ଶ୍ୱଶୁରହନ୍ତା ଜ୍ୱାଇଁକୁ ୫ ବର୍ଷ ଜେଲ୍

 ନବରଙ୍ଗପୁର  : ଶ୍ୱଶୁରଙ୍କୁ ହତ୍ୟା କରିଥିବା ଜ୍ୱାଇଁକୁ ଦୋଷୀ ସାବ୍ୟସ୍ତ କରି ଜିଲ୍ଲା ଦୌରା ଜଜ ସୁବ୍ରତ ମହାନ୍ତି ଆସାମୀକୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି କରିଛନ୍ତି  । ଆସାମୀ ହେଲେ କୋଷାଗୁମୁଡା ଥାନା ନୁନପାଣି ଗାଁର ଚୈତନ୍ୟ ରତରା  । ତାକୁ ୫ ହଜାର ଟଙ୍କା ଜୋରିମାନା ଦେବାକୁ ନିଦେ୍ର୍ଦଶ ରହିଛି । ଅନାଦେୟ ଆହୁରି ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ୨୭ ଜଣ ସାକ୍ଷୀ ଓ ୨୮ଟି ଦସ୍ତାବିଜକୁ ଭିତ୍ତିକରି ଜଜ୍ ଉପରୋକ୍ତ ରାୟ ଦେଇଛନ୍ତି । ଏଥିସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ସୁପାରିସ କରିଛନ୍ତି । ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ମନୋଜକୁମାର ଏକ୍କାଙ୍କ ସୂଚନା ଅନୁଯାୟୀ, ନୁନପାଣି ଗାଁର ଚୈତନ୍ୟ  ନେଙ୍ଗାନାଲ ଗାଁର ପର୍ଶୁରାମ ନାୟକଙ୍କ ଝିଅ ଦଶମୀଙ୍କୁ ବାହା ହୋଇ ଘର ଜ୍ୱାଇଁ ହୋଇ ରହୁଥିଲା । ୨୦୨୪ ଜୁଲାଇ ୭ ତାରିଖ ସନ୍ଧ୍ୟାରେ ଶ୍ୱଶୁର ପର୍ଶୁରାମ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଚୈତନ୍ୟ ହଠାତ ଆସି ତାଙ୍କୁ ଗାଳିଗୁଲଜ କରିଥିଲା । ଏପରିକି ତଣ୍ଟି ଚିପି ଜୀବନରେ ମାରିବାକୁ ଉଦ୍ୟମ କରିଥିଲା । ଏହି ସମୟରେ ସ୍ତ୍ରୀ ଦଶମୀ ଓ ତାଙ୍କ ମାମୁ ନକୂଳ ଛଡ଼ାଇବାକୁ ଚେଷ୍ଟା କରିଥିଲେ । ସେତେବେଳେ ଉତ୍କ୍ଷିପ୍ତ ହୋଇ ଚୈତନ୍ୟ ପର୍ଶୁରାମଙ୍କୁ ବାରଣ୍ଡା ତଳକୁ ଠେଲି ଦେଇଥିଲା  । ଏହି ଠେଲାପେଲାରେ ପର୍ଶୁରାମଙ୍କ ମୁଣ୍ଡ ପଛପଟ ଏକ ପଥରରେ ବାଜିବା ଦ୍ୱାରା ତାଙ୍କ ଜୀବନ ଚାଲିଯାଇଥିଲା  । ବାପାଙ୍କୁ ହତ୍ୟା କରିଥିବା ସ୍ୱାମୀ ଚୈତନ୍ୟ ବିରୋଧରେ ଦଶମୀ କୋଷାଗୁମୁଡା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିଭିକରି ପୁଲିସ ଚୈତନ୍ୟକୁ ଗିରଫ କରିଥିଲା । ଏହି ମାମଲାର ବିଚାର କରି ଜିଲ୍ଲା ଦୌରାଜଜ ଉପରୋକ୍ତ ରାୟ ଶୁଣାଇଛନ୍ତି ।