ତାମିଲନାଡୁର ଅଞ୍ଚଳମାନଙ୍କରେ ରେଡିଓ ସିଲୋନକୁ ବହୁତ ଅଧିକ ଲୋକ ଶୁଣିଲେ କାରଣ ସିଂଘଳ ଦ୍ୱୀପକୁ ତାମିଲନାଡୁର ଏହି ଅଞ୍ଚଳ ଅତି ନିକଟବର୍ତ୍ତୀ ଥିଲା । ରେଡିଓ ସିଲୋନରେ ପ୍ରଥମ ଘୋଷକ ଥିଲେ ଏସ୍.ପି.ମଇଲଭାଗମନ । ସେ କେବଳ ଯେ, ରେଡିଓ ସିଲୋନର ପ୍ରଥମ ଘୋଷକ ଥିଲେ ସେତକ ନୁହେଁ, ସେ ତାମିଲମାନଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ଥିଲେ । ଏହା ପରବର୍ତ୍ତୀ କାଳରେ ଅନେକଗୁଡ଼ିଏ ଘୋଷକ ରେଡିଓ ସିଲୋନରେ ଆସିଥିଲେ, ଯେଉଁମାନଙ୍କ ଭିତରୁ ରାଜଗୁରୁ ସେନାପତି, କନକରମଣ, ଏସ୍ପି ପରାରାଜ ସିଂହମ, ସାରା ଇମାନୁଏଲ, ବିଶାଳାଖି ହମିଦ, କେଏସ୍ ରାଜା, ବିଏଚ୍ ଅବଦୁଲ ହମିଦ ଇତ୍ୟାଦି ଘୋଷକମାନେ ଥିଲେ । ସେମାନଙ୍କର ଅପୂର୍ବ ସ୍ୱର ଓ ଉପସ୍ଥାପନା ଶୈଳୀ ବା କାର୍ଯ୍ୟକ୍ରମକୁ ଚଳାଉଥିବାର ଶୈଳୀକୁ ଗୋଟିଏ ସ୍ୱତନ୍ତ୍ର ସ୍ଥାନ ଦିଆଗଲା ଏବଂ ତାମିଲନାଡୁରେ ତାହା ପ୍ରସିଦ୍ଧ ହେଲା । ସେତେବେଳେ ସ୍ଥାନୀୟ ଲୋକମାନେ ତାମିଲ ମଧ୍ୟ ଶିଖିବାକୁ ଚେଷ୍ଟା କଲେ, ଯେଉଁମାନେ କି ଶ୍ରୀଲଙ୍କା ବା ଅନ୍ୟ ଜାଗାରେ ରହୁଥିଲେ । କୋଣ୍ଡେ ଗୌରଣ୍ଡେନ ପାଲାୟମ ମଧ୍ୟ ଆଉ ଜଣେ ଘୋଷକ ଥିଲେ । ତାମିଲ ଫିଲ୍ମ ଜଗତରେ ଚରିତ୍ରମାନେ ଯେତେ ଲୋକପ୍ରିୟ ଏହି ଘୋଷକମାନେ ପ୍ରାୟ ସେହିଭଳି ଲୋକପ୍ରିୟ ଥିଲେ। ତାମିଲ ଚଳଚ୍ଚିତ୍ର ନିର୍ମାତା ସିବି ଶ୍ରୀଧର ମଇଲଭା ଗାଣମକୁ ଚେନ୍ନାଇକୁ ଆଣିଥିଲେ । ସେଠାରେ ସେ ଗୋଟିଏ ସଂଗୀତ ସମାରୋହରେ ଅଂଶଗ୍ରହଣ କରିଥିଲେ । ଏହି ଧରଣର ସଂଗୀତ ପାଇଁ ଲୋକପ୍ରିୟତା ଏତେ ବଢ଼ିଗଲା ଯେ, ରେଡିଓ ସିଲୋନ କେନ୍ଦ୍ରଟି ପର୍ଯ୍ୟଟକମାନଙ୍କର ବୁଲିବାର ଗୋଟିଏ ସ୍ଥାନ ଥିଲା ।ସେଥିପାଇଁ ତାମିଲମାନେ ସିଲୋନ ବା ଶ୍ରୀଲଙ୍କାକୁ ସେତେବେଳେ ଯାଉଥିଲେ । ସେଠାରେ ସେମାନେ ଲୋକପ୍ରିୟ ଘୋଷକମାନଙ୍କୁ ସାକ୍ଷାତ କରୁଥିଲେ ।
