ଶିଳ୍ପମନ୍ତ୍ରୀଙ୍କ ଦ୍ୱାରା ଚାରାରୋପଣ ଶୁଭାରମ୍ଭ

ପାରାଦୀପ : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପାରାଦୀପ ବେଳାଭୂମୀ ନିକଟସ୍ଥ ବିଜ୍ଞାନ ଉଦ୍ୟାନ (ସାଇନ୍ସ ପାର୍କ) ପରିସରରେ ପାରାଦୀପ ପୌର ପାଳିକା ପକ୍ଷରୁ ଆୟୋଜିତ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକୁ ଶୁଭାରମ୍ଭ  କରିଛନ୍ତି  ମୂଖ୍ୟ ଅତିଥି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶିଳ୍ପ ମନ୍ତ୍ରୀ  ସମ୍ପଦ ଚନ୍ଦ୍ର ସ୍ୱାଇଁ  ।  ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ସମେତ ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ବସନ୍ତ କୁମାରୀ ବିଶ୍ୱାଳ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ସମେତ ବିଭିନ୍ନ ଓ୍ୟାର୍ଡର ପାରିଷଦ ଓ ସାମାଜିକ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାମାନେ ବୃକ୍ଷରୋପଣ କରିଥିଲେ । ବୃକ୍ଷରୋପଣ  ଶୁଭାରମ୍ଭର  ଅବ୍ୟବହିତ   ପୂର୍ବରୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବର ମୂଖ୍ୟ ଅତିଥି  ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ  ତାଙ୍କ ବକ୍ତବ୍ୟରେ କହିଲେ- ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା, ଚାଷୀ ଭାଇମାନେ ଅଖିମୁଠି ଚଳାନ୍ତିି, ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ  କାର୍ଯ୍ୟର ଅନୁକୂଳ ହେବା ସହିତ ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ, ଆଜିର ଦିନରେ ନୂତନ ଗୃହ ପ୍ରତିଷ୍ଠା, ଗୃହ ପ୍ରବେଶ, ପଶ୍ଚିମ ଓଡିଶାରେ ମଧ୍ୟ  ଆଜିର ଦିନରୁ  ଶିତଳ ଷଷ୍ଠୀ ପୂଜା ଆରମ୍ଭ ହୋଇଥାଏ  । ଧନଦାତ୍ରୀ ଦେବୀ ଗୃହକୁ ପ୍ରବେଶ କରିବା ଲକ୍ଷ୍ୟରେ ମହିଳାମାନେ ସୁନା ଗହଣା ଗୃହକୁ ଆଣିବାର ଦୃଷ୍ଟାନ୍ତ ରହିଛି  । ରାଜ୍ୟରେ ବିିଜେପି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ  କୋଟି କୋଟି ଟଙ୍କା ବ୍ୟୟରେ ଶିଳ୍ପ ପ୍ରତିଷ୍ଠା ହେବା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛିି । ଶିଳ୍ପ ବିନା ରାଜ୍ୟର ସମୃଦ୍ଧି  ଅସମ୍ଭବ  । ଶିଳ୍ପ  ପ୍ରତିଷ୍ଠା ହେଲେ  ପ୍ରଦୂଷଣର ପରିମାଣ ବୃଦ୍ଧି ପାଇବା ଏକ ସ୍ୱାଭାବିକ କଥା । ଶିଳ୍ପ ପ୍ରତିଷ୍ଠା ସହିତ ପରିବେଶ ସନ୍ତୁଳନ ରକ୍ଷା କରିବାକୁ ହେଲେ ଆମକୁ ପର୍ଯ୍ୟାପ୍ତ ପରିମାଣର ବୃକ୍ଷରୋପଣ କରିବା  ଆବଶ୍ୟକ । ଏହି ଲକ୍ଷ୍ୟ ନେଇ  ଶିଳ୍ପର ନଗରୀ  ପାରାଦୀପକୁ ପ୍ରଦୂଷଣମୁକ୍ତ ରଖିବା ଉଦେ୍ଦଶ୍ୟରେ  ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଆଜି  ବୃକ୍ଷରୋପଣର ଶୁଭାରମ୍ଭ  କରିବାକୁ ନୀତିଗତ ଭାବେ ନିଷ୍ପତି ନିଆଯାଇଛି  । ଆଗାମୀ ଦିନରେ ପାରାଦୀପ ସମେତ ସମଗ୍ର ରାଜ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ  ତ୍ୱରାନ୍ନିତ କରାଯିବ ବୋଲି  ଶିଳ୍ପମନ୍ତ୍ରୀ  ଶ୍ରୀ ସ୍ୱାଇଁ ମତ ପୋଷଣ କରିଥିଲେ ।