ଶ୍ମଶାନ ଘର ନିର୍ମାଣ କାର୍ଯ୍ୟରେ ଅନିୟମିତତା: ଜିଲ୍ଲାପାଳଙ୍କୁ ଫେରାଦ
ବିଞ୍ଝାରପୁର : ଶ୍ମଶାନ ବିଶ୍ରାମ ଘର ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଫତେପୁର ପଞ୍ଚାୟତରୁ । ଅଭିଯୋଗ ଅନୁଯାୟୀ ପଞ୍ଚାୟତ ଅଧିନସ୍ଥ ନଛିପୁର ମଲ୍ଲିଆ ଶ୍ମଶାନରେ ଚାଲିଥିବା ଶ୍ମଶାନ ବିଶ୍ରାମ ଘର ନିର୍ମାଣ କାର୍ଯ୍ୟରେ ଅନିୟମିତତା ଚାଲିଛି । ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏତତ୍ ବ୍ୟତୀତ ପୂର୍ବରୁ ଥିବା ପୁରୁଣା ବିଶ୍ରାମ ଘରକୁ ଭଙ୍ଗା ଯାଉଥିଲେ ମଧ୍ୟ ପୁରୁଣା ପିଲାର୍ ଖୁଂଟି ରହିଛି । ଏହି ପୁରୁଣା ପିଲାର୍ ଖୁଂଟିକୁ ନଭାଙ୍ଗି କାନ୍ଥ ଯୋଡାଇ କରିବାର ମସୁଧା ଚାଲିଛି । ପୁରୁଣା ପିଲାର୍ ଖୁଂଟିରେ ଛାତ ପଡ଼ିଲେ ଏହାର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବାର ଆଶଙ୍କା କରି ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ । କେବଳ ସେତିକି ନୁହେଁ ନିର୍ମାଣ କାର୍ଯ୍ୟ ସମୟରେ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହୁନଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଦୃଷ୍ଟି ଦେବା ସହିତ ଉଚିତ କାର୍ଯାନୁଷ୍ଠାନ ନେବାକୁ ଦାବି ହୋଇଛି । ପୁରୁଣା ପିଲାର୍ ଖୁଂଟିରେ କାର୍ଯ୍ୟ ଚାଲିଥିବା ନେଇ ବିଭାଗୀୟ ଯନ୍ତ୍ରୀ ଅବଗତ ଅଛନ୍ତି ନା ଜାଣି ଶୁଣି ନୀରବ ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।