ରେଡିଓ ସିଲୋନ ଡିସେମ୍ବର ୧୫, ୧୯୨୫ରେ ପ୍ରତିଷ୍ଠିତ ହୋଇଥିଲା । ସେତେବେଳେ କଲମ୍ବୋ ରେଡିଓ ବୋଲି ତାହାକୁ କୁହାଯାଉଥିଲା, ଯାହା ପରବର୍ତ୍ତୀ କାଳରେ ରେଡିଓ ସିଲୋନ ନାମରେ ନାମିତ ହେଲା । ଏଡୱାଡ଼ ହାର୍ପର ଯିଏକି ଜଣେ ଇଞ୍ଜିନିୟର ଥିଲେ ସେ ସିଲୋନ ଟେଲିଗ୍ରାଫର ଜଣେ ଅଫିସର ଥିଲେ । ସେ ସିଲୋନ ଓୟାରଲେସ୍ କ୍ଲବ୍ ଗଢ଼ିଥିଲେ । ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଲା ସେତେବେଳେ କଲମ୍ବୋ ରେଡିଓର ସୃଷ୍ଟି ହେଲା । ଏହାଛଡ଼ା ଏହାର ନାମ ପରିବର୍ତ୍ତିତ ହୋଇ ରେଡିଓ ଏସ୍ଇଏସି(ସାଉଥ ଇଷ୍ଟ ଏସିଆ କମାଣ୍ଡ) ସୃଷ୍ଟି ହେଲା, ଯାହାକୁ ଲଡ୍ ମାଉଣ୍ଟବେଟେନ ସୃଷ୍ଟି କରିଥିଲେ । ଯେତେବେଳେ ସିଲୋନ ବା ଶ୍ରୀଲଙ୍କା ସ୍ୱାଧୀନତା ପାଇଲା ସେତେବେଳେ ଏସ୍ଇଏସିକୁ ନୂଆ ସିଲୋନ ସରକାରଙ୍କ ହାତରେ ସମର୍ପିତ କରାଯାଇଥିଲା । ଏହା ଥିଲା ୧୯୪୯ ମସିହାରେ ସବୁଠାରୁ ଧନୀ ରେଡିଓ କେନ୍ଦ୍ର । ଏଥିର ରେଡିଓ ସେବା ୩ ଭାଗରେ ବିଭକ୍ତ ହୋଇଥିଲା, ଯାହା ମଧ୍ୟରୁ ଅଲ୍ ଏସିଆ, ରାଷ୍ଟ୍ରୀୟ ଏବଂ ବାଣିଜ୍ୟିକ ଏପରି ୩ଟି ବିଭାଗ ଥିଲା । ରାଷ୍ଟ୍ରୀୟ ସେବା କ୍ଷେତ୍ରରେ ପ୍ରସାରଣ ଇଂରାଜୀରୁ ଅନ୍ୟ ଭାଷାକୁ ଗଲା । ପ୍ରଥମେ ଇଂଲିଶ ସ୍ଥାନରେ ସିଂହଳ ଓ ତାମିଲ ଭାଷାରେ ସେପ୍ଟେମ୍ବର ୧୯୫୦ରେ ଏହା ପ୍ରସାରିତ ହେଲା । ତା’ପରେ ତା’ର ବାଣିଜ୍ୟିକ ସେବା ଲାଗୁ ହେଲା । ଏହା ଲୋକମାନଙ୍କ ଭିତରେ ପ୍ରବଳ ଆଗ୍ରହ ସୃଷ୍ଟି କଲା । ଏଥିରେ ଯେଉଁସବୁ କାର୍ଯ୍ୟକ୍ରମ ଦିଆଯାଉଥିଲା ତାହା ମଧ୍ୟରେ ଥିଲା