ଲକ୍ଷ୍ୟ ୟୁପିଏସସି : ଯୁବା ଆଇଏଏସ୍ ଅଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ’ ଉନ୍ମୋଚିତ ପ୍ରେରଣା ପାଇବେ ୟୁପିଏସ୍ସି ଆଶାୟୀ

 ଭୁବନେଶ୍ୱର/ନୂଆଦିଲ୍ଲୀ : /ଭୁବନେଶ୍ୱର, ଏପ୍ରିଲ ୨୮ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀର କନଷ୍ଟିଚୁ୍ୟସନ କ୍ଲବରେ ଡଃ ସଜ୍ଜନ ଯାଦବଙ୍କ ଦ୍ୱାରା ଲିଖିତ ‘ଲକ୍ଷ୍ୟ ୟୁପିଏସସି : ଯୁବା ଆଇଏଏସ୍ ଅଧିକାରୀଙ୍କ ପ୍ରେରଣାଦାୟୀ କାହାଣୀ’ ପୁସ୍ତକକୁ ଉନ୍ମୋଚନ କରିଛନ୍ତି ।  
ଶ୍ରୀ ପ୍ରଧାନ ଲେଖକ ଡଃ ଯାଦବଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଁ ଅଭ୍ୟର୍ଥୀମାନଙ୍କର ଅଥକ ପରିଶ୍ରମ, ପୁରୁଷାର୍ଥ ଓ ସଂକଳ୍ପଶକ୍ତିକୁ ଦର୍ଶାଉଥିବା ଏହି ପୁସ୍ତକ, ପ୍ରଶାସନିକ ସେବା କରିବାକୁ ଚାହୁଁଥିବା ଅଗଣିତ ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣାର ସ୍ରୋତ ହେବ । ଏହି ପୁସ୍ତକ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଇଥିବା ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଭାବେ ଏକ ଉପଯୋଗୀ ଓ ପ୍ରେରଣାଦାୟୀ ପଦକ୍ଷେପ । ଗଣତନ୍ତ୍ରରେ ଅଧିକାରଗୁଡିକର ଯେତିକି ଦାୟିତ୍ୱ ଅଛି, କର୍ତ୍ତବ୍ୟର ମଧ୍ୟ ସେତିକି ମହତ୍ତ୍ୱ ଅଛି । ବଦଳୁଥିବା ସମୟ ସହିତ, ଆମର କର୍ତ୍ତବ୍ୟ ଏବଂ ଆକାଂକ୍ଷାଗୁଡ଼ିକର ସ୍ୱରୂପ ମଧ୍ୟ ବଦଳୁଛି । ସର୍ଦ୍ଦାର ପଟେଲ ସିଭିଲ ସେବାକୁ ଭାରତର "ଷ୍ଟିଲ୍ ଫ୍ରେମ୍’ ବୋଲି ଅଭିହିତ କରିଥିଲେ । ଆଜି, ପ୍ରଯୁକ୍ତିବିଦ୍ୟାର ବିକାଶ ସହିତ ଯେତେବେଳେ ଷ୍ଟିଲକୁ ଅଧିକ ଶକ୍ତିଶାଳୀ କରାଯାଉଛି, ଆମକୁ ସମୟ ଅନୁସାରେ ନିଜକୁ ବିକଶିତ କରିବା ଦରକାର ବୋଲି କହିଥିଲେ । ଯେତେବେଳେ ପ୍ରତ୍ୟେକ ନାଗରିକ ନିଜର ଦାୟିତ୍ୱ ପାଳନ କରିବେ, ସେତେବେଳେ ୧୪୦ କୋଟି ଦେଶବାସୀଙ୍କର ଅଧିକାର ସୁରକ୍ଷିତ ଓ ସଶକ୍ତ ରହିବ ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି ।