ଶ୍ରୀକ୍ଷେତ୍ରରୁ ତୁଳସୀକ୍ଷେତ୍ରକୁ ଆସିଲା ପାଟବସ୍ତ୍ର
କେନ୍ଦ୍ରାପଡା : ପାରମ୍ପରିକ ପ୍ରଥା ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କ ପାଇଁ ଆସିଛି ୩ଗୋଟି ପାଟବସ୍ତ୍ର । ଦେବୋତ୍ତର ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ ଶନିବାର ଅପରାହ୍ନରେ ନୀଳ, ରକ୍ତ ଓ ହରିଦ୍ରା ରଙ୍ଗର ତିନୋଟି ପାଟବସ୍ତ୍ରକୁ ବଡଭାଇ ଶ୍ରୀବଳଦେବଜିଉ ମହାପ୍ରଭୁଙ୍କ ଉଦେଶ୍ୟରେ ଆସିଛି । ସେହି ପାଟବସ୍ତ୍ରକୁ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ଆଣିଥିବା ସହକାରୀ ପ୍ରଶାସକ ଡ. ପ୍ରଭୂପିୟୁଷ ମହାପାତ୍ର, ଡି.ଇ.ଓ ସତ୍ୟନାରାୟଣ ପାତ୍ର, ଜଗବନ୍ଧୁ ପୂଜାପଣ୍ଡା, ଅମର ମହାପାତ୍ର ପ୍ରମୁଖ କେନ୍ଦ୍ରାପଡା ଶ୍ରୀ ବଳଦେବ ଜୀୟୁ ମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ପକ୍ଷରୁ ସନ୍ଧ୍ୟା ଆଳତୀ ପରେ ରୂପା ଥାଳିରେ ସେହି ପାଟବସ୍ତ୍ରକୁ ମନ୍ଦିର ସିଂହଦ୍ୱାର ନିକଟକୁ କିର୍ତ୍ତନ ମଣ୍ଡଳୀ, ବାଜା, ଘଣ୍ଟା, ଘଣ୍ଟ, ଶଙ୍ଖ, କାହାଳୀ ବଜାଇ ଏକ ବର୍ଣ୍ଣାଢ୍ୟ ପଟୁଆରରେ ନିଆଯାଇ ବଡପଣ୍ଡା ମାଧବ ପତ୍ରୀ ଓ ଭାବଗ୍ରାହୀ ପତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଏହା ବେଢା ପରିକ୍ରମା କରାଯିବା ପରେ ଠାକୁରଙ୍କ ଭଣ୍ଡାର ଘରେ ରଖାଯାଇଥିଲା । ଆସନ୍ତା ଶୁକ୍ଳ ଏକାଦଶୀ ତିଥିରେ ଏହି ପାଟ ବସ୍ତ୍ର ପରିଧାନ କରି ପ୍ରଳମ୍ବାସୁର ବଧ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀବଳଦେବଜୀଉ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ମହାପ୍ରଭୁ ବଳରାମ ପ୍ରଳମ୍ବାସୁରକୁ ସଂହାର କରିଥିଲେ । ଅନୁଜ ଶ୍ରୀକୃଷ୍ଣ ଖୁସି ହୋଇ କାନ୍ଧରୁ ଅଙ୍ଗ ବସ୍ତ୍ର ବାହାର କରି ବଡ଼ଭାଇ ବଳରାମଙ୍କ ମସ୍ତକରେ ବାନ୍ଧି ଦେଇଥିଲେ । ପୈାରାଣିକ ମତରେ ଦ୍ୱାପର ଯୁଗରେ ପ୍ରଳମ୍ବାସୁର ବଦ୍ଧପରେ ଶ୍ରୀ କୃଷ୍ଣ ବଡଭାଇ ବଳରାମଙ୍କୁ ପାଟବସ୍ତ୍ର ପରିଧାନ କରିବାକୁ ଦେଇଥିଲେ । ଏହାକୁ ଆଧାରକରି ଏହି ପରମ୍ପରା ଦୀର୍ଘବର୍ଷ ଧରି ହୋଇଆସୁଥିବା ମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ । ଶୋଭାଯାତ୍ରାରେ ଶ୍ରୀ ବଳଦେବଜୀଉ ମନ୍ଦିର ପରିଚାଳନା ପରିଷଦର ଟ୍ରଷ୍ଟର ସଭାପତି ନବକୃଷ୍ଣ ଜେନା, ଟ୍ରଷ୍ଟ ବୋର୍ଡ ସଭ୍ୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତି ରଞ୍ଜନ ଗୌଡ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ପଣ୍ଡିତ ହୃଷିକେଶ ରଥ, ସଭ୍ୟ ତଥା ପୂର୍ବତନ ପୌରାଧ୍ୟକ୍ଷ ଧିରେନ କୁମାର ସାହୁ, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଓ ବହୁ ସେବାୟତଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ ।