ଲୁଗା ଦୋକାନରେ ଅଗ୍ନିକାଣ୍ଡ: ୧ କୋଟି ଟଙ୍କାର ସାମଗ୍ରୀ ନଷ୍ଟ
ରାୟଗଡା: ରାୟଗଡା ସହରର କନଭେଣ୍ଟ ରୋଡରେ ଥିବା ଏସ. କେ. ମାର୍ଟ ଲୁଗା ଦୋକାନରେ ଆଜି ଭୋରରୁ ନିଆଁ ଲାଗିଯାଇଛି। ଯାହା ଫଳରେ ପ୍ରାୟ ୧ କୋଟି ଟଙ୍କାର ଲୁଗାପଟା ଓ ଆସବାବପତ୍ର ସାମଗ୍ରୀ ଜଳି ପୋଡି ନଷ୍ଟ ହୋଇଯାଇଥିବା ନେଇ ଦୋକାନ ମାଲିକ କହିଛନ୍ତି। ଘଟଣା ସ୍ଥଳରେ ରାୟଗଡା ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଏହା ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିବା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରା ଅନୁମାନ କରିଥିବାବେଳେ ତଦନ୍ତ ପରେ ଅଧିକ ତଥ୍ୟ ମିଳିପାରେ ବୋଲି କହିଛନ୍ତି।
ପ୍ରତିଦିନ ଭଳି ଗତକାଲି ରାତ୍ରରେ ଦୋକାନ ବନ୍ଦ କରି ମାଲିକ ଘରକୁ ଯାଇଥିଲେ। ତେବେ ଆଜି ଭୋରରୁ ଉକ୍ତ ରାସ୍ତାରେ ପ୍ରାତଃ ଭ୍ରମଣରେ ଯାଉଥିବା ଲୋକେ ଦୋକାନରୁ ବହୁତ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ଦମକଳ କେନ୍ଦ୍ରକୁ ସୂଚନା ଦେବା ସହ ଦୋକାନ ନାମ ଫଳକରେ ଲାଗିଥିବା ଯୋଗାଯୋଗ ନମ୍ବରରୁ ଦୋକାନ ମାଲିକଙ୍କୁ ଖବର ଦେଇଥିଲେ। ତୁରନ୍ତ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ଦୋକାନ ଭିତରୁ ଭାୟାଭୟ ଅଗ୍ନିକାଣ୍ଡ ହେଉଥିବାରୁ ଓ ଅଧିକ ଧୂଆଁ ବାହାରୁ ଥିବାରୁ ନିଆଁ ଲିଭାବାରେ ଅସୁବିଧା ଉପୁଜିଥିଲା। ତେବେ ପରବର୍ତ୍ତୀ ସମୟରେ ନିଆକୁ ଆୟତ୍ତ କରାଯାଇଥିବା ବେଳେ ଏସ. କେ. ମାର୍ଟ ଦୋକାନ ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ନଷ୍ଟ ହୋଇଯାଇଛି ।