ପାଶ୍ଚାତ୍ୟ ପପ୍ ଓ ଜାଜ୍ ସଂଗୀତ ଏବଂ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମ, ଯେଉଁମାନେ କି ସମର୍ପିତ ବୌଦ୍ଧମାନଙ୍କ ଭିତରେ କାମ କରୁଥିଲେ । ଏହାଛଡ଼ା ମୁସଲମାନ, ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଲୋକମାନଙ୍କ ପାଇଁ ମଧ୍ୟ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା । ଏଥିରେ ଯେଉଁ ବାଣିଜ୍ୟିକ ସେବା ଥିଲା ତାହା ସଟ୍ର୍ୱେବ ଟ୍ରାନ୍ସମିଟରରେ ବାଜୁଥିଲା, ଯାହାକି ଏସିଆ ଓ ଉତ୍ତର ଆମେରିକା ପରି ଦୂର ଦେଶରେ ମଧ୍ୟ ବାଜୁଥିଲା । ରେଡିଓ ସିଲୋନରେ ୧୯୫୮ରେ ମଧ୍ୟ କାଲିଫର୍ଣ୍ଣିଆ ପରି ଆମେରିକାର ଦେଶରେ ମଧ୍ୟ ଶ୍ରୋତା ଥିଲେ । ସେମାନେ କିଭଳି ଭାବରେ ରେଡିଓ ସିଲୋନ ଦ୍ୱାରା ପ୍ରଭାବିତ ହେଉଥିଲେ, ସେ କଥା ମଧ୍ୟ ରିପୋର୍ଟ ଆକାରରେ ଦେଇଥିଲେ ।
୧୯୭୨ରେ ରେଡିଓ ସିଲୋନ ଶ୍ରୀଲଙ୍କା ବ୍ରଡ୍କାଷ୍ଟିଂ କର୍ପୋରେସନ ନାମରେ ନାମିତ ହେଲା । ଯାହାକୁ ଲୋକମାନେ ରେଡିଓ ସିଲୋନ ବୋଲି ପୁନଃନାମିତ କରିଥିଲେ। ଯେତେବେଳେ ଜଣେ ଲୋକ ରେଡିଓ କିଣୁଥିଲା, ସେ ପ୍ରଥମେ ପଚାରୁଥିଲା ଯେ, ଏହି ସେଟ୍ରେ ସିଲୋନ ରେଡିଓ ଆସିବ କି ନାହିଁ ? ଏଇଥିରୁ ରେଡିଓ ସିଲୋନର ଲୋକପ୍ରିୟତା ପରିଷ୍କାର ଭାବରେ ବୁଝାଯାଉଥିଲା । ସେତେବେଳେ ନିଜର ଅଭିଜ୍ଞତା ସମ୍ବନ୍ଧରେ ଜଣେ ତାମିଲ ବ୍ୟକ୍ତି ନାନୁ ଗପ୍ପାଟୁ ପି ଗର୍ଣ୍ଣନ ଶେଖର କହିଥିଲେ ଯେ, ତାଙ୍କର ଏହି ଚ୍ୟାନେଲରେ ଶୁଣିବାର ଇଚ୍ଛା ଥିଲା ଯାହାକୁ ତାଙ୍କ ଭାଷାରେ “ପାନୁଗା ପରଭେୟାଇଲ ଲାଗାଇ ଭାନୋଲି” ବୋଲି କହିଥିଲେ । ଯେତେବେଳେ ପରବର୍ତ୍ତୀ କାଳରେ ୧୯୮୦ ମସିହାଠାରୁ ଏହି କେନ୍ଦ୍ର ତା’ର