ଅଭାବୀ ଧାନ ବିକ୍ରି : ପ୍ରତିବାଦରେ ଚାଷୀ ସୁରକ୍ଷା କମିଟିର ଗଣଅବସ୍ଥାନ
ଯାଜପୁର ଟାଉନ : ଜିଲ୍ଲାରେ ଲାଗି ରହିଛି ଅଭାବୀ ଧାନ ବିକ୍ରି । ଯାହାର ପ୍ରତିବାଦ୍ରେ ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ସହ ଅନୁବନ୍ଧିତ ଚାଷୀ ସୁରକ୍ଷା କମିଟି ନେତୃତ୍ୱରେ ଶୁଶୁଆ, ନିଜାମପୁର ଓ ଦୁଦୁରାଅଣ୍ଟା ଗ୍ରାମ ପଂଚାୟତର ଶହ ଶହ ଚାଷୀ ମୂଲିଆ ଓ ଭାଗଚାଷୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଅବସ୍ଥାନ କରିଥିଲେ । କମଟିର ସଭାପତି ନୃସିଂହ ଚରଣ ପଣ୍ଡାଙ୍କ ନେତୃତ୍ୱରେ ସର୍ବଶ୍ରୀ ନିରାକାର ଦାସ, ଜଳଧର ମଲ୍ଲିକ, ପ୍ରଫୁଲ୍ଲ ମଲ୍ଲିକ, ଚନ୍ଦ୍ରକାନ୍ତ ପଡ଼ିହାରି, ରଘୁନାଥ ଦାସ, କାଳନ୍ଦୀ ଖଟୁଆ, ସୁବାସ ଦାସ, ସୁରେନ୍ଦ୍ର ଦାସ, ଭରତ ମଲ୍ଲିକ,ରନôାକର ଦାସ, ଅନ୍ତର୍ଯ୍ୟାମୀ ମଲ୍ଲିକ, ଅଜୟ ଦାସ, ମହେଶ୍ୱର ଦାସ ବିଜୟ ମଲ୍ଲିକ ଆଦି ପ୍ରମୁଖ ଗଣ ଅବସ୍ଥାନରେ ବସି ରହିଥିଲେ । ଏମାନଙ୍କ ଅଭିଯୋଗ ଏ ବର୍ଷ ଚାଷୀ ମାନଙ୍କର ଧାନ ବିକ୍ରି କ୍ଷେତ୍ରରେ ବ୍ୟାପକ ଅନିୟମିତତା, ଦୁର୍ନୀତି ଓ ଅରାଜକତା ଦେଖାଦେଇଛି । ଚାଷୀମାନଙ୍କର ସମସ୍ତ ଧାନକୁ ସରକାର କିଣି ନେବା ପରିବର୍ତ୍ତେ ସିଲିଂ ବ୍ୟବସ୍ଥା ପ୍ରଚଳନ କରି ଧାନ ବିକ୍ରୟ କ୍ଷେତ୍ରରେ ଅଘୋଷିତ ପ୍ରତିବନ୍ଧକ ଲଗାଇଛନ୍ତି । ବର୍ଷ ସାରା ମଣ୍ଡି ଖୋଲା ନ ରହିବା ଫଳରେ ଶାରଦ ଧାନର କିଣା ବିକା ଆଦୌ ସମ୍ଭବ ହେଉନାହିଁ । ସେହିଭଳି ଉତ୍ପାଦନର ୮୦ଭାଗ ଧାନ ଅମଳ କରୁଥିବା ଭାଗଚାଷୀମାନଙ୍କର ନିଜସ୍ୱ ଜମିବାଡ଼ି ନଥିବାରୁ ଧାନ ବିକ୍ରି କ୍ଷେତ୍ରରେ ସେମାନଙ୍କ ପାଇଁ କୌଣସି ଆଇନଗତ ବ୍ୟବସ୍ଥା ନାହିଁ । ସାର, ବିହନ, କୀଟ ନାଶକ ପ୍ରଭୃତି କୃଷି ସାମଗ୍ରୀର ବ୍ୟାପକ ଦରବୃଦ୍ଧି ଘଟି ଚାଲିଥିବା ବେଳେ ଧାର କରଜରେ ବୁଡ଼ି ରହିଥିବା ଭାଗଚାଷୀମାନେ ସରକାରୀ ନିର୍ଦ୍ଧାରିତ ଦରରେ ଆଦୌ ଧାନ ବିକ୍ରି କରି ପାରୁନାହାନ୍ତି । ସେମାନଙ୍କର ଧାନକୁ କିଛି ଅସାଧୁ ବ୍ୟବସାୟୀ, ତଳଠୁ ଉପର ପର୍ଯ୍ୟନ୍ତ ସମବାୟ ସମିତିର କର୍ମକର୍ତ୍ତା, ଯୋଗାଣ ବିଭାଗ ଓ ନେତା ମନ୍ତ୍ରୀମାନଙ୍କ ସଲା ସୁତୁରାରେ ହରିଲୁଟ୍ ହେଉଛି । ଦିଲ୍ଲୀ କୃଷକ ଆନେ୍ଦାଳନରେ ପରାଜିତ କେନ୍ଦ୍ର ଓ ରାଜ୍ୟ ସରକାର ପଛଦ୍ୱାର ବାଟେ କୌଶଳକ୍ରମେ ସରକାରୀ ମଣ୍ଡି ବ୍ୟବସ୍ଥାକୁ ଧ୍ୱଂସ କରି ବଡ଼ବଡ଼ କର୍ପୋରେଟ ଓ ଶିଳ୍ପପତିମାନଙ୍କ ହାତରେ କୃଷି ବ୍ୟବସ୍ଥାକୁ ଟେକି ଦେବାର ଚକ୍ରାନ୍ତ ଚଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ ।