ସଚିବ ବୁଲିବେ ଦୁର୍ଗମ ଅଞ୍ଚଳ


ବର୍ତ୍ତମାନ ରାଜ୍ୟରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା କାର୍ଯ୍ୟକାରୀ ହେଲାଣି । ବିଜେଡ଼ି ସରକାର ପରିବର୍ତ୍ତନ ପରେ ବିଜେପି ସରକାର ରାଜ୍ୟର ୧୪ଟି ଜିଲ୍ଲାରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି । ତେବେ ଏହିସବୁ ଜିଲ୍ଲା ଗୁଡ଼ିକରେ ଏ ଯୋଜନା କିଭଳି ଭାବରେ ଚାଲୁଛି ତାହାର ବାସ୍ତବତାଭିତ୍ତିକ ବିଶ୍ଳେଷଣ ଆବଶ୍ୟକ । ଜିଲ୍ଲାପାଳମାନେ ହେଉଛନ୍ତି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଏବଂ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ପ୍ରତ୍ୟକ୍ଷ ତତ୍ତ୍ୱାବଧାରକ । ତେଣୁ କ୍ଷେତ୍ର ଉପରେ ଯୋଜନା ଗୁଡ଼ିକ କିଭଳି ଭାବରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବା ଜିଲ୍ଲାପାଳମାନଙ୍କ ଦାୟିତ୍ୱ । ବହୁ ସମୟରେ ବିଭିନ୍ନ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଲାଭ ପାଇବା, ଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବା, ଯୋଜନା ଠିକ୍ ଭାବରେ କାର୍ଯ୍ୟକାରୀ ହେବା, ଯୋଜନାର କାର୍ଯ୍ୟକାରୀ କ୍ଷେତ୍ରରେ ଦୁର୍ନୀତି ଓ ପ୍ରିୟାପ୍ରୀତି ରହିବା, ଏପରିକି ଅନେକ ଦୁର୍ଗମ ଅଞ୍ଚଳରେ ଯୋଜନା ଆଦୌ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ଆସେ । ଏହିସବୁ ଅଭିଯୋଗ ଗୁଡ଼ିକର ସତ୍ୟତା ମଧ୍ୟ ରହିଛି । ଏ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହିସବୁ ଯୋଜନା ଗୁଡ଼ିକର କାର୍ଯ୍ୟକାରୀତା ନେଇ ଇତିମଧ୍ୟରେ ଏକ ସମୀକ୍ଷା ବୈଠକ ଡ଼କାଇଥିଲେ । ଏହି ସମୀକ୍ଷା ବୈଠକରେ ରାଜ୍ୟର ୧୪ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସହିତ ସଂପୃକ୍ତ ସଚିବମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳମାନେ ଯଦିଓ ବ୍ଲକ୍ ଏବଂ ପଞ୍ଚାୟତ ସ୍ତରରେ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତାକୁ ନେଇ ସମୀକ୍ଷା ନିମିତ୍ତ ଗସ୍ତ କରିବା ଆବଶ୍ୟକ, କିନ୍ତୁ ପ୍ରକୃତ କ୍ଷେତ୍ରରେ ଦୁର୍ଗମ ଅଞ୍ଚଳରେ ରହିଥିବା ବିଭିନ୍ନ ପ୍ରକାରର ଅସୁବିଧାକୁ ନେଇ ଜିଲ୍ଲାପାଳମାନେ ଗାଁ ଗସ୍ତ କରନ୍ତି ନାହିଁ । ବିଭାଗୀୟ ସଚିବମାନେ ମଧ୍ୟ ପଞ୍ଚାୟତ ଏବଂ ଗାଁ ଗସ୍ତ କରିବା ନିଦେ୍ର୍ଦଶ ରହିଥିଲେ ମଧ୍ୟ ତାକୁ ପାଳନ କରନ୍ତି ନାହିଁ । ମୁଖ୍ୟମନ୍ତ୍ରୀ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଏବଂ ସଚିବମାନଙ୍କୁ ଗ୍ରାମକୁ, ଜନବସତିକୁ ତଥା ଦୁର୍ଗମ ଅଞ୍ଚଳକୁ ଯାଇ ବିଭିନ୍ନ ଯୋଜନା ସବୁ କିଭଳି ଭାବରେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କିତ ପ୍ରତ୍ୟକ୍ଷ ସୂଚନା ଲୋକଙ୍କ ଠାରୁ ଆଣିବେ । 
୨୦୧୬ ମସିହାରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ର ଦୁର୍ଗମ ଅଞ୍ଚଳ ନଗଡ଼ା ଗ୍ରାମପୁଞ୍ଜ ଅତ୍ୟନ୍ତ ପଛୁଆ ଅଞ୍ଚଳ ଭାବରେ ଗଣମାଧ୍ୟମ ତଥା ପ୍ରଶାସନିକ ଚର୍ଚ୍ଚାର ପରିସରକୁ ଆସିଥିଲା । ସେତେବେଳେ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳକୁ ଜିଲ୍ଲାପାଳ ମାନେ ଯାଇ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ତଦାରଖ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଏହି ନିଦେ୍ର୍ଦଶ ଆଉ କେହି ପାଳନ କରିଲେ ନାହିଁ । 
ନୂଆ ସରକାର ଆସିବା ପରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାକୁ ରାଜ୍ୟର ୧୪ଟି ଜିଲ୍ଲାର ୫୫ଟି ବ୍ଲକ୍ ଅଧୀନରେ ଥିବା ୧୭୫୧ଟି ଗ୍ରାମ ଓ ଜନବସତିରେ କାର୍ଯ୍ୟକାରୀ କରିଛନ୍ତି । ୨୮୯ଟି ଗ୍ରାମ ପଞ୍ଚାୟତ ଏବଂ ୨ଟି ପୌରଶାସିତ ଅଞ୍ଚଳରେ ଏହି ୧୪ଟି ଜିଲ୍ଲା ଭିତରେ ରହିଛି । ମୋଟ୍ ୬୮ ହଜାର ୬୦୫ଟି ପରିବାରର ୩ ଲକ୍ଷ ୧୪ ହଜାର ୫୧୪ ଜଣ ବ୍ୟକ୍ତି ଏହି ଯୋଜନାର ସୁଫଳ ପାଇବେ । ୨୦୨୬ ବର୍ଷ ଶେଷ ସୁଦ୍ଧା ୪୫ ହଜାର ୪୦୮ଟି ନୂଆ ଘର ନିର୍ମାଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୨୧୦ କିଲୋମିଟର୍ ପକ୍କା ସଡ଼କ ନିର୍ମାଣ, ୧୬୪୬ଟି ଗ୍ରାମରେ ଘରକୁ ପିଇବା ପାଣିର ନଳ ସଂଯୋଗ, ୩୫୧ଟି ଅଞ୍ଚଳରେ ମୋବାଇଲ୍ ଟାୱାର୍ ସ୍ଥାପନ, ୪୦୫ଟି ଅଞ୍ଚଳରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ହଷ୍ଟେଲ୍ ନିର୍ମାଣ, ୭୪ଟି ବହୁମୁଖୀ କେନ୍ଦ୍ର ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ସେହିପରି ୫ କିଲୋମିଟର୍ ମଧ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ନଥିବା ଅଞ୍ଚଳ ଗୁଡ଼ିକରେ ମୋବାଇଲ୍, ମେଡ଼ିକାଲ୍ ୟୁନିଟ୍ର ବ୍ୟବସ୍ଥା କରିବା ମଧ୍ୟ ଲକ୍ଷ୍ୟ ରହିଛି । ବିଶେଷ କରି ଆଦିବାସୀ ଅଞ୍ଚଳରେ ଏହି ଯୋଜନା ସଫଳ ଭାବରେ କାର୍ଯ୍ୟକାରୀ ହେଲେ ଜଳଯୋଗାଣ, ବିଦୁ୍ୟତ୍ ଯୋଗାଣ, ମୋବାଇଲ୍ ସଂଯୋଗ, ସଡ଼କ ସଂଯୋଗ ଆଦି ଯୋଜନା ଗୁଡ଼ିକର ସୁଫଳ ଲୋକେ ପାଇବେ ।