ଶୋଚନୀୟ ରାସ୍ତା : ସୁଧାର ଦାବିରେ ରାଜପଥ ଅବରୋଧ

ସୁକିନ୍ଦା : କଳିଙ୍ଗନଗର ଥାନା ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥର ଡୁବୁରି-ଚଣ୍ଡିଖୋଲ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଡୁବୁରୀ ଠାରୁ ମିରିଗଚରା ପର୍ଯ୍ୟନ୍ତ ରାସ୍ତାରେ ଦୈନିକ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି । ସଂପୃକ୍ତ ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରିବା ଦାବିରେ ଆମ୍ବଗାଡ଼ିଆ ଠାରେ ରାସ୍ତାରୋକ କରାଯାଇଥିଲା । ତୁରନ୍ତ ଏହି ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ କରିବା ଦାବିରେ ଆମ୍ବଗାଡିଆ ଠାରେ ଶତାଧିକ ଗ୍ରାମବାସୀ ଆଜି ରାଜପଥ ଅବରୋଧ କରିଥିଲେ। ରାସ୍ତା କଳିଙ୍ଗନଗର ଶିଳ୍ପାଞ୍ଚଳର ପ୍ରବେଶ ପଥ ହୋଇଥିବାରୁ ପ୍ରତିଦିନ ପ୍ରତ୍ୟେକ କାରଖାନାକୁ ହଜାର ହଜାର ଲୋକ କାମ କରିବାକୁ ଯିବା ଆସିବା କରିବା ସହ କାରଖାନାକୁ ହଜାର ହଜାର ଭାରିଯାନ ଓ ଛୋଟ ଯାନବାହନ ଯାତାୟତ କରିବା ବ୍ୟତିତ ଜାତୀୟ ରାଜପଥ ହୋଇଥିବାରୁ ଏହି ରାସ୍ତାରେ ରାଜ୍ୟ ଓ ରାଜ୍ୟ ବାହାରର ଯାନବାହନ ଓ ଯାତ୍ରୀବାହୀ ବସଗୁଡିକ ଯାତାୟାତ କରିଥାଏ। ସୂଚନା ପାଇ କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ରାସ୍ତାରୋକକାରୀଙ୍କ ନିକଟରେ ପହଁଚି ଆଲୋଚନା କରିଥିଲେ। ରାଜପଥ କାର୍ଯ୍ୟ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହି ରାସ୍ତାକୁ ଯଥାଶୀଘ୍ର ମରାମତି କରାଯିବାର ପ୍ରତିଶୃତି ଓ ଧୂଳିରୁ ରକ୍ଷାପାଇଁ ପାଣି ଛିଞ୍ଚନ କରାଯିବାର ବ୍ୟବସ୍ଥା କରାଯିବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ୪/୫ଦିନ ମଧ୍ୟରେ ମରାମତି କାର୍ଯ୍ୟ କରାନଯାଏ ଗ୍ରାମବାସୀମାନେ ରାଜପଥକୁ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।