୩୦ ବର୍ଷ ପରେ ମିଳିଲା ଆବେଦକଙ୍କୁ ନ୍ୟାୟ

ବ୍ୟାସନଗର : ମାସେ କି ବର୍ଷେ ନୁହେଁ ଦୀର୍ଘ ୩୦ ବର୍ଷ ପରେ ନ୍ୟାୟାଳୟରୁ ନ୍ୟାୟ ମିଳିଛି ଜଣେ ମୁଦେଇଙ୍କୁ । ଖବର ମତେ୧୯୯୫ ମସିହାରେ ଢେଙ୍କାନାଳ ଜିଲା କାମାକ୍ଷାନଗର ମାଧମୁଣ୍ଡା ଅଂଚଳର ଲକ୍ଷ୍ମୀଧର ମହାନ୍ତଙ୍କୁ କେନ୍ଦ୍ୁଝର ଜିଲା ଟାଙ୍ଗରପଡା ଅଂଚଳର ପତିତପାବନ ମହାନ୍ତ ଚନ୍ଦ୍ରଭାଗା ଇନଭେଷ୍ଟମେଂଟ କୁସୁମୁଣ୍ଡିଆ ଶାଖାର ପରିଚାଳକ ପରିଚୟ ଦେଇ ଟାଟା ଏସି ଗାଡି ଋଣ କରାଇଦେବା ପ୍ରତିଶ୍ରୁତିରେ ୩ଟି କିସ୍ତିରେ  ୧ଲକ୍ଷ ୨୭ ହଜାର ଟଙ୍କା ନେଇଥିଲେ । ହେଲେ ଲକ୍ଷ୍ମୀଧର ଗାଡି ପାଇପାରିନଥିଲେ କି ଦେଇଥିବା ଅର୍ଥ ଫେରସ୍ତ ପାଇପାରିନଥିଲେ । ଓଲଟି ଉକ୍ତ ସଂସ୍ଥାଟି  ବନ୍ଦ ହୋଇଯାଇଥିଲା । ଏନେଇ ଲକ୍ଷ୍ମୀଧର ଜେଏମଏଫସି ଅଦାଲତରେ ଆଇସିସି କେସ ନଂ୧୨/୯୫ରେ ଏକ ମାମଲା ଦାୟର କରିଥିଲେ । ପତିତପାବନ ବର୍ଷବର୍ଷ ଧରି ମାନ୍ୟବର ଅଦାଲତରେ ହାଜର ହୋଇନଥିଲେ ହେଁ ପରେ ଉଚ୍ଚ ନ୍ୟାୟାଳୟରୁ ଜାମିନ ପାଇଥିଲେ । ତେବେ ଦୀର୍ଘ ବର୍ଷ ପରେ ଅଦାଲତ ୩ ଜଣ ସାକ୍ଷୀ, ମୁଦାଲା, ଉଭୟପକ୍ଷ ଓକିଲଙ୍କ ଜବାବ ସୁଆଲକୁ ଭିତି କରି ମାନ୍ୟବର ବିଚାରପତି ପ୍ରିୟଦର୍ଶନୀ କୁମ୍ଭାର ଅଭିଯୁକ୍ତ ପତିତପାବନ ମହାନ୍ତଙ୍କୁ ଦଫା ୪୦୯ରେ ୩ ବର୍ଷ ଜେଲଦଣ୍ଡ ଏବଂ ୧୦ ହଜାର ଜରିମାନା ଅନାଦେୟ ୨ମାସ ଜେଲ ଦଣ୍ଡାଦେଶ ନିଦେ୍ର୍ଦଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ପତିତପାବନ ପାଖାପାଖି ୧୦୦ରୁ ଉର୍ଦ୍ଦ ଲୋକଙ୍କୁ ଠକି ୩୫ ଲକ୍ଷରୁ ଉର୍ଦ୍ଦ ଅର୍ଥ ଆତ୍ମସାତ କରିଛି । ମୁଦେଇଙ୍କ ତରଫରୁ ମାମଲାକୁ ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ଦାସ, ରାମଚନ୍ଦ୍ର ପହି ପରିଚାଳନା କରୁଥିବା ବେଳେ ସୁରେଶ କୁମାର ପଟ୍ଟୁ ସହାୟତା କରିଥିଲେ ।