ଉତ୍କଳମଣି ଗୋପବନ୍ଧୁ ଦାସ
ହିମାଂଶୁ ଶେଖର ଆଚାର୍ଯ୍ୟ : ଦେଶର ଜାତୀୟ ଜୀବନରେ ଯେତେବେଳେ ଦୁର୍ଭାଗ୍ୟର କାଳରାତ୍ରୀ ନଇଁ ଆସେ, ସେତେବେଳେ ଦେଶକୁ ଉଦ୍ଧାର କରିବାପାଇଁ ଜାତିର ଆତ୍ମା ନିଭୃତରେ ତପସ୍ୟା କରିଥାଏ । ସେହି ତପସ୍ୟାର ଫଳସ୍ୱରୂପ ଆର୍ବିଭୁତ ହୁଅନ୍ତି କେତେକ ଉତ୍ସର୍ଗୀକୃତ ଜୀବନ । ଯେଉଁମାନେ କି କାଳରାତ୍ରୀର ଅବସାନ ପାଇଁ ସଳିତା ଭଳି ତିଳ ତିଳ ଜଳି ନିଜ ଆଦର୍ଶର ଆଲୋକରେ ଅନ୍ୟମାନଙ୍କ ପଥପ୍ରଦର୍ଶକ ସାଜନ୍ତି । ସେହିପରି ଜଣେ ବିରଳ ବ୍ୟକ୍ତିତ୍ୱ ହେଉଛନ୍ତି ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ । ଏକାଧାରରେ ସେ ଥିଲେ ମହାନ୍ ଦେଶଭକ୍ତ, ଯୋଗଜନ୍ମା ସାଧକ, ମାନବବାଦୀ କବି, ଆର୍ତ୍ତଜନତାର ବନ୍ଧୁ ଓ ସର୍ବୋପରି ନୀତିନିଷ୍ଠ ଜନନାୟକ । ଯଥାର୍ଥରେ ସେ ଥିଲେ ଏଜାତିର ଅମୂଲ୍ୟ ମଣି - ଉତ୍କଳମଣି ।
ଏହି ମହାମନା ସାଧକ ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ପିତା ଦୈତାରୀ ଦାଶ ଓ ମାତା ସ୍ୱର୍ଣ୍ଣମୟୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ବାଲ୍ୟକାଳରୁ ମାତୃ ଛେଉଣ୍ଡ ଗୋପବନ୍ଧୁ ପିଉସୀ କମଳାଦେବୀ ସ୍ନେହର ପଣତ ତଳେ ବଢିଥିଲେ । ଶୈଶବରେ ମାତୃ-ପିତୃ ବିୟୋଗଜନିତ ଦୁଃଖ,ଯୈ÷ାବନରେ ପତ୍ନୀଙ୍କ ବିଛେଦ ଓ ପରିବାରର ଆର୍ଥିକ ଦୂରବସ୍ଥା ତାଙ୍କୁ ତାଙ୍କ ଲକ୍ଷ୍ୟ ପଥରୁ ବିଚ୍ୟୁତ କରିପାରିନଥିଲା । ମାନବସେବା ମାଧବସେବା ବ୍ରତକୁ ଏକାନ୍ତ ନିଷ୍ଠାର ସହିତ ସେ ନିଜ ଜୀବନରେ ଗ୍ରହଣ କରିଥିଲେ ପରମ ଆଦର୍ଶ ରୂପେ । କୈଶୋରରୁ ତାଙ୍କର ସମାଜସେବା ମନୋବୃତ୍ତିର ସୁରାକ ମିଳିଥିଲା । ନିଜ ଗାଁର ଅବସ୍ଥାରୁ ହିଁ ସେ ସାରାରାଜ୍ୟର ସମକାଳୀନ ଚିତ୍ରକୁ ପଢ଼ିପାରିଥିଲେ । ବନ୍ୟା, ବାତ୍ୟା ଓ ଦୁର୍ଭିକ୍ଷରେ ପ୍ରପୀଡ଼ିତ ଜନତାଙ୍କ କରୁଣ ଓ ଅସହାୟ ଅବସ୍ଥା