ଦକ୍ଷତା ଓ କୌଶଳ ବୃଦ୍ଧିକୁ ଟିପିଏନଓଡିଏଲର ଗୁରୁତ୍ୱ


ାା ପ୍ରଭାନୁ୍ୟଜ ।ା ଯାଜପୁର : କୁଶଳୀ ହେବେ ଆଇଟିଆଇ ଛାତ୍ରଛାତ୍ରୀ । ବଢିବ ଟିପିଏନଓଡିଏଲ କର୍ମଚାରୀଙ୍କ ଦକ୍ଷତା । ସୁରକ୍ଷା ପଦ୍ଧତି ଏବଂ କାର୍ଯ୍ୟ ପ୍ରଣାଳୀ ସମ୍ପର୍କିତ ତାଲିମ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ଯୋଗ ଟିପିଏନଓଡିଏଲ ପକ୍ଷରୁ ବେତନଟୀ ପରେ କେନ୍ଦୁଝର ଜିଲାର ଯୋଡ଼ା, ଭଦ୍ରକରେ ରାହାଞ୍ଜ ଓ ଯାଜପୁର ଜିଲାର ପାଣିକୋଇଲିରେ ନୂଆ କୌଶଳ ବିକାଶ କେନ୍ଦ୍ର ଖୋଲାଯିବ ବୋଲି ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦ୍ୱିଜଦାସ ବସକ ସୂଚନା ଦେଇଛନ୍ତି । କୌଶଳ ବିକାଶ କେନ୍ଦ୍ର ଟିପିଏନଓଡିଏଲର କର୍ମଚାରୀଙ୍କ ଦକ୍ଷତା ବିକାଶ କରିବା ସହିତ ବିଏ କର୍ମଚାରୀ ଓ ଡିପ୍ଲୋମା ତଥା ଆଇଟିଆଇ ଛାତ୍ରଛାତ୍ରୀଙ୍କ କୌଶଳ ଏବଂ ବ୍ୟବହାରିକ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ । ବୈଦୁତିକ ସେବା ଓ ସୁରକ୍ଷା, ବିଦୁ୍ୟତ ସେବା ସଂଚାରଣ ଓ ବିତରଣ ବ୍ୟବସ୍ଥା, ଅକ୍ଷୟ ସୌର ଶକ୍ତି ଆଦି ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ବିଶେଷତଃ ଟିପିଏନଓଡିଏଲର ନବାଗତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ଏବଂ ଚଳିତବର୍ଷ ଡ଼ିସେମ୍ବର ସୁଦ୍ଧା ଉପରୋକ୍ତ ସ୍ଥାନ ମାନଙ୍କରେ କରାଯିବ ବୋଲି ଅପରେସନ ମୁଖ୍ୟ ନୀଲେଶ ପୋଟଫଡେ, ପ୍ରକଳ୍ପ ମୁଖ୍ୟ  ପ୍ରଦୀପ କୁମାର ମହାନ୍ତି, ମାନବ ସମ୍ବଳ ବିଭାଗ ମୁଖ୍ୟ ରମେନ୍ଦ୍ର ବଣିକ, କୌଶଳ ବିକାଶ ବିଭାଗ ମୁଖ୍ୟ ସତୀଶ ମହାଜନ ସୂଚନା ଦେଇଛନ୍ତି । ଫଳରେ ନିଜର କର୍ମଚାରୀଙ୍କ କୌଶଳ ବୃଦ୍ଧି କରିବା ସହ ସ୍ଥାନୀୟ ଆଇଟିଆଇ ଓ ଡିପ୍ଲୋମା ଅଧ୍ୟୟନରତ ପିଲାଙ୍କ ଦକ୍ଷତା ବଢାଇବା ସହ ସେମାନଙ୍କୁ ଅଧିକ କୁଶଳୀ କରିବାରେ ସହାୟକ ହେବ ବୋଲି ଶ୍ରୀ ବସକ କହିଛନ୍ତି । ଅପରପକ୍ଷେ ଟିପିଏନଓଡିଏଲ ବିଭିନ୍ନ ସରକାରୀ ଆଇଟିଆଇଗୁଡିକ ସହ ବୁଝାମଣା ପତ୍ର ସ୍ୱାକ୍ଷର କରି ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ପିଲାଙ୍କ ଦକ୍ଷତା ବଢାଇବା ଦାୟିତ୍ୱ ନେଇଥିବା କୁହାଯାଇଛି । ଏହି ଯୁଗାନ୍ତକାରୀ ପଦକ୍ଷେପ କେବଳ ଓଡିଶାର ଯୁବକମାନଙ୍କ ଦକ୍ଷତା ବୃଦ୍ଧି ନୁହେଁ ବରଂ ରାଜ୍ୟରେ ବିଦୁ୍ୟତ୍ ସେବା କ୍ଷେତ୍ରର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେଉଛି ବୋଲି  ଅଧିକ୍ଷଣ ଯନ୍ତ୍ରୀ ହରିଶ ପଣ୍ଡା, ତନୁଜ ପଟ୍ଟନାୟକ(ଏଚଓଜି ସିଭିଲ)ଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମତ ରଖିଛନ୍ତି ।