ଲୋକପ୍ରିୟତା ହରାଇଲା । କାରଣ ଶ୍ରୀଲଙ୍କାରେ ତାମିଲ ଓ ସିଂହଳୀମାନଙ୍କ ଭିତରେ ବ୍ୟାପକ ହିଂସା ସୃଷ୍ଟି ହେଲା । ଯେତେବେଳେ ତାମିଲ ଘୋଷକ ଜଣକୁ ମାରିଦିଆଗଲା, ଅନ୍ୟ ତାମିଲମାନେ ଦେଶଛାଡ଼ି ସେତେବେଳେ ପଳାଇଲେ । ତାମିଲମାନେ ସେତେବେଳେ ମୁଖ୍ୟତଃ ଏଲ୍ଟିଟିଇର ସମର୍ଥକ ଥିଲେ । ସେତେବେଳେ ତାମିଲମାନେ ବିବିସି ରେଡିଓର ଟାମିଲୋସାହି ସମ୍ବାଦ ପଢୁଥିଲେ ।
ଏତେବେଳେ ଏହି ବିବାଦ ଏତେ ଆଗକୁ ଯାଇଥିଲା ଯେ, ବିବିସି ରିପୋର୍ଟକୁ ସମସ୍ତେ ସତ୍ୟ ବୋଲି ଭାବୁଥିଲେ କାରଣ ଯୁଦ୍ଧ ସମୟରେ ଏହାର ରିପୋର୍ଟ ସତ୍ୟ ବୋଲି କୁହାଯାଉଥିଲା ଏବଂ ସେତେବେଳେ ରେଡିଓ ସିଲୋନ ସରକାର ଓ ଏଲ୍ଟିଟିଇ ମଧ୍ୟରେ ଯୁଦ୍ଧ ସମ୍ବାଦ ଲୋକମାନେ ବିବିସିରୁ ପାଇ ତାହାକୁ ସତ୍ୟ ରୂପେ ମନେକରୁଥିଲେ । ଏହାପରେ ଏଲ୍ଟିଟିଇରେ ଗୋଟିଏ ନୂଆ ରେଡିଓ କାର୍ଯ୍ୟକ୍ରମ ହେଲା ଯାହାକୁ ‘ଭଏସ୍ ଅଫ୍ ଟାଇଗର୍ସ’ ବୋଲି କୁହାଯାଉଥିଲା । ଆଜି ମଧ୍ୟ ରେଡିଓ ସିଲୋନର କିଛି ପୁରୁଣାକାଳିଆ ଶ୍ରୋତା ଅଛନ୍ତି, ଯେଉଁମାନେ କି ହ୍ୱାର୍ଟ୍ସଅପ୍ରୁ ସମ୍ବାଦ ସଂଗ୍ରହ କରନ୍ତି । ସେମାନେ ରେଡିଓ ସିଲୋନର ସମ୍ବାଦ ପରିବେଷଣ ଶୈଳୀକୁ ପସନ୍ଦ କରନ୍ତି । ବର୍ତ୍ତମାନ ରେଡିଓ ସିଲୋନ ଶ୍ରୀଲଙ୍କା ବ୍ରୋଡ୍କାଷ୍ଟିଂ କର୍ପୋରେସନରେ ପରିଣତ ହୋଇଛି । ଏହି ରେଡିଓ ଯୁବକମାନଙ୍କୁ ପୋର୍ଡକାଷ୍ଟମାଧ୍ୟମରେ ଆକର୍ଷିତ କରୁଛି । ନୂଆ ତାମିଲ ଲୋକମାନଙ୍କ ମଧ୍ୟରେ ଶ୍ରୀଲଙ୍କା ବ୍ରୋଡ୍କାଷ୍ଟିଂର ଘୋଷକ ମଧ୍ୟ ଅଛନ୍ତି । ଏହି ସମ୍ବାଦଗୁଡ଼ିକୁ ଆଧୁନିକ ରୂପ ଦିଆଯାଇଛି, ଯାହା ସତ୍ୟ ଉପରେ ନିର୍ଦ୍ଧାରିତ। ଏହାର ପୁରୁଣା ମୂଲ୍ୟବୋଧକୁ ରଖାଯାଇଛି । ବ୍ରିଟିଶ ସମୟରେ ଯେମିତି ନିରପେକ୍ଷତା