ଡିଏଭି ଜଗନ୍ନାଥ କ୍ଷେତ୍ରର ବାର୍ଷିକୋତ୍ସବ

ତାଳଚେର : ମହାନଦୀ କୋଲ୍ ଫିଲ୍ଡ୍ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ୍ର ବାର୍ଷିକ ଉତ୍ସବ ‘ଅମେୟା ୨.୦’ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏମସିଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ତଥା ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଅଶୋକ କୁମାର ଧଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବକୁ ଉଦ୍ଘାଟନ କରିବା ସହ ‘ଚିତ୍ରକଳା ପ୍ରଦର୍ଶନୀ’ର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜଗନ୍ନାଥ କ୍ଷେତ୍ର ଅନନ୍ୟା ମହିଳା ମଣ୍ଡଳର ଅଧ୍ୟକ୍ଷା ସୁସ୍ମିତା ଧଳ ସମେତ ଜଗନ୍ନାଥ କୋଇଲା କ୍ଷେତ୍ରର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ, ତାଳଚେର ବିଭିନ୍ନ କୋଇଲା କ୍ଷେତ୍ରର ପ୍ରବନ୍ଧକ ଏବଂ ବରିଷ୍ଠ ଅଧିକାରୀ, ବିଭିନ୍ନ ଶ୍ରମିକ ସଙ୍ଗଠନର ନେତା ତଥା ବିଭିନ୍ନ ପଡୋଶୀ ବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷା, ଅଭିଭାବକମାନଙ୍କ ପ୍ରତିନିଧି, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଆଦି ଉପସ୍ଥିତ ରହି ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିଥିଲେ  । କାର୍ଯ୍ୟକ୍ରମଟି ପବିତ୍ର ପ୍ରଦୀପ ପ୍ରଜ୍ୱଳନ ସହିତ ଆରମ୍ଭ ହୋଇଥିଲା ଏବଂ ପରେ ଡ଼ିଏଭି ଗାନ ଏବଂ କୋଲ ଇଣ୍ଡିଆ ସଂଗୀତ ପରିବେଷଣ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷା ଶୁକ୍ଳା ଚକ୍ରବର୍ତ୍ତୀ ମୁଖ୍ୟଅତିଥି ତଥା ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିବା ସହ ବିଦ୍ୟାଳୟର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ, ନାଟକ ଏବଂ କଳା କ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକମାନଙ୍କ ମନ ମୋହିଥିଲେ । ବର୍ଷତମାମ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ସହ ପୁରସ୍କୃତ କରିଥିଲେ । ଏହି ଉତ୍ସବ ଅବସରରେ ବିଦ୍ୟାଳୟର ବାର୍ଷିକ ମୁଖପତ୍ର ‘ଦି ବ୍ଲିସ୍’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଅତିଥିମାନଙ୍କ ଦ୍ୱାରା ସିସିଏ ଚାମ୍ପିଅନ୍ ଭାବେ ବିବେକାନନ୍ଦ ହାଉସ୍କୁ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଶ୍ରଦ୍ଧାନନ୍ଦ  ହାଉସ୍କୁ ରନର୍ସଅପ୍ କପ୍ ପ୍ରଦାନ କରାଯାଇଥିଲା । ଓଡିଶା ଡିଏଭି ବିଦ୍ୟାଳୟ ସମୂହର ଆଞ୍ଚଳିକ ନିଦେ୍ର୍ଦଶକ ଡ.କେଶବ ଚନ୍ଦ୍ର ଶତପଥୀଙ୍କ ମାର୍ଗ ଦର୍ଶନରେ ଉତ୍ସବଟି ସୂଚାରୁ ରୂପେ ସମାପନ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡ଼. ଚିତ୍ତରଞ୍ଜନ ଚକ୍ରବର୍ତ୍ତୀ ଧନ୍ୟବାଦ ଦେଇଥିଲେ ।