ଶ୍ରୀ ରମଣ ମହର୍ଷି
ହେମନ୍ତ କୁମାର ପରିଡ଼ା : ରମଣ ମହର୍ଷି ୧୮୨୯, ଡିସେମ୍ବର ୩୦ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଅନ୍ୟନାମ ଥିଲା "ଭେଙ୍କଟରମଣ' । ସେ ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ । ପରିବାରରେ ଆର୍ଥିକ ସ୍ୱଚ୍ଛଳତା ଭଲ ନଥିବାରୁ ମାତ୍ର ୧୨ ବର୍ଷ ବୟସରୁ ସେ ତାଙ୍କ ଭାଇ ଓ ଭଉଣୀଙ୍କ ସହ ଦାଦାଙ୍କ ପାଖରେ ପରିପାଳିତ ହୋଇଥିଲେ । ପିଲାଦିନରୁ ସେ ଫୁଟବଲ୍, କୁସ୍ତି, ସନ୍ତରଣ ଆଦି ବ୍ୟାୟାମ ବେଶ୍ ଆଗ୍ରହ ରଖିଥିଲେ । ବାଲ୍ୟକାଳରୁ ସେ କୌଣସି ଧର୍ମ ପୁସ୍ତକ ପଢ଼ି ନଥିଲେ । ହେଲେ ସେ ନିଜ ଜୀବନୀ ପୁସ୍ତକରେ ଲେଖିଥିଲେ "ଅପରିପକ୍ୱ ବୟସରେ ଅରୁଣାଚଳ ମୋର ମନକୁ ଆଶ୍ଚାର୍ଯ୍ୟାଭିଭୂତ କରିଦେଲା' । ସେ ଏହାର କିଛି ଅର୍ଥ ବୁଝିବା ପୂର୍ବରୁ ନିଜ ମନକୁ ନିଶ୍ଚଳ କରି ଦେଇଥିଲେ । ସେହିଦିନରୁ ତାଙ୍କ ମଧ୍ୟରେ ଚେତନାର ସ୍ରୋତ ପ୍ରବାହିତ ହେଲା । ୧୮୯୭, ଅଗଷ୍ଟ ୨୯ରେ ରମଣ ଗୃହ ତ୍ୟାଗ କଲେ । ତାଙ୍କ ପ୍ରଭୁ ଥିଲେ ଅରୁଣାଚଳ । ସେ ନିଜକୁ ପ୍ରଭୁ ଅରୁଣାଚଳଙ୍କୁ ସମର୍ପିତ କରିଥିଲେ ।
ଭାରତୀୟ ଆଧ୍ୟାତ୍ମିକ ସାଧନା କ୍ଷେତ୍ରରେ ରମଣ ମହର୍ଷି ଯେଉଁ ଗୂଢ଼ ତତ୍ତ୍ୱର ମାର୍ଗ ଦେଖାଇଛନ୍ତି ତାହା ଯୁଗ ଯୁଗ ପାଇଁ ଅମର । ଏକ ପ୍ରସଙ୍ଗରେ ଉଲ୍ଲେଖ ଅଛି ସେ ପରମ ପିତାଙ୍କ ସନ୍ଧାନରେ ଯାତ୍ରା କରିବା ପୂର୍ବରୁ ଯେଉଁ ଚିଠି ତାଙ୍କ ପରିବାର ପାଇଁ ଲେଖି ଯାଇଥିଲେ ତାହା ଥିଲା ""ମୁଁ ପରମପିତାଙ୍କ ସନ୍ଧାନରେ ତାଙ୍କର ନିର୍ଦ୍ଦେଶରେ ଯାତ୍ରା ଆରମ୍ଭ କରୁଛି । ତେଣୁ ଏହି କାର୍ଯ୍ୟ ନିମିତ୍ତ କେହି ଦୁଃଖ ନକରିବା ପାଇଁ ଓ ମତେ ସନ୍ଧାନ କରିବା ଉଦ୍ଦେଶ୍ୟରେ କିଛି ଅର୍ଥବ୍ୟୟ ନ କରିବା ନିମିତ୍ତ ମୁଁ ଅନୁରୋଧ କରୁଛି । କଲେଜ ଦରମା ଦିଆଯାଇ ନାହିଁ । ଏଥି ସହିତ ଦୁଇ ଟଙ୍କା ରହିଲା ।'' ପଲ୍ ବ୍ରଣ୍ଟନ୍ ନାମକ ଜଣେ ପାଶ୍ଚାତ୍ୟ ସାମ୍ବାଦିକ, ସାହିତ୍ୟିକ ଓ ସମାଲୋଚକ ମହର୍ଷିଙ୍କୁ ଥରେ ପ୍ରଶ୍ନ କଲେ, ବର୍ତ୍ତମାନ ଏହି ସଭ୍ୟ ଜଗତ୍ ଦାରୁଣ ସନ୍ଧିକ୍ଷଣର ସମ୍ମୁଖୀନ ହୋଇଛି । ତେବେ ଏହାର ଭବିଷ୍ୟତ କ'ଣ ? ମହର୍ଷି ଉତ୍ତର ଦେଲେ, ଭବିଷ୍ୟତ ବିଷୟରେ ଚିନ୍ତା କରିବାର କି ଆବଶ୍ୟକତା ଅଛି ? ବର୍ତ୍ତମାନ ସମ୍ପର୍କରେ ତୁମର ଜ୍ଞାନ ବା କଅଣ ? ଭବିଷ୍ୟତର ଭାରତ ଭବିଷ୍ୟତ ଉପରେ ଛାଡ଼ିଦିଅ ।
ସେହିଦିନ ଠାରୁ ଜୀବନର ଅନ୍ତିମ ଦିବସ ପର୍ଯ୍ୟନ୍ତ ସେ ମଦୁରାଇରେ ବାସ କଲେ । ମଦୁରାଇକୁ ଯାତ୍ରା କରିବାର ଛଅ ସପ୍ତାହ ପୂର୍ବରୁ ସେ ନିଜ ମାମୁଙ୍କ ଘରର ପ୍ରଥମ ମହଲାରେ ବସିଥିଲେ । ହଠାତ୍ ମନ ମଧ୍ୟରେ ମୃତ୍ୟୁର ଭୟ ଉଦ୍ରେକ ହେଲା ତାଙ୍କର । ସେ ମୃତ୍ୟୁ ମୁଖରେ ପଡ଼ିଥିବାବେଳେ ତାଙ୍କ ସହ ତାଙ୍କର କୌଣସି ବନ୍ଧୁ ପରିଜନ କି ଡାକ୍ତର ପରାମର୍ଶ କରୁନଥିଲେ । ଏହି ମୃତ୍ୟୁଭୟ ହିଁ ରମଣ ମହର୍ଷିଙ୍କୁ ଦିବ୍ୟଦୃଷ୍ଟି ପ୍ରଦାନ କଲା । ଏହାପରେ ମହର୍ଷି ରମଣ ନିଜ ଜୀବନକୁ ସମ୍ପୂର୍ଣ୍ଣ ଧ୍ୟାନମଗ୍ନ ରହି ବିତାଇଥିଲେ। ଧ୍ୟାନ ହିଁ ତାଙ୍କ ଠାରେ ଚିରଶାନ୍ତି ଉଦ୍ରେକ କଲା । ସେ ଈଶ୍ୱରାଲୋକରେ ସଦା ଉଦ୍ଭାସିତ ହୋଇଥିଲେ । ସମଗ୍ର ବିଶ୍ୱ ତାଙ୍କ ନିକଟରେ ଏକ ଥିଲା । ସେ ଉପନିଷଦର ଜୀବନ୍ତ ପ୍ରତୀକ ଥିଲେ । ରମଣ ମୌନ ରହୁଥିଲେ ବି ମନୁଷ୍ୟମାନଙ୍କ ହୃଦୟକୁ ତାଙ୍କର ସନ୍ଦେଶ ପ୍ରେରଣ କରୁଥିଲେ । ତାଙ୍କର ବାଣୀ ଥିଲା "ନିଜକୁ ଚିହ୍ନ' । ମହର୍ଷିଙ୍କ ବାମ ବାହୁରେ ଏକ ଦୁରାରୋଗ୍ୟ ଆବୁ ହୋଇଥିଲା । ଏହି ରୋଗରୁ ମୁକ୍ତି କରିବାକୁ ମହର୍ଷିଙ୍କୁ ଚାରିଥର ଅସ୍ତ୍ରୋପଚାର କରାଯାଇଥିଲା । ହେଲେ ୧୯୫୦, ଏପ୍ରିଲ ୧୪ରେ ଯେତେବେଳେ ଆକାଶରେ ଏକ ଉଲ୍କାର ଆବିର୍ଭାବ ହୋଇଥିଲା ସେତେବେଳେ ମହର୍ଷି ରମଣ ଏହି ପାର୍ଥବ ଜଗତରୁ ବିଦାୟ ନେଇଥିଲେ ।
Samir Kumar Rout