ଥିଲା, ଏବେ ସେଭଳି ନିରପେକ୍ଷତା ପ୍ରଦର୍ଶନ କରାଯାଉଛି । କର୍ଣ୍ଣାଟକୀ ସଂଗୀତ ହେଉ ବା ଚଳଚ୍ଚିତ୍ର ସଂଗୀତ ହେଉ ସାହିତ୍ୟିକ ଏବଂ ନାଟକ କାର୍ଯ୍ୟକ୍ରମ ହେଉଛି ପୂର୍ବରୁ ଘୋଷିତ କାର୍ଯ୍ୟକ୍ରମ । ଏ ବିଷୟରେ ଲୋକମାନେ ଅଧିକାଂଶ କଥା ମନରେ ରଖୁଛନ୍ତି । ସେମାନେ ଅବଶ୍ୟ ଭାଷାରେ ଅନ୍ୟ ସାଙ୍ଗରେ ସେମିତି ସମ୍ପର୍କ ରଖନ୍ତି ନାହିଁ । କିନ୍ତୁ ପୁରୁଣା ଦିନର ରେଡିଓ ସିଲୋନ କଥାକୁ ସମସ୍ତେ ମନେରଖନ୍ତି ।
୧୯୬୦ ମସିହାରେ ରେଡିଓ ସିଲୋନରୁ ତାମିଲ ଫିଲ୍ମ ‘ନାନ୍ କାଣ୍ଡା ସ୍ୱର୍ଗମ’ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିଲା । ସେଠାରେ ଗୋଟିଏ ସ୍ୱର ଉଠୁଥିଲା, ଯାହାକୁ ଫାଙ୍ଗାଲ ଭାନୋଲି ଭର୍ତ୍ତାଗା ବୋଲି କାର୍ଯ୍ୟକ୍ରମ ଥିଲା ଯାହାକି ପରବର୍ତ୍ତୀ କାଳରେ ରେଡିଓ ସିଲୋନ ବାଣିଜ୍ୟିକ କେନ୍ଦ୍ରରୁ ଅଲଗା ହୋଇଗଲା । ବର୍ତ୍ତମାନ ଶ୍ରୀଲଙ୍କା ବ୍ରୋଡ୍କାଷ୍ଟିଂ କର୍ପୋରେସନରେ ତାମିଲ ଭାଷାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୧୯୫୧ରେ ଏଥିରେ ତାମିଲ ବାଣିଜ୍ୟିକ ସେବା ଥିଲା, ଯାହାକି ୧୯୩୭ରୁ ଆରମ୍ଭ ହୋଇଥିଲା । ସେତେବେଳେ ଅଲ୍ ଏସିଆ ସର୍ଭିସରେ ତାମିଲ ଘୋଷକମାନେ ମଧ୍ୟ ଥିଲେ । କଲମ୍ବୋ ରେଡିଓ ବିବିସିରୁ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରୁଥିଲା । ବିବିସି କାର୍ଯ୍ୟକ୍ରମକୁ ରେକଡିଂ କରି ରେଡିଓ ସିଲୋନରେ ସେଠାକୁ ବଜାଇ ଦିଆଯାଉଥିଲା । ରେଡିଓ ସିଲୋନ ମଧ୍ୟ ଦକ୍ଷିଣ ଏସିଆର ତାମିଲ, ମଲାୟାଲମ ଏବଂ ତେଲୁଗୁ ଭାଷାରେ କାର୍ଯ୍ୟକ୍ରମ କରୁଥିଲା ।
e-mail:kharabelaswain@gmail.com
ମୋ:୯୪୩୭୦୨୦୨୯୦
Samir Kumar Rout