ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ପାଇପାରିବେ ଅଣଶିକ୍ଷାବିତ୍‌

ଭୁବନେଶ୍ୱର: ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ପାଇପାରିବେ ଅଣଶିକ୍ଷାବିତ୍‌। ଶିଳ୍ପ କ୍ଷେତ୍ରରୁ ପ୍ରତିନିଧିତ୍ୱ କରିଥିବା ବରିଷ୍ଠ ଅଧିକାରୀ, ସାଧାରଣ ପ୍ରଶାସନ ଓ ସରକାରୀ ଉଦ୍ୟୋଗ ପୃଷ୍ଠଭୂମି ଥିବା ଅଧିକରୀ ମଧ୍ୟ କୁଳପତି ହୋଇପାରିବେ। ସର୍ଚ୍ଚ କମିଟିର ଅଧ୍ୟକ୍ଷ ଭାବେ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ବଦଳରେ ବିଶ୍ୱବିଦ୍ୟାଳୟ କୁଳାଧିପତି ବା ରାଜ୍ୟପାଳଙ୍କ ମନୋନୀତ ପ୍ରତିନିଧି ଅଧ୍ୟକ୍ଷ ରହିବେ। ସେମାନଙ୍କ କାର୍ୟ୍ୟକାଳ ୫ ବର୍ଷିଆ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ପ୍ରସ୍ତାବିତ ଚିଠା ମାର୍ଗଦର୍ଶିକା(ଡ୍ରାଫ୍ଟ ଗାଇଡ୍‌ଲାଇନ୍‌)ରେ ଉଲ୍ଲେଖ କରାଯାଇଛି।
ଚିଠା ମାର୍ଗଦର୍ଶିକା ଅନୁଯାୟୀ, ଅନ୍ୟୁନ୍ୟ ୧୦ ବର୍ଷ ଅଭିଜ୍ଞତା ଥିବା ଉଚ୍ଚ ଶିକ୍ଷାନୁଷ୍ଠାନର ପ୍ରାଧ୍ୟାପକ, ପ୍ରତିଷ୍ଠିତ ଗବେଷଣା ବା ଶିକ୍ଷାନୁଷ୍ଠାନର ପ୍ରଶାସନିକ ବିଭାଗରେ କାର୍ୟ୍ୟରତ ବ୍ୟକ୍ତି କୁଳପତି ପାଇଁ ଯୋଗ୍ୟ ହେବେ। ଏହି ବ୍ୟବସ୍ଥା ପୂର୍ବରୁ ମଧ୍ୟ ଥିଲା। ପ୍ରଥମ ଥର ପାଇଁ ଅଣଶିକ୍ଷାବିତ୍‌ ବା ଶିଳ୍ପ କ୍ଷେତ୍ରର ବରିଷ୍ଠ ଅଧିକାରୀ, ସାଧାରଣ ପ୍ରଶାସନ ଓ ସରକାରୀ ଉଦ୍ୟୋଗ ପୃଷ୍ଠଭୂମି ଥିବା ଅଧିକରୀ ମଧ୍ୟ କୁଳପତି ହୋଇପାରିବେ ବୋଲି କୁହାଯାଇଛି। ତେବେ ଏହି ବର୍ଗର ବ୍ୟକ୍ତିବିଶେଷଙ୍କ ନିଯୁକ୍ତିକୁ ନେଇ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା କଥା ହେଲା, କୁଳପତିଙ୍କ ପ୍ରଶାସନିକ ଦକ୍ଷତା ସହ ଶିକ୍ଷା ଓ ଶୈକ୍ଷିକ ବାତାବରଣ ସମ୍ପର୍କରେ ଅଭିଜ୍ଞତା ଗୁରୁତ୍ୱପୂର୍ଣ୍ଣ। ଅଣଶିକ୍ଷାବିତ୍‌ଙ୍କୁ ନିଯୁକ୍ତି ଦିଆଗଲେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଅପରପକ୍ଷେ ଥରେ କୁଳପତି ହୋଇସାରିବା ପରେ ମଧ୍ୟ ଆଉଥରେ କୁଳପତି ହୋଇପାରିବେ। ଏଥିପାଇଁ ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଚୟନ ହେବେ ବୋଲି ୟୁଜିସି ଡ୍ରାଫ୍ଟ ଗାଇଡଲାଇନ୍‌ ପ୍ରକାଶ କରିଛି।