ଦେଖି ସେ ବିଚଳିତ ହୋଇଯାଉଥିଲେ । ସେମାନଙ୍କ ଦୁର୍ଦ୍ଦଶାର ଅନ୍ତ ଘଟାଇବା ପାଇଁ ଓ ଜନମାନସରେ ଦେଶପ୍ରେମ ଭାବନା ଜାଗ୍ରତ କରିବା ପାଇଁ ସେ ଅନେକ ଅନୁଷ୍ଠାନ ଗଠନ କରିଥିଲେ । ପୁରୀ ସେବା ସମିତିଠାରୁ ଆରମ୍ଭ କରି କଲିକତାର ନିର୍ଯାତିତ ଓଡ଼ିଆମାନଙ୍କ ପାଇଁ କଲିକତା ଓଡ଼ିଆ ଶ୍ରମିକ ସଂଘ, ଯୁବଉତ୍କଳ ସଂଘ ଓ ଓଡ଼ିଆଶିକ୍ଷା ସଂଗଠନ ମାଧ୍ୟମରେ ସେ ସେବାର ଯେଉଁ ପରମ୍ପରା ଆରମ୍ଭ କରିଥିଲେ ତାହା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ।
ପୂର୍ଣ୍ଣାଙ୍ଗ ଜୀବନ ଗଠନ ଶିକ୍ଷାର ମୂଳମନ୍ତ୍ର ବୋଲି ମର୍ମେ ମର୍ମେ ଅନୁଭବ କରିଥିଲେ ଗୋପବନ୍ଧୁ । ଓଡିଶା ମାଟିରେ ଗୁଡିଏ ମଣିଷ ତିଆରି ହୋଇଯାଆନ୍ତୁ ଏହାହିଁ ଥିଲା ତାଙ୍କ ଜୀବନର ଅନ୍ୟ ଏକ ଲକ୍ଷ୍ୟ । ଏହାକୁ ସାକାର କରିବା ପାଇଁ ସେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ ସତ୍ୟବାଦୀର ବକୁଳ ଛୁରୀଅନା କୁଞ୍ଜତଳେ ଆରମ୍ଭ କଲେ ସତ୍ୟବାଦୀ ବନବିଦ୍ୟାଳୟ । ଗୁରୁକୁଳ ଆଶ୍ରମର ସକଳ ସ୍ମାରକୀ ବହନ କରୁଥିବା ବନବିଦ୍ୟାଳୟର କାର୍ଯ୍ୟ ପ୍ରତିଭାତ ହୋଇଥିଲା ତାଙ୍କ ସ୍ୱକୀୟ ଆଦର୍ଶରେ । ଏହାର ମୁଖ୍ୟ ଆଭିମୁଖ୍ୟ ଥିଲା ଜାତୀୟଚେତନା, ଦେଶାତ୍ମବୋଧ ଓ ନୈତିକ ମୂଲ୍ୟବୋଧର ପ୍ରତିଷ୍ଠା । ଏହି ବିଦ୍ୟାଳୟ ସୁପରିଚାଳନାରେ ତାଙ୍କ ସହିତ ସହେଯାଗ କରିଥିଲେ ପଣ୍ଡିତ ନୀଳକଣ୍ଠ, ଆ·ର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ, ପଣ୍ଡିତ କୃପାସିନ୍ଧୁ ଓ ଲିଙ୍ଗରାଜଙ୍କ ଭଳି ବିଦ୍ୱାନ ବ୍ୟକ୍ତିଗଣ । ରବୀନ୍ଦ୍ରନାଥ ଠାକୁରଙ୍କ ଦ୍ୱାରା ପ୍ରତିଷ୍ଠିତ ଶାନ୍ତିନିକେତନ ଏବଂ ଆର୍ଯ୍ୟସମାଜ ଦ୍ୱାରା ପ୍ରତିଷ୍ଠିତ ବୈଦିକ ଶିକ୍ଷାନୁଷ୍ଠାନ ଢ଼ାଞ୍ଚାରେ ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟ ସେତେବେଳେ ଶିକ୍ଷା କ୍ଷେତ୍ରରେ ଏକ ବିପ୍ଳବ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା । ଏହା ପଛରେ ଥିଲା ଗୋପବନ୍ଧୁଙ୍କ ନିରବଚ୍ଛିନ୍ନ ଉଦ୍ୟମ ଓ ସାଧନାର ଫଳଶ୍ରୁତି । ଖଣ୍ଡବିଖଣ୍ଡିତ ଓଡ଼ିଶାରେ ଏକତ୍ରୀକରଣ ପାଇଁ ତାଙ୍କର ଆନ୍ତରିକ ଅବଦାନ ରହିଥିଲା । ୧୯୧୭ ମସିହାରେ ବିହାର-ଓଡ଼ିଶା ବିଧାନସଭାରେ ସଭ୍ୟଭାବେ ନିର୍ବାଚିତ ହେବାପରେ ସେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଦୃଢ଼ ଦାବି ଉପସ୍ଥାପିତ କରିଥିଲେ । ମହାତ୍ମା ଗାନ୍ଧୀଙ୍କୁ ଓଡ଼ିଶା ଆଣି ଉତ୍କଳମଣି ରାଜ୍ୟରେ ରାଜନୈତିକ ଚେତନା ସୃଷ୍ଟି କରିବା ସହ ସ୍ୱାଧୀନତା ପାଇଁ ରାଜ୍ୟବାସୀଙ୍କ ମନରେ ମୁକ୍ତିର ମଶାଲ ଜଳାଇବାର ଶୁଭାରମ୍ଭ କରିଥିଲେ । ଜାତୀୟବାଦ ପ୍ର·ର କରିବା ଉଦ୍ଦେଶ୍ୟର ୧୯୧୫ ମସିହାରେ ଉତ୍କଳମଣି ‘ସତ୍ୟବାଦୀ ମାସିକ ପତ୍ରିକା’ ପ୍ରକାଶନ କରିଥିଲେ ଯେଉଁଥିରେ ଓଡ଼ିଆ ମାନଙ୍କର ସମସ୍ୟାଗୁଡ଼କ ଅଗ୍ରାଧିକାର ଦିଆଯାଉଥିଲା । ସେହିପରି ମୂକ ଓଡ଼ିଆକୁ କଥା କହିବାର ଶୈଳୀ ଶିଖାଇବା ଉଦ୍ଦେଶ୍ୟରେ ତାଙ୍କ ଚିନ୍ତା ଚେତନାରୁ ସୃଷ୍ଟି ହେଲା ୧୯୧୯ ମସିହାରେ ସାପ୍ତାହିକ ସମ୍ବାଦ ପତ୍ର ‘ସମାଜ’ । ଲାହୋରଠାରେ ଅନୁଷ୍ଠିତ ଅଧିବେଶନରେ ଉପସଭାପତି ପଦ ଅଳଙ୍କୃତ କରିଥିଲେ ଗୋପବନ୍ଧୁ । ପରେ ଏହି ଅନୁଷ୍ଠାନର ଆଦର୍ଶରେ ଉଦ୍ବୁଦ୍ଧ ହୋଇ ସେ ‘ସତ୍ୟବାଦୀ ପ୍ରେସ୍’ ଓ ‘ସମାଜ’ର ସମସ୍ତ ସଂପତ୍ତି ଲୋକସେବକ ମଣ୍ଡଳକୁ ଦାନ କରି ଦେଇଥିଲେ । ଆଜି ସମାଜ ଏକ ଖବର କାଗଜ ନୁହେଁ ଏକ ଅନୁଷ୍ଠାନରେ ପରିଣତ ହୋଇଅଛି ।
ରାଜନୈତିକ, ସାମାଜିକ ଓ ଜନସେବା ପରି ବିଭିନ୍ନକ୍ଷେତ୍ରରେ ଥାଇ ମଧ୍ୟ ସେ ସାହିତ୍ୟ ସେବା ପ୍ରତି ବିମୁଖ ହୋଇନଥିଲେ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଗୋପବନ୍ଧୁ ଥିଲେ ନୂତନ ଯୁଗର ସ୍ରଷ୍ଟା ଯାହା ‘ସତ୍ୟବାଦୀ ଯୁଗ’ ରୂପେ ପରିଚିତ । ଗୋପବନ୍ଧୁ ଦାସ ଓ ତାଙ୍କର ସହଯୋଗୀ ସ୍ରଷ୍ଟାମାନେ ସେମାନଙ୍କ ଲେଖାରେ ଜାତୀୟତାବାଦକୁ ଗୁରୁତ୍ୱ ଦେଇଥିଲେ । ଉତ୍କଳର ଜାତୀୟତା ଓ ସଂସ୍କୃତି ତାଙ୍କ ଶିରାପ୍ରଶିରାରେ ପ୍ରବାହିତ ହେଉଥିଲା । ତାଙ୍କ ରଚିତ ‘ଧର୍ମପଦ, ବନ୍ଦୀର ଆତ୍ମକଥା, କାରା କବିତା, ଅବକାଶ ଚିନ୍ତା, ନଚିକେତା ଉପାଖ୍ୟାନ, ଗୋ-ମାହାତ୍ମ୍ୟ କାବ୍ୟ କବିତାରେ ଜାତୀୟତାବୋଧ, ବିଶ୍ୱପ୍ରେମ ଭାବ ଅତି ସୁନ୍ଦର ଭାବେ ପ୍ରକଟିତ ହୋଇଥିବାର ଦେଖାଯାଏ । କବି ହିସାବରେ ସେଥିଲେ ପ୍ରଥମେ ବିଶ୍ୱପ୍ରେମୀ, ପରେ ଭାରତୀୟ ଓ ସବାଶେଷରେ ଓଡ଼ିଆ । ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରୁ ସତ୍ୟବାଦୀ ବନବିଦ୍ୟାଳୟ - ଏହାହିଁ ପାଞ୍ଚ ଦଶନ୍ଧିରୁ ଉଦ୍ଧ୍ୱର୍କାଳର ଜୀବନଯାତ୍ରା । ସେ ଯାତ୍ରାର ଆରମ୍ଭ ହୋଇଥିଲା ୯ ଅକ୍ଟୋବର ୧୮୭୭ରୁ ଆଉ ଯାତ୍ରାର ସମାପ୍ତି ଘଟିଲା ୧୭ ଜୁନ୍ ୧୯୨୮ ପବିତ୍ର ନେତ୍ରୋତ୍ସବ ତିଥିରେ । ସେବା, ତ୍ୟାଗ ଓ ତିତିକ୍ଷାରେ ବିତିଗଲା ଜୀବନ । ମଣିଷ ପଣିଆର ନିଚ୍ଛକ ଉଦାହରଣ ଭିତରେ ହଜିଗଲା ଜୀବନଟି । ଜୀବନ ସିନା ହଜିଗଲା, ହେଲେ ସେ ଜୀଇଁ ରହିଛନ୍ତି ଆମ ଭିତରେ ତାଙ୍କ ସୁକର୍ମ ପାଇଁ ଆଉ ଜୀଇଁ ରହିଥିବେ ସବୁଦିନ ପାଇଁ । ହେଲେ ସେଦିନର ସାଧନା ଆଜି ଇତିହାସ, ସଂକଳ୍ପ ସବୁ ସ୍ୱପ୍ନିଳ ଆଉ ମୂଲ୍ୟବୋଧମାନ ଅଭିଧାନଗତ । ବନ୍ୟା-ବାତ୍ୟା ଓ ମରୁଡି ପ୍ରପୀଡିତ ମଣିଷ ଏବଂ ଦୁଃଖୀ-ରଙ୍କିଙ୍କ ପାଇଁ ସେ ଦେଖିଥିବା ସ୍ୱପ୍ନ ଏବେବି ଅଧୁରା । ଏବେବି ସମୟ ଅଛି । ଏହି ମହାନ୍ ଜନନାୟକ ତଥା ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉକ୍ରଳମଣି ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ଉତ୍ତରପିଢିଙ୍କ ପାଖରେ ପହଞ୍ଚାଇବା ଦାୟିତ୍ୱ ଆମ ସମସ୍ତଙ୍କର ।
ଜଗତସିଂହପୁର, ମୋ-୯୩୩୭୨୨୧୯୨୪