ସାନ ଭାଇର କଟୁରି ଚୋଟରେ ବଡ଼ ଭାଇ ମୃତ 

ହିନେ୍ଦାଳ:  ଢେଙ୍କାନାଳ ଜିଲ୍ଲାର ହିନେ୍ଦାଳରେ ଗତକାଲି ସାନଭାଇ ହତ୍ୟା କରିଛି ବଡଭାଇକୁ । ଖବରରୁ ପ୍ରକାଶ ହିନେ୍ଦାଳ ଉପଖଣ୍ଡ ହିନେ୍ଦାଳ ଥାନା ଅନ୍ତର୍ଗତ ଏନଏସି ମୁଣ୍ଡହତା ଗ୍ରାମର ସ୍ୱର୍ଗତ ଗୋଲେଖ ନାୟକଙ୍କ ମଝିଆଁ ପୁଅ ଗୋବିନ୍ଦ ନାୟକ ଘରେ ଖାଇପିଇ ବସିଥିବା ବେଳେ ବିଳମ୍ବିତ ରାତି ୧୧ଘଣ୍ଟା ସମୟରେ  ସାନପୁଅ  ସୁନନ୍ଦ ନାୟକ ପ୍ରଚୁର ମଦ୍ୟପାନ କରି ମଝିଆ ବଡ଼ ଭାଇ ଗୋବିନ୍ଦଙ୍କ ସହ କୌଣସି କାରଣରୁ ଝଗଡା ହୋଇଥିଲା । ସୁନନ୍ଦ ହିତାହିତ ଜ୍ଞାନ ଭୁଲି ଭାଇ ଗୋବିନ୍ଦକୁ  କଟୁରୀରେ ହାଣିଦେଇ ଫେରାର ହୋଇଯାଇଥିଲା ।  ଗୁରୁତର ଆହତ ଗୋବିନ୍ଦକୁ  ପରିବାର ଲୋକ ତୁରନ୍ତ ହିନେ୍ଦାଳ ଡାକ୍ତରଖାନା ନେଇଥିଲେ ମାତ୍ର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଢେଙ୍କାନାଳ ଡାକ୍ତରଖାନା ପଠାଇ ଦେଇଥିଲେ । ସେଠାରେ ଆଜି ସକାଳେ ଗୋବିନ୍ଦ ମୃତୁ୍ୟବରଣ କରିଥିଲେ । ଖବରପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ତେବେ ହିନେ୍ଦାଳ ଥାନା ପୁଲିସ ଆଜି ସକାଳୁ ହତ୍ୟାକାରୀ ସୁନ୍ଦନ୍ଦକୁ  ଗିରଫ କରିବା ସହ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି  । ଏଥିସହ ଢେଙ୍କାନାଳ ଅତିରିକ୍ତ ଏସପି ଓ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିଛନ୍ତି । ତେବେ ଅତିରିକ୍ତ ଏସପି କହିଛନ୍ତି ହତ୍ୟାକାରୀର ବଡଭାଇ ଗୋପାଳ ନାୟକର ବୟାନ ଅନୁଯାଇ ସୁନନ୍ଦ ପୂର୍ବରୁ ତା ନିଜ ବାପାଙ୍କୁ କରେଣ୍ଟ ଲଗାଇ ଓ ବର୍ଷେ ତଳେ ମା'କୁ ପିଟିପିଟି ମାରିଦେଇଥିଲା  । କିନ୍ତୁ ପରିବାର ଲୋକ ଘଟଣାକୁ ଚପେଇ ରଖିଥିଲେ । ତେଣୁ ସୁନନ୍ଦ ଜଣେ ପେସାଦାର ହତ୍ୟାକାରୀ ବୋଲି ଅନୁମେୟ ତାଙ୍କୁ ଉଚିତ ଦଣ୍ଡ ପାଇଁ ସମସ୍ତ ଦିଗକୁ ନେଇ ତଦନ୍ତ ଜାରିରହିଛି ।