ଶ୍ରୀ ରଘୁନାଥଜୀଉଙ୍କ ରାମନବମୀ ଓ ଦାଣ୍ଡଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି 

 ନିଶ୍ଚିନ୍ତକୋଇଲି:  ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ କେଣ୍ଟାଳୋ ପଞ୍ଚାୟତ ମଲ୍ଲୀପୁର ଗ୍ରାମରେ ବିଜେ ଅସୁରେଶ୍ୱରର ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କର ଜନ୍ମୋତ୍ସବ ଯାତ୍ରା ପାଇଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଯାତ୍ରା ଆସନ୍ତା ୬ ତାରିଖ ରବିବାର ଠାରୁ ୧୬ ତାରିଖ ବୁଧବାର ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ମହାସମାରୋହରେ ଅନୁଷ୍ଠିତ ହେବା ପାଇଁ ସ୍ଥାନୀୟ ଜନସାଧାରଣ, ଶ୍ରୀରାମ ନବମୀ ଯାତ୍ରା କମିଟି ଓ ଶ୍ରୀ ଶ୍ରୀ ରଘୁନାଥ ଜୀଉ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଚଳିତବର୍ଷ ମୁଖ୍ୟତଃ ୬ ତାରିଖରେ ପଡ଼ୁଥିବା ଶ୍ରୀରାମନବମୀ ଓ ୧୨ ତାରିଖ ଚୈତ୍ର ପୂର୍ଣ୍ଣିମା ରେ ପଡ଼ୁଥିବା ଶ୍ରୀଜୀଉଙ୍କ ପ୍ରସିଦ୍ଧ ଦାଣ୍ଡଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଥିବାରୁ ପୋଲିସ ଓ ପ୍ରଶାସନିକ କ୍ଷେତ୍ରରେ ଏହାକୁ କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରାଯିବ ସେ ନେଇ ପୋଲିସ ପକ୍ଷରୁ ତତ୍ପରତା ଦେଖାଦେଇଛି । ଶ୍ରୀ ରଘୁନାଥଜୀଉଙ୍କ ପୀଠରେ ଶ୍ରୀରାମନବମୀ ଦିନ ଶ୍ରୀ ରଘୁନାଥଜୀଉଙ୍କ ଜନ୍ମଉସôବ ଓ ଶ୍ରୀ ଦଧିବାମନ ଜୀଉଙ୍କ ମନ୍ଦିରକୁ ଯାତ୍ରା କାର୍ଯ୍ୟ କରାଯିବା ପରେ ଶ୍ରୀ ଜୀଉଙ୍କର ଖଡ଼ିଛୁଆଁ ଓ ବିଦ୍ୟାରମ୍ଭ, ପରେ ପରେ ମହାଦେବ ବିବାହ, ସିତା ବିବାହ, ପର୍ଶୁରାମ ଭେଟ, ରାମ ବନବାସ, ସୀତା ହରଣ, ରାବଣ ଜଟାୟୁ ଯୁଦ୍ଧ, ହନୁମାନ ଭେଟ, ବାଳି ବଧ,ସେତୁ ବନ୍ଧ ପ୍ରତିଷ୍ଠା, ରାବଣ ବଦ୍ଧ ଓ ଶ୍ରୀରାମ ଅଭିଷେକ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଭକ୍ତମାନଙ୍କର ବହୁଳ ଉପସ୍ଥିତି ପାଇଁ ପ୍ରଶାସନ ପକ୍ଷରୁ ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ଭକ୍ତ ମାନେ ଗ୍ରୀଷ୍ମ ପ୍ରକୋପରୁ ରକ୍ଷା ପାଇବା ପାଇଁ ଜଳ ସିଞ୍ଚନ, ଆକସ୍ମିକ ଦୁର୍ଘଟଣା ପାଇଁ ଦମକଳ ବାହିନୀ ନିୟୋଜନ, ସ୍ୱାସ୍ଥ୍ୟ ସେବା ପାଇଁ ଡ଼ାକ୍ତରୀ ଦଳ ନିୟୋଜନ, ଶ୍ରୀରାମ ନବମୀରେ ପୂଜାର୍ଚ୍ଚନା ପାଇଁ ଅସ୍ଥାୟୀ ପୂଜକ ନିୟୋଜନ, ଯାତ୍ରାରେ ଶୃଙ୍ଖଳା ରକ୍ଷା ପାଇଁ ଶହ ଶହ ସ୍ୱେଚ୍ଛାସେବୀ ନିୟୋଜନ ଆଦି କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଶେଷ ପ୍ରସ୍ତୁତ ବୈଠକରେ ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ସାହୁ ଓ ଯାତ୍ରା କମିଟିର ସମ୍ପାଦକ ପ୍ରଭାତ କୁମାର ରଥ ପ୍ରକାଶ କରିଛନ୍ତି । ଶ୍ରୀ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶେଷ ପ୍ରସ୍ତୁତି ବୈଠକରେ ଯାତ୍ରା କମିଟିର ସଭ୍ୟ ଧରଣୀଧର ବେହେରା, ପଣ୍ଡିତ ବିଭୂତି ପାତ୍ର, ସୁରେନ୍ଦ୍ର ନାଥ ସାହୁ, ବିଜୟ ବଳ, ସୁକାନ୍ତ ସାହୁ, ଗୟାଧର ସ୍ୱାଇଁ, ଅନନ୍ତ ଦାସ, ରଘୁନାଥ ନାୟକ,ଜଗନ୍ନାଥ ସାହୁ, ଧ୍ରୁବଚରଣ ସାହୁ, ରାଜକିଶୋର ସାହୁ, ଲକ୍ଷ୍ମଣ ବେହେରା, ମନୋରଂଜ ଭୂୟାଁଙ୍କ ସହ ବହୁ ବୁଦ୍ଧିଜୀବୀ, ଯାତ୍ରା କମିଟର ସଦସ୍ୟ, ସ୍ଥାନୀୟ ଅଞ୍ଚଳର ଲୋକମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।