ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ୧୦ ହଜାର କୋଟି ; କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ
ନୂଆଦିଲ୍ଲୀ : ଭାରତର ବର୍ଦ୍ଧିତ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଷ୍ଟାର୍ଟଅପ୍ ଇଣ୍ଡିଆ ଫଣ୍ଡ ଅଫ୍ ଫଣ୍ଡ୍ସ ୨.୦ (ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ ୨.୦) ପ୍ରତିଷ୍ଠାକୁ ଅନୁମୋଦନ କରିଛି । ଦେଶର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଭେଞ୍ଚର କ୍ୟାପିଟାଲ ସଂଗ୍ରହ କରିବା ପାଇଁ ଏଥିରେ ମୋଟ ୧୦,୦୦୦ କୋଟି ଟଙ୍କାର ପାଣ୍ଠି ଆବଣ୍ଟନ କରାଯାଇଛି ।
ଏହି ଯୋଜନାର ଲକ୍ଷ୍ୟ ହେଉଛି ଦୀର୍ଘକାଳୀନ ଘରୋଇ ପୁଞ୍ଜି ସଂଗ୍ରହ, ଭେଞ୍ଚର କ୍ୟାପିଟାଲ ଇକୋସିଷ୍ଟମକୁ ସୁଦୃଢ଼ କରିବା ଓ ସାରା ଦେଶରେ ନବ୍ନୋ୍ମେଷ ଆଧାରିତ ଉଦ୍ୟୋଗକୁ ସମର୍ଥନ କରି ଭାରତର ଷ୍ଟାର୍ଟଅପ୍ ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟକୁ ତ୍ୱରାନ୍ୱିତ କରିବା । ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଅଧୀନରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ଏଫଓଏଫ ୨.୦ ହେଉଛି ଭାରତକୁ ବିଶ୍ୱର ଏକ ପ୍ରମୁଖ ଷ୍ଟାର୍ଟଅପ୍ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ପ୍ରୟାସର ପରିଣାମ । ୨୦୧୬ରେ ଷ୍ଟାର୍ଟଅପ୍ ଇଣ୍ଡିଆ ଆରମ୍ଭ ହେବା ପରଠାରୁ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି । ଏହା ୫୦୦ ରୁ କମ୍ ଷ୍ଟାର୍ଟଅପରୁ ବୃଦ୍ଧି ପାଇ ଆଜି ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି) ଦ୍ୱାରା ସ୍ୱୀକୃତିପ୍ରାପ୍ତ ୨ ଲକ୍ଷରୁ ଅଧିକ ଷ୍ଟାର୍ଟଅପରେ ପହଞ୍ଚଛି । ୨୦୨୫ରେ ସର୍ବାଧିକ ଷ୍ଟାର୍ଟଅପ୍ ପଞ୍ଜିକରଣ ହୋଇଛି । ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଜାତୀୟ ଦୃଷ୍ଟିକୋଣ ଅନୁରୂପ ଏହି ପାଣ୍ଠି ଉଦ୍ୟୋଗୀଙ୍କୁ ସଶକ୍ତ କରିବା, ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୂର୍ଣ୍ଣ ସମ୍ଭାବନାକୁ ମୁକ୍ତ କରିବା ପାଇଁ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।